ଓଡିଶାମହାନଗର

Property prices: ଭୁବନେଶ୍ବର, କଟକ, ପୁରୀରେ ଜମି ଦର ୧୦୦% ବଢ଼ିବ

ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ୍‌ ବଜାର ହେଉଛି ଭୁବନେଶ୍ବର। କୋଭିଡ୍‌ ମହାମାରୀ ପରବର୍ତ୍ତୀ ସମୟରେ ଏଠାରେ ଉଭୟ ଜମି ଓ ଫ୍ଲାଟ୍‌ ଦରରେ ଅହେତୁକ ବୃଦ୍ଧି ଘଟିଛି। ୨ବିଏଚ୍‌କେ ଓ ୩ବିଏଚ୍‌କେ ଫ୍ଲାଟ୍‌ ମୂଲ୍ୟ ବଢ଼ିଛି।

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ୍‌ ବଜାର ହେଉଛି ଭୁବନେଶ୍ବର। କୋଭିଡ୍‌ ମହାମାରୀ ପରବର୍ତ୍ତୀ ସମୟରେ ଏଠାରେ ଉଭୟ ଜମି ଓ ଫ୍ଲାଟ୍‌ ଦରରେ ଅହେତୁକ ବୃଦ୍ଧି ଘଟିଛି। ୨ବିଏଚ୍‌କେ ଓ ୩ବିଏଚ୍‌କେ ଫ୍ଲାଟ୍‌ ମୂଲ୍ୟ ବଢ଼ିଛି। ଏଥି ସହିତ ଏକ ଗୋଟି ଟଙ୍କାରୁ ଅଧିକ ଦାମ୍‌ର ବିଳାସପୂର୍ଣ୍ଣ ଫ୍ଲାଟ୍‌ ମଧ୍ୟ ଅଧିକ ସଂଖ୍ୟାରେ ନିର୍ମାଣ କରାଯାଉଛି।

ରିଅଲ୍‌ ଇଷ୍ଟେଟ୍‌ ବଜାରର ସେହି ଦରବୃଦ୍ଧି ଧାରା ଏତିକିରେ ଅଟକିବ ନାହିଁ। ଆସନ୍ତା ୨-୪ ବର୍ଷ ମଧ୍ୟରେ ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ୍‌ ବଜାର ଯଥା ଭୁବନେଶ୍ବର, କଟକ ଓ ପୁରୀରେ ଜମି ଦର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ ବୋଲି ପ୍ରପର୍ଟି ସଂସ୍ଥା ‘ସ୍କୋୟାର ୟାର୍ଡସ୍‌’ ଆକଳନ କରିଛି। ଏହା ନିଜ ରିପୋର୍ଟରେ କହିଛି ଯେ ଭୁବନେଶ୍ବର, କଟକ ଓ ପୁରୀ ଭଳି ସହରରେ ବଡ଼ ଧରଣର ଭିତ୍ତିଭୂମି ଓ ଶିଳ୍ପ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସେଠା‌ରେ ସହର ଦ୍ରୁତ ଗତିରେ ବଢ଼ୁଛି। ସେଥିପାଇଁ ଏହି ସବୁ ସହରଗୁଡ଼ିକରେ ଆସନ୍ତା କିଛି ବର୍ଷରେ ଜମି ମୂଲ୍ୟ ୨୫ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ।

କେବଳ ଓଡ଼ିଶାର ଏହି ତିନି ସହର ନୁହେଁ ବାରାଣସୀ ଓ ବିଶାଖାପାଟଣା ଭଳି ଦେଶର ଅନ୍ୟ ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ। ସାଧାରଣତଃ ରେଳ ଓ ସଡ଼କ ଯୋଗାଯୋଗ ପାଖାପାଖି ଥିବା ଜମିର ମୂଲ୍ୟ ଅଧିକ ରହିଥାଏ। ଏଥି ସହିତ ଶିଳ୍ପ ସଂସ୍ଥା ବା ଶିଳ୍ପାଞ୍ଚଳ, ବିମାନବନ୍ଦର ଓ ଏକ୍ସପ୍ରେସ୍‌ୱେ ଆଖପାଖରେ ଥିବା ଜମିର ଚାହିଦା ମଧ୍ୟ ବଢ଼ିଥାଏ। ଭିତ୍ତିଭୂମି ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଥିବା ଅଞ୍ଚଳଗୁଡ଼ିକର ଜମି ମଧ୍ୟ ଚାହିଦାରେ ରହିଥାଏ।

‘ସ୍କୋୟାର ୟାର୍ଡସ୍‌’ର ସିଇଓ ତନୁଜ ସୁରି କହିଛନ୍ତି ଯେ ଭିତ୍ତିଭୂମି ସମ୍ପ୍ରସାରଣ, ନିଯୁକ୍ତିରେ ବୃଦ୍ଧି ଓ ଆର୍ଥିକ ସ୍ଥିରତାକୁ ଆଧାର କରି ଭାରତର ରିଅଲ ଇଷ୍ଟେଟ୍‌ ଶିଳ୍ପ ଆଗକୁ ବଢ଼ୁଛି। ନୂଆ ନୂଆ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଜୋରସୋରରେ ଚାଲିଥିବାରୁ ଆବାସିକ ପ୍ରକଳ୍ପର ଚାହିଦା ବଢ଼ିଛି। ସେହିପରି ସଂସ୍ଥାର ଉପସଭାପତି ସୁନିତା ମିଶ୍ର କହିଛନ୍ତି ଯେ ଏଥର ବଜେଟ୍‌ରେ ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍‌ ଭଳି ଅନେକ ପଦକ୍ଷେପ ଘୋଷଣା କରାଯାଇଛି ଯାହା ଦ୍ବାରା ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକ ଉପକୃତ ହେବେ। ଆବାସିକ ପ୍ରକଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ତାହା ନୂଆ ପଥ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ସମ୍ପତ୍ତିରେ ଦୀର୍ଘକାଳୀନ ମୂଲ୍ୟ ଖୋଜୁଥିବା ନିବେଶକ ଓ ଗ୍ରାହକମାନେ ଏହି ଅଞ୍ଚଳଗୁଡ଼ିକରୁ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button