ଦେଶ ବିଦେଶରାଜନୀତି

Rahul vs Rajnath in Lok Sabha: ଲୋକସଭାରେ ରାହୁଲ ବନାମ ରାଜନାଥ: ପୂର୍ବତନ ସେନାମୁଖ୍ୟ ନରବଣେଙ୍କ ଆତ୍ମଜୀବନୀକୁ ନେଇ ସଂସଦରେ ତମ୍ବିତୋଫାନ

ସୋମବାର ଲୋକସଭାରେ ଏକ ବଡ଼ ଧରଣର ହଙ୍ଗାମା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ସମୟରେ ପୂର୍ବତନ ସେନାମୁଖ୍ୟ ଜେନେରାଲ....

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ଏକ ବଡ଼ ଧରଣର ହଙ୍ଗାମା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ସମୟରେ ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କ ଆତ୍ମଜୀବନୀରୁ ଉଦ୍ଧୃତ କରି ତାଙ୍କ ଭାଷଣ ଆରମ୍ଭ କରିବା ପରେ ତୁରନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହ ଏହା ଉପରେ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ୨୦୨୦ ମସିହା ମେ ୫ ତାରିଖରେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ପୂର୍ବ ଲଦାଖ ସୀମା ବିବାଦ ଆରମ୍ଭ ହୋଇଥିଲା। ପୂର୍ବତନ ସେନା ମୁଖ୍ୟ ନରବଣେ ତାଙ୍କର ଅପ୍ରକାଶିତ ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ରେ ଏହି ସଂଘର୍ଷ ବିଷୟରେ ଲେଖିଛନ୍ତି ଏବଂ ଏକ ଜଣାଶୁଣା ପତ୍ରିକା ଦ୍ୱାରା ପୁସ୍ତକ ଉପରେ ଏକ ପ୍ରବନ୍ଧ ପ୍ରକାଶିତ ହୋଇଛି।

ରାହୁଲ ଗାନ୍ଧୀ ଉକ୍ତ ପତ୍ରିକାର ଏକ କପି ନେଇ ବାରମ୍ବାର ଏହା ଉପରେ ଆଲୋଚନା ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ଏବଂ ସୀମାରେ ଚୀନ୍‌ର ପ୍ରଭାବ ବିସ୍ତାର ସଂପର୍କରେ କହିଥିଲେ। ତେବେ ଶାସକ ଦଳ ପକ୍ଷରୁ ଏହାର ଜୋର୍‌ଦାର ବିରୋଧ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଯୁକ୍ତି ବାଢ଼ିଥିଲେ ଯେ ପୁସ୍ତକ ଏପର୍ଯ୍ୟନ୍ତ ଆନୁଷ୍ଠାନିକଭାବେ ପ୍ରକାଶିତ ହୋଇନାହିଁ। ତେଣୁ ଗୃହରେ ଏହାକୁ ଉଦ୍ଧୃତ କରାଯାଇପାରିବ ନାହିଁ। ତେବେ କଂଗ୍ରେସ ଏହାକୁ ବିରୋଧ କରି କହିଥିଲେ ଯେ, ସେ ଯେଉଁ ଦସ୍ତାବିଜ ବିଷୟରେ କହୁଛନ୍ତି ତାହା ପ୍ରାମାଣିକ ଏବଂ ଏଥିରୁ ଉଦ୍ଧୃତ କରିବାର ଅଧିକାର ତାଙ୍କର ଅଛି। ସେ କହିଛନ୍ତି ଯେ, ସେ ପ୍ରଥମେ ଏହି ପ୍ରସଙ୍ଗ ଉଠାଇବାକୁ ଚାହୁ ନ ଥିଲେ, କିନ୍ତୁ ବିତର୍କରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସ ଦଳର ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଇବା ପରେ ସେ ଏହା କରିବାକୁ ନିଷ୍ପତ୍ତି ନେଇଥିଲେ।

ରାଜନାଥ ସିଂହ କହିଥିଲେ ଯେ, ଏହି ପୁସ୍ତକ ପ୍ରକାଶିତ ହୋଇନାହିଁ। ତେଣୁ ଏହାକୁ ସଂସଦୀୟ ପ୍ରକ୍ରିୟାକୁ ଅଣାଯାଇପାରିବ ନାହିଁ। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହାର ଜବାବ ଦେଇଛନ୍ତି। ମୁଁ  ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ଭାଷଣକୁ ଧ୍ୟାନର ସହ ଶୁଣିଛି। କୌଣସି ସମୟରେ ସେ ବିରୋଧୀଙ୍କ ଜାତୀୟତାବାଦ କିମ୍ବା ଚରିତ୍ର ଉପରେ ପ୍ରଶ୍ନ କରିନାହାନ୍ତି ବୋଲି ଶାହ କହିଥିଲେ। ସେ କହିଥିଲେ ଯେ, ସୂର୍ଯ୍ୟ ତାଙ୍କ ଭାଷଣରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଜାତୀୟତାବାଦ, ଦେଶର ସଂସ୍କୃତି ଓ ଭାଷା ବିଷୟରେ କହିଥିଲେ। କିନ୍ତୁ ସେ କୌଣସି ସ୍ଥାନରେ ବିରୋଧୀଙ୍କ ଜାତୀୟତାବାଦ କିମ୍ବା ଚରିତ୍ର ଉପରେ ପ୍ରଶ୍ନ କରିନାହାନ୍ତି। ଦ୍ୱିତୀୟତଃ, ବିରୋଧୀ ଦଳର ନେତାମାନେ କହୁଛନ୍ତି ଯେ, ସେମାନଙ୍କୁ କହିବାକୁ ଦିଆଯାଉ ନାହିଁ, ସେମାନେ ନିଜେ ନିୟମ ୩୮୯ ଉଲ୍ଲଂଘନ କରୁଛନ୍ତି।

