Rain: ପଶ୍ଚିମା ଝଡ଼ ପ୍ରଭାବ, ଅଧା ଓଡ଼ିଶାରେ ବର୍ଷା

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଅଧା ଓଡ଼ିଶାରେ ଆଜି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବି ଅନୁଭୂତ ହୋଇଛି। ଗୋଟିଏ ବି ଦୁଇଟି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ ପ୍ରଭାବ ଜାରିରହିବ। ଆସନ୍ତାକାଲି ବି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ତେଣୁ ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ସମୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

ମୟୂରଭଞ୍ଜ, କେନ୍ଦୁଝରଗଜପତି, କୋରାପୁଟ, ସମ୍ବଲପୁର, ନୂଆପଡ଼ା, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାରେ ସାମାନ୍ୟ ଅଧିକ ବର୍ଷା ରେକର୍ଡ ହୋଇଛି। ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ କୁଆପଥର ବର୍ଷା ମଧ୍ୟ ହୋଇଛି। ପ୍ରଭାବରେ ଗଛ ଭାଙ୍ଗିବା ସହ ଭୁବନେଶ୍ବରରେ ହୋଡିଂ ଭାଙ୍ଗି ଲୋକଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ସର୍ବାଧିକ ୪୦.୪ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୨୯.୪ ମିିମି, ଗଜପତି ଜିଲ୍ଲାର ଆର୍. ଉଦୟଗିରିରେ ୨୮.୨ମିମି, ଭୁବନେଶ୍ବରରେ ୧୭.୬ମିମି, କୋରାପୁଟ ଜିଲ୍ଲା ପଟାଙ୍ଗିରେ ୧୧.୨ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବାରିପଦା, ପାରାଦୀପ, ଦାରିଙ୍ଗବାଡ଼ି ଓ ବଲାଙ୍ଗୀର ସହରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପୂର୍ବ ଆଡ଼କୁ ଗତି କରିବା ସହ ଆସନ୍ତାକାଲି ସୁଦ୍ଧା ଦୁର୍ବଳ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ, ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉଚ୍ଚରେ ଉତ୍ତର ଉପକୂଳ ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଜାରି ରହିଛି। ବୁଧବାର ଲଘୁଚାପ ଦୁର୍ବଳ ହେବା ଫଳରେ ରାଜ୍ୟରେ ପାଗ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରା ପୁଣିଥରେ ଖସିବା ଆରମ୍ଭ କରିବ ଏବଂ ଆସନ୍ତା ୩ ଦିନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ।

ସୌଜନ୍ୟ ସମ୍ବାଦ