Breaking News

ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରୁପା ଛାଉଣୀ ହେବ ସିଂହଦ୍ୱାର

0

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ରୁପା ଛାଉଣୀ କରାଯିବ ମରାମତି ହେବ । ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ବୋଲି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଉଭୟ କାର୍ୟ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ସିଂହଦ୍ବାର ରୂପା ଛାଉଣୀ ପାଇଁ ଦାତାମାନେ ରୁପା ଦାନ କରିବେ। ରୂପା ଛାଉଣି ପାଇଁ ଆବଶ୍ୟକ ରୂପା ଦାତା ଯୋଗାଇଦେବେ। କେତେ ରୂପା ଲାଗିବ ଜଣାଇଲା ପରେ ଦାତାମାନେ ସେହି ପରିମାଣର ରୂପା ଯୋଗାଇ ଦେବେ। ସେ ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା ହେବ ବୋଲି ସେ ପ୍ରକାଶ କରିଛନ୍ତି।
ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ କରାଯିବ। ବାହୁଡ଼ା ପୂର୍ବରୁ ଏହି କାର୍ୟ୍ୟ ସରିବ। ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ଵାର ନିର୍ମାଣ କରାଯିବ। ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯିବ।

ଏଥିପାଇଁ ଦାତା ରୂପା ଦାନ କରିବା ସହ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିଛନ୍ତି। ଡିଜାଇନ୍ କାର୍ୟ୍ୟ ନିଳାଦ୍ରୀ ଭକ୍ତ ନିବାସ ଓ ଛାଉଣୀ ବା ସ୍ଥାପନ କାର୍ୟ୍ୟ ସିଂହଦ୍ଵାର ଠାରେ କରାଯିବ। ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ ସମୟରେ ସେବାୟତଙ୍କ ବ୍ୟତୀତ କୌଣସି ଭକ୍ତଙ୍କୁ ସେହି ବାଟ ଦେଇ ଛଡାଯିବ ନାହିଁ। ସେହି ସମୟରେ ଭକ୍ତମାନେ ଉତ୍ତର କିମ୍ବା ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ।

ଅସ୍ଥାୟୀ ସିଂହଦ୍ଵାର ନିର୍ମାଣର ଢାଞ୍ଚା, ନିର୍ମାଣ ଶୈଳୀ ଓ ଡିଜାଇନ୍ ସିଂହଦ୍ଵାର ଭଳି ଅକ୍ଷୁର୍ଣ୍ଣ ରଖାଯିବ। ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବ। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ରତ୍ନ ପଲଙ୍କ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ନୂଆ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ନୂଆ ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ।

ଆଜି ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟ ମାନେ ଯାଇ ସିଂହଦ୍ଵାରର ଅନୁଧ୍ୟାନ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ମହାପ୍ରଭୁଙ୍କ ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହେଲାଣି। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ସବୁ ଭାଙ୍ଗି ଦୋହଲିଲାଣି; ଲାଗିଥିବା ରୁପା ଛାଡ଼ିଗଲାଣି। ବହୁଦିନରୁ ମରାମତି ଦାବି ହୋଇ ଆସୁଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିଲା। ଦୈନିକ ଭଙ୍ଗା ପଲଙ୍କରେ ମହାପ୍ରଭୁ ଶୋଉଛନ୍ତି। ଆଉ ଏହି ଭଙ୍ଗା ପଲଙ୍କରେ ସବୁ ନୀତିକାନ୍ତି ହେଉଛି। ସେପଟେ ଯେଉଁ ଶେଯ ପଡ଼ିଛି, ତାହା ବି ପୁରୁଣା ହୋଇଗଲାଣି ବୋଲି ଅଭିଯୋଗ ଉଠିଥିଲା। ନିକଟ ଅତୀତରେ ଶ୍ରୀମନ୍ଦିରର ବିଭିନ୍ନ ଦ୍ବାର ରୁପା ଚାଦରରେ ଆଚ୍ଛାଦିତ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଏହି ଭଙ୍ଗା ଗଜଦନ୍ତ ପଲଙ୍କର ମରାମତି ସହ ନୂଆ ଶେଯ, ତକିଆ ଆଦି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତମାନେ ଦାବି କରିଥିଲେ।

Leave A Reply

Your email address will not be published.