ବାଣିଜ୍ୟମହାନଗର

Railway grant in central budget: କେନ୍ଦ୍ର ବଜେଟ୍‌ରେ ରେଳ ଅନୁଦାନ: ଓଡ଼ିଶାକୁ ୧୦,୯୨୮ କୋଟି, ୯୦,୬୫୯ କୋଟିର ପ୍ରକଳ୍ପ ଜାରି ରହିଛି

ଲଗାତାର ଚତୁର୍ଥ ଆର୍ଥିକ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ମିଳିଛି। ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ୧୦ ହଜାର ୯୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି....

ଭୁବନେଶ୍ବର/ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ଆର୍ଥିକ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ମିଳିଛି। ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ୧୦ ହଜାର ୯୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହାକି ଓଡ଼ିଶା ରେଳ ଇତିହାସରେ ଏକ ରେକର୍ଡ। ଏହା ପୂର୍ବରୁ କୌଣସି ବି କେନ୍ଦ୍ର ସରକାରଙ୍କ ସମୟରେ ଓଡ଼ିଶାକୁ ଏତେ ଟଙ୍କା ମିଳି ନ ଥିଲା। ଏମିତିକି ୨୦୨୫-୨୬ ଆର୍ଥିକ ବର୍ଷ ତୁଳନାରେ ଏଥର ଅଧିକ ୩୨୯ କୋଟି ଟଙ୍କା ମିଳିଛି। ଏବେ ଓଡ଼ିଶାରେ ୯୦ହଜାର ୬୫୯ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଯେଉଁଥିରେ ନୂତନ ଲାଇନ ନିର୍ମାଣ, ଦୋହରୀକରଣ ଓ କ୍ଷମତା ବୃଦ୍ଧି, ଷ୍ଟେସନ ପୁନଃବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୃଦ୍ଧି, ଓଡ଼ିଶାର ସମସ୍ତ ଅଞ୍ଚଳରେ ସମାବେଶୀ ଅଭିବୃଦ୍ଧି, ଉନ୍ନତ ସଂଯୋଗୀକରଣ ସୁନିଶ୍ଚିତ କରିବା ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକ ରହିଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ, ଯେତେବେଳେ ୨୦୨୪ରେ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଆରମ୍ଭ ହୋଇଥିଲା ସେତେବେଳେ ଆମେ ପ୍ରତିଶ୍ରୁତି ଦେଇଥିଲୁ ୫ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାମ କରାଯିବ। ତାହାକୁ ଲକ୍ଷ୍ୟରେ ରଖି ଆମେ ଅଗ୍ରସର ହେଉଛୁ। ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ହଜାର କୋଟି ଟଙ୍କାର ଅନୁଦାନ ମିଳିବା କଷ୍ଟକର ହୋଇପଡ଼ୁଥିଲା। ତେବେ ଗତ କିଛି ବର୍ଷର ପରିସଂଖ୍ୟାନ ଓଲଟାଇଲେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦ ହଜାର ୫୮୬ କୋଟି, ୨୦୨୩-୨୪ରେ ୧୦ ହଜାର ୧୨ କୋଟି, ୨୦୨୨-୨୩ରେ ୯ ହଜାର ୭୩୪ କୋଟି, ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ୫,୫୨୮ କୋଟି ଟଙ୍କା ପାଇଥିଲା। ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୨୬କୁ ବିଚାରକୁ ନେଲେ ରେଳ ବଜେଟ୍‌ ଅନୁଦାନ ବହୁ ପରିମାଣ ବୃଦ୍ଧି ଘଟିଛି। କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ସମୟରେ ରେଳବାଇରେ ବାର୍ଷିକ ହାରାହାରି ୮୩୮କୋଟି ଟଙ୍କା ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ରର ବିଜେପି ସରକାର ସମୟରେ ବଜେଟ୍‌ ବଢ଼ିଚାଲିଛି। ୨୦୦୯-୧୪ ତୁଳନାରେ ଏଥରର ବଜେଟ୍‌ ୧୩ ଗୁଣ ଅଧିକ ହୋଇଛି।

୯୦,୬୫୯ କୋଟିର ପ୍ରକଳ୍ପ ଜାରି ରହିଛି
୧୧ ବର୍ଷରେ ୨୨୦୦ କିମି ‌ନୂଆ ଟ୍ରାକ୍‌
୫ ଷ୍ଟେସନ୍‌ର ନିର୍ମାଣ କାର୍ଯ୍ୟ ଶେଷ

