ଦେଶ ବିଦେଶ

Protest: ଭାରତ ବନ୍ଦର ମିଶ୍ରିତ ପ୍ରଭାବ: ଶୁଭିଲା ଶ୍ରମିକଙ୍କ ସ୍ବର; ରାଜରାସ୍ତା ଖାଁଖାଁ, କିଛି ସ୍ଥାନରେ ଉତ୍ତେଜନା

୧୪ ଦଫା ଦାବି ନେଇ ୧୦ଟି ଶ୍ରମିକ ସଂଗଠନ ଓ ଫେଡେରେସନ୍‌ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟର ଦେଶବ୍ୟାପୀ ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକଙ୍କ ବିକ୍ଷୋଭର ସ୍ବର ଶୁଭିଛି।

ଭୁବନେଶ୍ବର: ୧୪ ଦଫା ଦାବି ନେଇ ୧୦ଟି ଶ୍ରମିକ ସଂଗଠନ ଓ ଫେଡେରେସନ୍‌ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟର ଦେଶବ୍ୟାପୀ ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକଙ୍କ ବିକ୍ଷୋଭର ସ୍ବର ଶୁଭିଛି। ଭୁବନେଶ୍ବର ଓ ରାଜ୍ୟର ଅନ୍ୟ ପ୍ରମୁଖ ସହରରେ ରାସ୍ତାଘାଟ ଖାଁଖାଁ ହୋଇ ଯାଇଥିବା ବେଳେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଧର୍ମଘଟ ସମୟରେ କିଛି ସ୍ଥାନରେ ବିକ୍ଷୋଭକାରୀ ଗଣ୍ଡଗୋଳ କରିଥିବା ନଜରକୁ ଆସିଛି। ତେବେ ୧୨ ଘଣ୍ଟିଆ ଧର୍ମଘଟ ସଫଳ ହୋଇଥିବା କେନ୍ଦ୍ରୀୟ ସଂଗଠନମାନେ କହିଛନ୍ତି।

ମହାତ୍ମା ଗାନ୍ଧୀ ଜାତୀୟ ନିଯୁକ୍ତି ଯୋଜନାର ପରିବର୍ତ୍ତନ, ବିଦ୍ୟୁତ୍‌ ବିଲ୍, ବିହନ ବିଲ୍‌, ଶାନ୍ତି ବିଲ୍‌ ୨୦୨୫, ପେନ୍‌ସନ୍‌ ବିଲ୍‌ ଓ ବୀମା ନିଯୁକ୍ତି, ଶତ ପ୍ରତିଶତ ପ୍ରତ୍ୟକ୍ଷ ଓ ବିଦେଶୀ ପୁଞ୍ଜି ଲଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ ଓ ଜିଏସ୍‌ଟି ଛାଡ଼, ସର୍ବନିମ୍ନ ମାସିକ ୨୬ ହଜାର ଟଙ୍କା ମଜୁରି, ପୁରୁଣା ପେନ୍‌ସନ୍ ସ୍କିମ୍ ପ୍ରଚଳନ ଓ ସର୍ବନିମ୍ନ ପେନ୍‌ସନ୍‌ ମାସିକ ୯ ହଜାର ଟଙ୍କା ଦାବିରେ ଆଜି ଶ୍ରମିକ ସଂଗଠନମାନେ ଧର୍ମଘଟ ଡାକରା ଦେଇଥିଲେ। ସରକାରଙ୍କୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିବାରୁ ଦୋକାନ ବଜାର ସବୁକିଛି ବନ୍ଦ ରହିଥିଲା। ଏଥିପାଇଁ ସାଧାରଣ ଜନତାଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ଦ୍ବିପ୍ରହର ବେଳକୁ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଥିଲା।

ରାଜରାସ୍ତା ଖାଁଖାଁ, କିଛି ସ୍ଥାନରେ ଉତ୍ତେଜନା
ବିକ୍ଷୋଭକାରୀଙ୍କ ଆଡ଼କୁ ମାଡ଼ିଗଲା ପୁଲିସ ଗାଡ଼ି
ଜାତୀୟ ରାଜପଥରେ ଅଟକିଲା ଶହଶହ ଗାଡ଼ି

