Rare Surgery:ଉପଖଣ୍ଡ ଚିକିତ୍ସାଳୟରେ ବିରଳ ସଫଳ ଅସ୍ତ୍ରୋପଚାର: ଆଣ୍ଠୁରୁ ବାହାରିଲା ସାଇକେଲ ବ୍ରେକ୍ ଖଣ୍ଡ

ଏକ ବିରଳ ଅସ୍ତ୍ରୋପଚାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ପନ୍ନ ହୋଇଛି। ଆଣ୍ଠୁ ଭିତରୁ ଅସ୍ତ୍ରୋପଚାର କରି ବାହାର କରାଯାଇଛି ସାଇକେଲର ବ୍ରେକ ଖଣ୍ଡ। ତୁରନ୍ତ ଅସ୍ତ୍ରୋପଚାର ଯୋଗୁ ନାବାଳକ ବିପଦମୁକ୍ତ ହୋଇଛନ୍ତି....

ରାଇରଙ୍ଗପୁର:  ଏକ ବିରଳ ଅସ୍ତ୍ରୋପଚାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ପନ୍ନ ହୋଇଛି। ଆଣ୍ଠୁ ଭିତରୁ ଅସ୍ତ୍ରୋପଚାର କରି ବାହାର କରାଯାଇଛି ସାଇକେଲର ବ୍ରେକ ଖଣ୍ଡ। ତୁରନ୍ତ ଅସ୍ତ୍ରୋପଚାର ଯୋଗୁ ନାବାଳକ ବିପଦମୁକ୍ତ ହୋଇଛନ୍ତି। ଡାକ୍ତରଙ୍କ ସଫଳ ସର୍ଜରୀ ପାଇଁ ନାବାଳକ ବଡ ବିପଦରୁ ବର୍ତ୍ତିଛନ୍ତି। ଉପଖଣ୍ଡ ଅର୍ଥପେଡିକ୍ ବିଭାଗର ଜଣେ ଡାକ୍ତର ଅସ୍ତ୍ରୋପଚାର କରି ଆଣ୍ଠୁ ଭିତରୁ ସାଇକେଲ ବ୍ରେକ ଖଣ୍ଡ ବାହାର କରିଛନ୍ତି।

ଆଣ୍ଠୁ ଚକିରେ ପଶି ରହିଥିଲା

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଉପରବେଡା ଗ୍ରା.ପ ଦୁବଲାବେଡା ଗ୍ରାମର ରତିରଞ୍ଜନ ମହାନ୍ତଙ୍କ ପୁଅ ସୌମ୍ୟ ଶିବଜିତ ମହାନ୍ତ(୧୪) ସାଇକେଲ ଚଳାଉଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଫଳରେ ସାଇକେଲ ବ୍ରେକ ଖଣ୍ଡଟି ଭାଙ୍ଗି ଯାଇ ତାଙ୍କ ଡାହାଣ ଗୋଡ଼ ଆଣ୍ଠୁରେ ପଶି ଯାଇଥିଲା। ମାଂସପେଶୀକୁ ଭେଦ କରି ଆଣ୍ଠୁ ଚକି ଭିତରେ ପଶି ରହି ଯାଇଥିଲା। ଏହାସହିତ ୨/୩ଟି ରକ୍ତ ପ୍ରଶିରା କଟିଯାଇ ପ୍ରଚୁର ରକ୍ତସ୍ରାବ ହେଉଥିଲା।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦାୟିତ୍ୱରେ ଥିବା ଅସ୍ଥିଶଲ୍ୟ ବିଭାଗର ଡ଼ାକ୍ତର ଜୟଦେବ ପ୍ରଧାନ ସ୍ୱାସ୍ଥ୍ୟ ଯାଞ୍ଚ କରି ଆଣ୍ଠୁରେ ଏକ୍ସରେ କରିଥିଲେ। ରିପୋର୍ଟରୁ ଘଟଣା ବାବଦରେ ସମ୍ପୂର୍ଣ ତଥ୍ୟ ଜାଣିଥିଲେ। ବ୍ରେକ ଖଣ୍ଡଟି ଭିତରେ ରହିଥିବା ବେଳେ ଗୋଡ଼ ଚଳପ୍ରଚଳ ହୋଇ ପାରୁ ନଥିଲା । ଅବସ୍ଥା ଗୁରୁତର ଥିବାରୁ ଏସଡିଏମଓ ଡାକ୍ତର ରବୀନ୍ଦ୍ର କୁମାର ମାର୍ଣ୍ଡିଙ୍କୁ ଜଣାଇଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ଏବଂ ମହିଳା ଓ ପ୍ରସୂତି ବିଭାଗ ଡା. ପ୍ରମୋଦ ସାହୁଙ୍କ ସହଯୋଗ ଯୋଗୁ ପ୍ରସୂତି ବିଭାଗ ଓଟିରେ ଅସ୍ତ୍ରୋପଚାର କରାଯାଇଥିଲା।

ଡାକ୍ତର ଅଂଶୁମାନ ଦାସ ଓ ଅସ୍ଥିଶଲ୍ୟ ଡାକ୍ତର ଜୟଦେବ ପ୍ରଧାନ ମିଳିତ ଭାବେ ରାତ୍ରିରେ ଅସ୍ତ୍ରୋପଚାର କରିଥିଲେ। ପ୍ରଚୁର ରକ୍ତସ୍ରାବ ହେଉଥିବା ସତ୍ତ୍ୱେ ଆଣ୍ଠୁ ଚକି ମଧ୍ୟରୁ ବ୍ରେକ ଖଣ୍ଡକୁ ବାହାର କରିଥିଲେ। ବଡ଼ ବଡ଼ ହସ୍ପିଟାଲରେ ହେଉଥିବା ବିରଳ ଅସ୍ତ୍ରୋପଚାରକୁ ରାଇରଙ୍ଗପୁର ଭଳି ସ୍ଥାନରେ କରି ଉଭୟ ଡାକ୍ତର ନାବାଳକଙ୍କୁ ବିପଦ ମୁକ୍ତ କରିଛନ୍ତି।

ଅସ୍ତ୍ରୋପଚାର ହୋଇ ନଥିଲେ ନାବାଳକ ଜଣକ ଚଳପ୍ରଚଳ ଶକ୍ତି ହରାଇବା ସହ ପ୍ରଚୁର ରକ୍ତସ୍ରାବ ହୋଇ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଥିଲା ବୋଲି ଅସ୍ଥିଶଲ୍ୟ ବିଭାଗ ଡାକ୍ତର ଜୟଦେବ ପ୍ରଧାନ କହିଛନ୍ତି।

ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ସମ୍ପୃକ୍ତ ଅସ୍ତ୍ରୋପଚାର ଯୋଗୁ ଡାକ୍ତର ଜୀବନ ରକ୍ଷା କରିପାରିଥିବାରୁ ତାଙ୍କୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version