ନିୟମ ଉଲ୍ଲଂଘନ କରିଛନ୍ତି ବିରୋଧୀ ଦଳ ନେତା: ଶାହ
ହଟ୍ଟଗୋଳ ପରେ ଗୃହ ମୁଲତବୀ

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏଥିରେ ହସ୍ତକ୍ଷେପ କରି ସଂସଦୀୟ ନିୟମ ଦର୍ଶାଇଥିଲେ, ଯେଉଁଥିରେ ଗୃହ ପ୍ରକ୍ରିୟା ସହ ସିଧାସଳଖ ଜଡିତ ନ ଥିବା ପ୍ରସଙ୍ଗରେ ବହି କିମ୍ବା ଖବରକାଗଜରୁ ଉଦ୍ଧୃତ କରିବାକୁ ବାରଣ କରାଯାଇଛି। ରାହୁଲ କହିଥିଲେ ବାଚସ୍ପତି ସାର୍, ଦୟାକରି ମୋତେ କୁହନ୍ତୁ କେଉଁ ନିୟମରେ ମୁଁ ଭାରତ-ଚୀନ୍ ସମ୍ପର୍କ ଉପରେ କହିପାରିବି ନାହିଁ। ପ୍ରତିରକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆମ ଦଳ, ଦଳର ନେତା ଓ ଆମର ଜାତୀୟତାବାଦ ଉପରେ ପ୍ରଶ୍ନ ଉଠାନ୍ତି। ଏହି ଆର୍ଟିକଲରେ ପ୍ରଧାନମନ୍ତ୍ରୀଙ୍କ ଚରିତ୍ର ବିଷୟରେ ଲେଖାଯାଇଛି- ଏହା ଚୀନ୍ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବିଷୟରେ ନୁହେଁ ବୋଲି ରାହୁଲ କହିଛନ୍ତି। ଲୋକସଭାରେ ବିପକ୍ଷ ଦଳ ନେତାଙ୍କ ପ୍ରଶ୍ନର ଉତ୍ତରରେ ବାଚସ୍ପତି କହିଛନ୍ତି, ଆଲୋଚନା ପାଇଁ ତାଲିକାଭୁକ୍ତ ହୋଇଥିବା ବିଷୟଗୁଡ଼ିକରେ ଭାରତ କିମ୍ବା ଚୀନ୍ ଅନ୍ତର୍ଭୁକ୍ତ ନୁହେଁ। ଆମେ ସମସ୍ତେ ସଦନ ଓ ଦେଶର ମର୍ଯ୍ୟାଦାକୁ ବଜାୟ ରଖିବା ଉଚିତ। ଦେଶର ସମ୍ମାନକୁ କ୍ଷତି ପହଞ୍ଚାଇବା ଭଳି ପ୍ରସଙ୍ଗ ଆପଣ ଉଠାଇବେ ନାହିଁ ବୋଲି ଆଶା କରାଯାଉଛି। ଏହାର ଉତ୍ତରରେ ରାହୁଲ କହିଛନ୍ତି, ତେବେ ଆପଣ କହୁଛନ୍ତି କି ରାଷ୍ଟ୍ରପତିଙ୍କ ଅଭିଭାଷଣର ଅନ୍ତର୍ଜାତୀୟ ସମ୍ପର୍କ ସହିତ କୌଣସି ସମ୍ପର୍କ ନାହିଁ?

 

ଆମେ ପାକିସ୍ତାନ, ଚୀନ୍ କିମ୍ବା ଅନ୍ୟ କୌଣସି ଦେଶ ବିଷୟରେ କହିପାରିବୁ ନାହିଁ? ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସରକାର ବିରୋଧୀ ଦଳକୁ ତାଙ୍କ ଭାଷଣ ଶେଷ କରିବାକୁ ଅନୁମତି ଦେଉନାହାନ୍ତି। ହଟ୍ଟଗୋଳ ତୀବ୍ର ହେବାରୁ ବାଚସ୍ପତି ବିର୍ଲା ଶେଷରେ ଲୋକସଭାକୁ ମୁଲତବୀ ରଖିଥିଲେ। ଏହା ପୂର୍ବରୁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରୁଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଉପରେ ତୀବ୍ର ଆକ୍ରମଣ କରିଥିଲେ। ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସମୟକୁ ‘ହଜିଯାଇଥିବା ସୁଯୋଗର ଦଶନ୍ଧି’ ବୋଲି ବର୍ଣ୍ଣନା କରିଥିଲେ। ସେ ଯୁକ୍ତି କରିଥିଲେ ଯେ, ‘ଦୁର୍ବଳ ନେତୃତ୍ୱ’ ଓ ‘ମହାନ ନେତୃତ୍ୱ’ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଭାବରେ କଂଗ୍ରେସ ଓ ବିଜେପିକୁ ପୃଥକ୍ କରିଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button