ଅମୃତ ଷ୍ଟେସନ୍‌ ଯୋଜନା ଅଧୀନରେ ୨,୪୩୯ କୋଟି ଟଙ୍କା ବିନିଯୋଗରେ ଓଡ଼ିଶାରେ ୫୯ଟି ଷ୍ଟେସନ୍‌କୁ ବ୍ୟାପକ ପୁନଃବିକାଶ ପାଇଁ ଚିହ୍ନଟ ହୋଇଛି। କଟକ(ଦ୍ୱିତୀୟ ପ୍ରବେଶଦ୍ୱାର), ବାରିପଦା, ବରପାଲି, ବିମଲଗଡ଼, ପାରଳାଖେମୁଣ୍ଡି ଓ ତାଳଚେର ଭଳି ଷ୍ଟେସନ୍‌ କାର୍ଯ୍ୟ ଶେଷ ହୋଇଛି, ଯାହାକି ଯାତ୍ରୀ ସୁବିଧା ଓ ଷ୍ଟେସନ୍‌ ସୌନ୍ଦର୍ଯ୍ୟକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିଛି। ଭୁବନେଶ୍ବର, ପୁରୀ, କଟକ ଷ୍ଟେସନର ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଓଡ଼ିଶା‌ରେ ୬ଟି ଲେଖାଏଁ ବନ୍ଦେ ଭାରତ ଓ ଅମୃତ ଭାରତ ଏକ୍ସପ୍ରେସ୍‌ ଚାଲୁଛି। ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ହାରାହାରି ୨୦୦ କିମି ନୂତନ ଟ୍ରାକ୍‌ ବିଛାଯାଇଛି, ଯାହାକି ୨୦୦୯-୧୪ ତୁଳନାରେ ୩.୫ ଗୁଣ ଅଧିକ। ଓଡ଼ିଶାରେ ୧୫୫୯ କିମି ରେଳ ଲାଇନ୍‌ ବିଦ୍ୟୁତୀକରଣ ହୋଇଛି, ଯାହାକି ଶତପ୍ରତିଶତ ସଫଳତା। ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ୨,୨୦୦ କିମି ନୂତନ ଟ୍ରାକ୍‌ ନିର୍ମାଣ ହୋଇଛି। ଫଳରେ ମାଲେସିଆ ଭଳି ଦେଶଠାରୁ ଓଡ଼ିଶାର ରେଳ ନେଟ୍‌ୱର୍କ ଅଧିକ। ଏଥିସହିତ ରାଜ୍ୟରେ ୯୦ ହଜାର କୋଟି ଟଙ୍କା ନିବେଶରେ ନୂତନ ରେଳ ପ୍ରକଳ୍ପ ନିର୍ମାଣ ଚାଲିଛି ଏବଂ କେତେକ ପ୍ରକଳ୍ପକୁ ମଞ୍ଜୁରି ମଧ୍ୟ ମିଳିଛି। ସୁରକ୍ଷା ବୃଦ୍ଧି ଓ ନିରବଚ୍ଛିନ୍ନ ସଡ଼କ ରେଳ ଚଳାଚଳ ସୁନିଶ୍ଚିତ କରିବାକୁ ୬୩୨ଟି ସଡ଼କ ଓଭରବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ ହୋଇଛି। କବଚ ଭଳି ଉନ୍ନତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କ୍ରମାଗତ ଭାବରେ କାର୍ଯ୍ୟକାରୀ କରାଯାଉଛି, ଯାହାକି ଟ୍ରେନ୍ ପରିଚାଳନା ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।

 

ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଲେ ବର୍ତ୍ତମାନ ରାଜ୍ୟରେ ଜମି ଅଧିଗ୍ରହଣ, ପରିବେଶ ଓ ଜଙ୍ଗଲ ମଞ୍ଜୁରି ଭଳି ପ୍ରସଙ୍ଗରେ ବାଧକତା ନାହିଁ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନ ରହିଛି ଓ ରାଜ୍ୟରେ ରେଳ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବହୁତ ସହଯୋଗ ମିଳୁଛି। ଓଡ଼ିଶାରେ ଚାଲିଥିବା ଡବଲ ଇଞ୍ଜିନ୍‌ ସରକାର ବହୁତ ଫୋକସ୍‌ରେ କାମ କରୁଛି। ଚାଲୁଥିବା ପ୍ରକଳ୍ପ ଭାରତର ରେଳ ନେଟୱର୍କରେ ଏକ ପ୍ରମୁଖ ଭାଗିଦାରୀ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ ଏବଂ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ଏବଂ ଅନ୍ୟାନ୍ୟ ବରିଷ୍ଠ ରେଳ ଅଧିକାରୀମାନେ ରେଳ ସଦନରେ ଉପସ୍ଥିତ ରହି ରେଳ ବଜେଟ୍‌ ସମ୍ପର୍କରେ ସୂଚନା ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button