Breaking News

ଶ୍ରୀବିଗ୍ରହଙ୍କୁ ଲାଗିହେଲା ଅଧରପଣା

ପୁରୀ : ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡରେ ରଥରେ ଅବତରଣ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା, ଅଶରୀରୀମାନେ ଘୂରି ବୁଲୁଥାନ୍ତି। ଏହି ଚଣ୍ଡୀଚାମୁଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ପୂଜା ନୀତି ସମ୍ପନ୍ନ ହୋଇଛି। ରଥ ଉପରେ ତିନି ଠାକୁରଙ୍କ ଅଧର ଉଚ୍ଚର ୯ଟି ହାଣ୍ଡିରେ ପଣା ଲାଗି ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ପଣା ଉତ୍ସର୍ଗ କରାଯାଇଛି। ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଏହି ଅଧର ନୀତି ଦର୍ଶନ କରିଛନ୍ତି। ଏଥିପାଇଁ ଆଜି ବି ସିଂହଦ୍ବାର, ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି।

ପ୍ରଥମେ ମା’ ସୁଭଦ୍ରାଙ୍କ ଅଧର ନୀତି ସମ୍ପନ୍ନ ହୋଇ ରାତି ୮ଟା ୫୦ରେ ହାଣ୍ଡି ଭଙ୍ଗା ଯାଇଥିଲା। ପରେ ରାତି ପ୍ରାୟ ୯ଟାରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଅଧରହାଣ୍ଡି ଭଙ୍ଗାଯାଇଥିଲା। ଶେଷରେ ରାତି ୯ଟା ୧୦ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧରହାଣ୍ଡି ଭଙ୍ଗା ସହ ଅଧରନୀତି ଶେଷ ହୋଇଥିଲା। ରାତି ୩ଟାରେ ଗତକାଲିର ରାତ୍ର ପହୁଡ଼ ପରେ ସକାଳ ୬ଟା ୫୫ରୁ ସାଢ଼େ ୭ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ହୋଇଥିଲା। ପରେ ମଇଲମ, ତଡ଼ପଲାଗି ହୋଇ ସକାଳ ୮ଟା ୪୫ରେ ଅବକାଶ ନୀତି ସଂପନ୍ନ ହୋଇଥିଲା। ୮ଟା ୨୦ରୁ ୯ଟା ଭିତରେ ବେଶଶେଷ ପରେ ଗୋପାଳବଲ୍ଲଭ, ସକାଳ ଧୂପ ଆଦି ନୀତି ବଢ଼ିଥିଲା। ଅପରାହ୍ଣ ୧ଟା ୫୦ରେ ମଧ୍ୟାହ୍ନ ଧୂପ ଶେଷ ପରେ ଅଧରପଣା ନୀତି ଆରମ୍ଭ ହୋଇଥିଲା। ରାତିରେ ଅଧରପଣା ନୀତି ଶେଷ ପରେ ମହାସ୍ନାନ, ମଇଲମ, ବେଶ, ସଂଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ନୀତି ସମ୍ପନ୍ନ ହୋଇ ରାତ୍ର ପହୁଡ଼ ହୋଇଥିଲା।

Comments are closed.