ଆଜି ସକାଳୁ ରାଜଧାନୀର ଜୟଦେବ ବିହାର ଛକରେ ବିକ୍ଷୋଭକାରୀ ପ୍ରବଳ ହଙ୍ଗାମା କରିଥିଲେ। ଏନ୍‌ଏଚ୍‌ ୧୬ ବନ୍ଦ ହେବା ଫଳରେ ରାସ୍ତାକଡ଼ରେ ଶହଶହ ଟ୍ରକ୍‌ ଓ ଅନେକ ଯାତ୍ରୀବାହୀ ବସ୍‌ ଅଟକି ରହିଥିଲେ। ଭୁବନେଶ୍ବର ରେଳ ଷ୍ଟେସନ୍‌, ସିଟି ବସ୍‌ଷ୍ଟାଣ୍ଡ, ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ, ଜାତୀୟ ରାଜପଥ, ଇନ୍‌ସ୍ୟୁରାନ୍‌ସ କାର୍ଯ୍ୟାଳୟ, ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ୍‌, ଏସ୍‌ବିଆଇ ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟ, ଶ୍ରମ କାର୍ଯ୍ୟାଳୟ, ବିଦ୍ୟୁତ୍‌ କାର୍ଯ୍ୟାଳୟ, କଳ୍ପନା, ସାମନ୍ତରାପୁର, ଏୟାରପୋର୍ଟ ଛକ, ରସୁଲଗଡ଼, ନାଲ୍‌କୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ କରାଯାଇଥିଲା। ବନ୍ଦ ଚାଲିଥିବା ବେଳେ ଭୁବନେଶ୍ବରରେ ଏକ ବରଯାତ୍ରୀ ଗାଡ଼ି ଫସି ଯାଇଥିଲା। ବିକ୍ଷୋଭକାରୀଙ୍କ ସହ ଆଲୋଚନା ପରେ ବରଯାତ୍ରୀ ଗାଡ଼ି ଗନ୍ତବ୍ୟସ୍ଥଳକୁ ଯାଇଥିଲା। ସେହିପରି ବାଲେଶ୍ବରରେ ଏକ ମଲ୍‌ ଖୋଲିଥିବା ବେଳେ ଏହାର କର୍ମଚାରୀମାନେ ବିକ୍ଷୋଭକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ରାୟଗଡ଼ା ସହର ଉପକଣ୍ଠ ସିରିଗୁଡ଼ା ଛକରେ ଶ୍ରମିକ ସଂଗଠନ ତରଫରୁ ଆନ୍ଦୋଳନ ଚାଲିଥିଲା। ସେହି ରାସ୍ତାରେ ଅଟକିଥିବା ପୁଲିସ ଗାଡ଼ିର ବ୍ରେକ୍‌ ଫେଲ୍‌ ହୋଇଯାଇ ଆନ୍ଦୋଳନକାରୀଙ୍କ ଉପରକୁ ମାଡ଼ି ଯାଇଥିଲା। ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ଆନ୍ଦୋଳନସ୍ଥଳରେ ନେତାଙ୍କ ପାଇଁ ଥିବା ଚେୟାର ଉପରେ ଗାଡ଼ି ଚଢ଼ି ଯାଇଥିଲା।

 

ଦ୍ବିପ୍ରହରରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମିଳିତ ମଞ୍ଚ ତରଫରୁ ଏକ ବିଶାଳ ପଟୁଆର ମାଷ୍ଟର୍‌ କ୍ୟାଣ୍ଟିନ୍‌ରୁ ବାହାରି ରାଜମହଲ ଛକ ଦେଇ ଗାନ୍ଧୀ ମାର୍ଗରେ ପହଞ୍ଚିଥିଲା। ଶ୍ରମିକ ନେତା କିଶୋର ଜେନା, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ବି.ଏନ୍.ମହାପାତ୍ର, ସୁର ଜେନା ପ୍ରମୁଖଙ୍କୁ ପୁଲିସ ଗିରଫ କରିଥିଲା। କେନ୍ଦ୍ର ସରକାର ତୁରନ୍ତ ଲେବର୍‌ ଷ୍ଟାଣ୍ଡିଂ କମିଟି ଓ ଇଣ୍ଡିଆନ୍‌ ଲେବର୍‌ କନ୍‌ଫରେନ୍‌ସ ଡାକି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ ସଂପର୍କରେ ଦ୍ୱିପାକ୍ଷିକ-ତ୍ରିପାକ୍ଷିକ ଆଲୋଚନା ଜରିଆରେ ସମାଧାନ କରିବା ପାଇଁ ଦାବି ହୋଇଛି।

