Breaking News

କଂଗ୍ରେସ ଭବନ ସାମ୍ନାରେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକଙ୍କ ଜୋରଦାର ବିରୋଧ

ଭୁବନେଶ୍ୱର: କାଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ ଅସନ୍ତୋଷ ଝାଡ଼ିବା ପରେ ଆଜି କଂଗ୍ରେସ ଭବନ ସମ୍ମୁଖରେ ଜୋରଦାର ହଙ୍ଗାମା କରିଛନ୍ତି ନିଲମ୍ବିତଙ୍କ ସମର୍ଥକ। ଆଜି କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ହେବାକୁ ଥିବାବେଳେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଓ ଅନ୍ୟ ସଦସ୍ୟମାନେ ଯୋଗ ଦେବାର ଥିଲା । ତେବେ ଏହା ପୂର୍ବରୁ କଂଗ୍ରେସ ଭଵନ ବାହାରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ମହମ୍ମଦ ମୋକିମଙ୍କ ସମର୍ଥକ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିବା ନେଇ ଜୋରଦାର ଦାବି କରିଥିଲେ । ଦୁଇ ନେତାଙ୍କ ନିଲମ୍ବନକୁ ବିରୋଧ କରି କର୍ମୀମାନେ ପ୍ରତିବାଦ କରିଥିବାବେଳେ ଚିରଞ୍ଜୀବ-ମୋକିମ ଜିନ୍ଦାବାଦ ଓ ପିସିସି ମୁର୍ଦ୍ଦାବାଦ ସ୍ଲୋଗାନରେ କଂପିଛି କଂଗ୍ରେସ ଭବନ ।

ଜଗତସିଂହପୁର ଓ କଟକରୁ ବହୁ ସଂଖ୍ୟାରେ ସମର୍ଥକ ଆସି କଂଗ୍ରେସ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଥିବାବେଳେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକ କଂଗ୍ରେସ ଭବନକୁ ଧସେଇ ପଶିଥିଲେ । ବହୁ ସମୟ ଧରି ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକ ନାରାବାଜି କରିବା ସହ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ | ଆଉ ଏଭଳି ସ୍ଥିତିରେ ଶୃଙ୍ଖଳା କମିଟି ବୈଠକ କଂଗ୍ରେସ ଭବନରେ ନ ହୋଇ ସାଲୁଜାଙ୍କ ଘରେ ବସିଥିବାର ସୂଚନା ମିଳିଛି । ଉଲ୍ଲେଖ ଥାଉ କି ଗତକାଲି ସମର୍ଥକମାନେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି । ଓଡିଶାରେ କଂଗ୍ରେସକୁ ମଜଭୂତ କରିବାରେ ମୋକିମଙ୍କ ଭୂମିକା ରହିଛି । ଚିରଞ୍ଜୀବ ମଧ୍ୟ ଦୁଇ ଥର ନିର୍ବାଚନ ଜିତି ବିଧାନସଭାରେ ପ୍ରତିନିଧିତ୍ବ କରିଛନ୍ତି ।

ବିନା କାରଣରେ ପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସିକୁ ସୁପାରିଶ କରିଛନ୍ତି ଯାହା ଆମକୁ ମର୍ମାହତ କରିଛି । କଂଗ୍ରେସ ପାଇଁ ବିଜେଡିକୁ ପରାହତ କରିବା ପାଇଁ ସୁଯୋଗ ଥିଲେ ମଧ୍ୟ ଆଜି କଂଗ୍ରେସ ଅସମର୍ଥ । କଂଗ୍ରେସର ଅନେକ କର୍ମୀ ଓ ସମର୍ଥକ ସେ ଦିନ ବୈଠକରେ ଉପସ୍ଥିତ ଥିଲେ । ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଦଳର ଦୁର୍ବଳ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା ହେଲେ ତାହା ଦଳ ବିରୋଧୀ ନୁହେଁ । ଦୁଇ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ । ନିଲମ୍ବନ ପ୍ରତ୍ୟାହାର ନ କଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତି ହେବ ।

Comments are closed.