Raghav Chadha:‘ଚୁପ୍ ଅଛି, ହାରିଯାଇ ନାହିଁ’: ରାଘବ ଚଢାଙ୍କ ଭିଡିଓ ବାର୍ତ୍ତା ଖୋଲିଲା ଆପ୍ ଫାଟ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଶୁକ୍ରବାର ରାଜ୍ୟସଭାରେ ଉପନେତା ପଦରୁ ବହିଷ୍କୃତ ହେବାର ଗୋଟିଏ ଦିନ ପରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳକୁ ସମାଲୋଚନା କରିଛନ୍ତି। ଏକ୍ସରେ ଏକ ଭିଡିଓ ବାର୍ତ୍ତାରେ ଚଢା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସଂସଦରେ ଭାଷଣ ଦେବାରୁ ରୋକିବା ପାଇଁ ଏହା ଏକ ପ୍ରୟାସ ଏବଂ ସଂସଦରେ ଜନସାଧାରଣଙ୍କ ପ୍ରସଙ୍ଗ ଉଠାଇବା ଅପରାଧ କି?

ସେ କହିଛନ୍ତି, ଯେତେବେଳେ ବି ମୁଁ ସଂସଦରେ କହିବାର ସୁଯୋଗ ପାଏ, ମୁଁ ସର୍ବସାଧାରଣ ପ୍ରସଙ୍ଗ ଉଠାଇଥାଏ। ମୁଁ ଏପରି ବିଷୟ ଉଠାଏ ଯାହା ସଂସଦରେ କ୍ୱଚିତ୍ ଚର୍ଚ୍ଚା ହୁଏ। ଲୋକଙ୍କ ପ୍ରସଙ୍ଗ ଉଠାଇବା ଅପରାଧ କି? ମୁଁ କିଛି ଭୁଲ୍ କରିଛି କି? ଗୁରୁବାର ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ରାଘବ ଚଢାଙ୍କୁ ଗୃହର ଉପନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ଉପନେତା ମାନ୍ୟତା ଦେବାକୁ ଅନୁରୋଧ କରିଛି। ଏହାପରେ କ୍ଷୁବ୍ଧ ଚଢ଼ା କହିଛନ୍ତି, କେହି କାହିଁକି ମୋତେ କହିବାରୁ ଅଟକାଇବାକୁ ଚାହିବେ? ମୁଁ ସବୁବେଳେ ‘ସାଧାରଣ ମଣିଷ’ ପାଇଁ କହିଥାଏ। ମୁଁ ବିମାନବନ୍ଦରରେ ବିକ୍ରି ହେଉଥିବା ମହଙ୍ଗା ଖାଦ୍ୟ ବିଷୟରେ କହିଥିଲି ଏବଂ ଗିଗ୍ ଶ୍ରମିକଙ୍କ ପ୍ରସଙ୍ଗ ଉଠାଇଥିଲି। ମୁଁ ଖାଦ୍ୟ ଅପମିଶ୍ରଣ ପ୍ରସଙ୍ଗ ଉଠାଇଥିଲି। ରାଜ୍ୟସଭାରେ ଟୋଲ୍ ପ୍ଲାଜା ଓ ବ୍ୟାଙ୍କ ଲୁଟ୍, ଟିକସଦାତା, ପ୍ରିପେଡ୍ ମୋବାଇଲ୍ ପ୍ଲାନ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇଥିଲି। ଏହି ଆଲୋଚନା ସାଧାରଣ ଜନତାଙ୍କୁ ସାହାଯ୍ୟ କରିଥିଲା, କିନ୍ତୁ ଏହି ପ୍ରସଙ୍ଗଗୁଡ଼ିକ ଆମ୍ ଆଦମୀ ପାର୍ଟିକୁ କିପରି ପ୍ରଭାବିତ କରିଥିଲା ବୋଲି ଚଢ଼ା ପ୍ରଶ୍ନ କରିଛନ୍ତି। ରାଜ୍ୟସଭାରେ ଉପନେତା ପଦରୁ ତାଙ୍କ ବହିଷ୍କାର ପଛରେ ଥିବା ଲୋକଙ୍କୁ ଏକ କଡ଼ା ବାର୍ତ୍ତା ଦେଇ ଚଢା କହିଛନ୍ତି, ‘ମୁଁ ଚୁପ୍ ଅଛି, ହାରିଯାଇ ନାହିଁ‘।

ସୌଜନ୍ୟ ସମ୍ବାଦ