ଏହି ଧର୍ମଘଟରେ ଆଇଏନ୍‌ଟିୟୁସି ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ମଦନମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ପ୍ରଣତି ମିଶ୍ର, ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ସୁର ଜେନା, ସିପିଆଇ ସମ୍ପାଦକ ପ୍ରଶାନ୍ତ ମିଶ୍ର, ଏଚ୍‌ଏମ୍‌ଏସ୍‌ ସମ୍ପାଦକ ବି.ଏନ୍‌ ମହାପାତ୍ର, ମହମ୍ମଦ ମୁର୍ତୁଜା, ସିଆଇଟିୟୁ ସଭାପତି ଜନାର୍ଦ୍ଦନ ପତି, ସମ୍ପାଦକ ପ୍ରଦୀପ୍ତ ନାୟକ, ପୁଷ୍ପା ପଣ୍ଡା, ଏଆଇୟୁଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ଜୟସେନ ମେହେର, ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ଏଆଇସିସିଟିୟୁ ସଭାପତି ରାଧାକାନ୍ତ ସେଠୀ, ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ବଂଶୀଧର ପରିଡ଼ା, ମାନସ ରଞ୍ଜନ ପ୍ରଧାନ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ କିଶୋର ଜେନା, ଟିୟୁସିସି ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମହାପାତ୍ର, ଅମ୍ବିକା ପ୍ରସାଦ ପଣ୍ଡା, ରଜନୀଗନ୍ଧା ବାରିକ, ଏଲ୍‌ପିଏଫ୍‌ର କାର୍ଯ୍ୟକାରୀ ସଭାପତି ମଧୁସୂଦନ ପ୍ରଧାନ, ମାୟାଧର ନାୟକ, ସିପିଆଇ (ଏମ୍‌ଏଲ୍‌) ଲିବରେସନ୍‌ର ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଦିଶା ଆଜାଦ, ରିଙ୍କି ସାହୁ, ଇଜନ ବଜ, ସିପିଆଇଏମ୍‌ର ତାପଶ୍ରୀ ପ୍ରହରାଜ, ଅକ୍ଷୟ ତ୍ରିପାଠୀ, ସିଲି ସେଠୀ, ବିଜୟ ବେହେରା ଓ କୈଳାସ ପୁହାଣ ସାମିଲ ହୋଇଥିଲେ। ଶ୍ରମିକ ସଂଗଠନର ଏହି ଧର୍ମଘଟକୁ ରାଜ୍ୟ କଂଗ୍ରେସ ଓ ବିଜେଡି ପକ୍ଷରୁ ସମର୍ଥନ ଦିଆଯାଇଥିଲା।

ପରିବହନ ସେବା ପ୍ରଭାବିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ନୀତି, କୃଷି ନୀତି ଓ କ‌ର୍ପୋରେଟ୍‌ ସମର୍ଥିତ ନୀତିକୁ ବିରୋଧ କରି ଆଜି ୧୦ କେନ୍ଦ୍ରୀୟ ଶ୍ରମିକ ସଂଘର ମିଳିତ ମଞ୍ଚ ଏବଂ କୃଷକ ସଂଗଠନ ମିଳିତ ଭାବେ ଦେଶବ୍ୟାପୀ ବନ୍ଦ ପାଳନ କରିଛନ୍ତି।  ଚାରି ଲେବର କୋଡ୍‌, ବିଦ୍ୟୁତ୍‌ ବିଲ୍‌ ୨୦୨୫, ବିହନ ବିଲ୍‌ ୨୦୨୫ ଓ ନିକଟରେ ଶେଷ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମାକୁ ଜୋର୍‌ଦାର ବିରୋଧ କରି ଏହି ବନ୍ଦ ପାଳନ କରାଯାଇଛି। ଓଡ଼ିଶା, କେରଳ, ତାମିଲନାଡ଼ୁ, ଗୋଆ, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ ଭଳି ରାଜ୍ୟରେ ବନ୍ଦର ମିଶ୍ରିତ ପ୍ରଭାବ ‌ଦେଖିବାକୁ ମିଳିଛି। କେତେକ ପ୍ରମୁଖ ଜାତୀୟ ଓ ରାଜ୍ୟ ରାଜପଥ ବନ୍ଦ କରାଯିବା ସହ ସାଧାରଣ ପରିବହନ ପ୍ରଭାବିତ ହୋଇଛି। ଏଥିସହ ବିଭିନ୍ନ ସ୍ଥାନରେ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବନ୍ଦ ଯୋଗୁ ବ୍ୟାଙ୍କ କାରବାର, ବୀମା ଓ କୋଇଲା କ୍ଷେତ୍ର ପ୍ରଭାବିତ ହୋଇଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ଓ ବାମଦଳ ବନ୍ଦକୁ ସମର୍ଥନ ପ୍ରଦାନ କରିଥିଲେ।

ବୀମା କମ୍ପାନି, ପୋଷ୍ଟ ଅଫିସ୍‌ କର୍ମଚାରୀ, ଶ୍ରମିକ ଓ କୃଷକମାନେ ଏହି ଆାନ୍ଦୋଳନରେ ସାମିଲ ହୋଇଥିଲେ। ତାମିଲନାଡ଼ୁ ଓ କେରଳରେ ଆଜି ବସ୍‌ ସେବା ସଂପୂର୍ଣ୍ଣ ବନ୍ଦ ରହିଥିଲା। ଏଭଳି ସ୍ଥିତିରେ ୨ ରାଜ୍ୟର  ଯାତ୍ରୀମାନେ ହଟହଟା ହୋଇଥିଲେ। ମୋଟ୍‌ ଉପରେ କହିବାକୁ ଗଲେ ଆଜି କେରଳରେ ବନ୍ଦର ସଂପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟରେ କେଏସ୍‌ଆରଟିସି ଓ ଘରୋଇ ବସ୍‌ ଆଜି ରାସ୍ତାରେ ଗଡ଼ିନାହିଁ।   ଅଟୋରିକ୍ସା ସଂଘ ମଧ୍ୟ ବନ୍ଦ ସମୟରେ ଗାଡ଼ି ଚଳାଇବାକୁ ମନା କରିଦେବା ଫଳରେ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏହାକୁ ନେଇ ବିରୋଧୀ ଦଳ ନେତାମାନେ ପ୍ରଶ୍ନ ଉଠାଇଛନ୍ତି। କେରଳରେ କାହିଁକି ସମ୍ପୂର୍ଣ୍ଣ ବନ୍ଦ ପାଳନ ହୋଇଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।  ପଞ୍ଜାବରେ ଶାସକ ଆପ୍‌ ବନ୍ଦକୁ ସମର୍ଥନ କରିଛି। ଗୋଆରେ ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ବ୍ୟାଙ୍କ କାରବାର ପ୍ରଭାବିତ ହୋଇଥିବାବେଳେ ଅତ୍ୟାବଶ୍ୟକ ସେବା ଅପ୍ରଭାବିତ ରହିଛି।

ଗୁଜରାଟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ।  ଶ୍ରମିକ ସଂଘର ପ୍ରତିନିଧିମାନେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଏଥିପାଇଁ ସାଧାରଣ ଜୀବନ ପ୍ରଭାବିତ ହୋଇ ନ ଥିଲା। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କିଛି ଅନୁଷ୍ଠାନ ବନ୍ଦକୁ ବିରୋଧ କରିଥିଲେ ଏବଂ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେମାନେ କହିଛନ୍ତି। କୋଲକାତାରେ ଏଆଇୟୁଟିୟୁସି ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ରୢାଲି କରିଥିଲା। ଆଜି ଦେଶବ୍ୟାପୀ ହୋଇଥିବା ବନ୍ଦ ପାଳନକୁ କଂଗ୍ରେସ ଦଳ ସମର୍ଥନ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବାଣିଜ୍ୟ ଚୁକ୍ତି ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାର ଶ୍ରମିକ ଓ କୃଷକ ବିରୋଧୀ ପଦକ୍ଷେପ ନେଉଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button