Rath yatra: ବୁଦ୍ଧି ଶିଖିଲେ: ଏଥର ୨ ସେଟ୍ ଚାରମାଳ, ଗତଥର ଦଳାଚକଟାର ମୁଖ୍ୟ କାରଣ ଥିଲା ଚାରମାଳ ଗାଡ଼ି
ଗତବର୍ଷ ରଥଯାତ୍ରା ସମୟରେ ଯେଉଁ ଦଳାଚକଟା ହୋଇଥିଲା, ତା’ର ମୁଖ୍ୟ କାରଣ ଥିଲା ଚାରମାଳ ଟ୍ରକ୍। ଏହି ଘଟଣାରୁ ପ୍ରଶାସନ ବୁଦ୍ଧି ଶିଖିଛି। ଏଥର ଶ୍ରୀମନ୍ଦିର ପାଖରୁ ଆଉ ଚାରମାଳ ବୁହାଯିବନି।

ପୁରୀ: ଗତବର୍ଷ ରଥଯାତ୍ରା ସମୟରେ ଯେଉଁ ଦଳାଚକଟା ହୋଇଥିଲା, ତା’ର ମୁଖ୍ୟ କାରଣ ଥିଲା ଚାରମାଳ ଟ୍ରକ୍। ଏହି ଘଟଣାରୁ ପ୍ରଶାସନ ବୁଦ୍ଧି ଶିଖିଛି। ଏଥର ଶ୍ରୀମନ୍ଦିର ପାଖରୁ ଆଉ ଚାରମାଳ ବୁହାଯିବନି। ବରଂ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଆଉ ଏକ ଚାରମାଳର ସେଟ୍ ରଖାଯିବ। ଅର୍ଥାତ୍ ଚଳିତ ଥର ଦୁଇଟି ଚାରମାଳ ସେଟ୍ ହେବ। ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦୁଇଟି ଯାକ ସେଟ୍ ବନବିଭାଗ ପ୍ରଦାନ କରିବ। ଏ ବାବଦରେ ଆଜି ବୈଠକରେ ଆଭାସୀରେ ଉପସ୍ଥିତ ଥିବା ବନ ଅଧିକାରୀମାନଙ୍କୁ ସ୍ପଷ୍ଟ କରାଯାଇଛି।
ଗତଥର ଦଳାଚକଟାର ମୁଖ୍ୟ କାରଣ ଥିଲା ଚାରମାଳ ଗାଡ଼ି
ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ପ୍ରଥମ ତିନିଦିନ ଦେୟମୁକ୍ତ
ଏଥର ରଥଯାତ୍ରା ପ୍ରସ୍ତୁତିରେ ଯେଭଳି କୌଣସି ପ୍ରକାରର ଅବହେଳା ନ ହୁଏ ତାହା ଉପରେ ଗୁରୁତ୍ବାରୋପ କରାଯାଇଛି। ବିଶେଷ କରି ରଥ ସାମନାକୁ ଯେତେ ସମ୍ଭବ ଫାଙ୍କା ରଖାଯିବାକୁ ଯୋଜନା ହୋଇଛି। ଆସନ୍ତା ୨୩ ତାରିଖରେ ଶ୍ରୀପଞ୍ଚମୀ ତିଥିରେ ରଥକାଠ ପୂଜା ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ସମ୍ପୃକ୍ତ ସିସିଏଫ୍ ଓ ଡିଏଫ୍ଓମାନଙ୍କ ସହ ମୁଖ୍ୟ ପ୍ରଶାସକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ କରିଥିବା ଆଭାସୀ ଆଲୋଚନାରେ ରଥକାଠ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଗତବର୍ଷରୁ ୪୭ଟି କାଠ ବଳିଥିବାରୁ ଏଥର ୮୧୮ ଖଣ୍ଡ ନୂଆ କାଠର ଆବଶ୍ୟକତା ରହିଛି। ୪୦୨ ଖଣ୍ଡ କଟକ ଖପୁରିଆ ସ-ମିଲ୍କୁ ଯିବାକୁ ଥିବା ବେଳେ ରଥଖଳାକୁ ୪୧୬ ଖଣ୍ଡ ଆସିବ। ଏଥିପାଇଁ ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।
ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରସ୍ତୁତ ହେଉଛି। ମନ୍ଦିରର ଉତ୍ତର ପାର୍ଶ୍ୱ ଗୁମୁଟକୁ ନୂଆ ରୂପ ଦିଆଯାଉଛି। ତିନିପାର୍ଶ୍ବର ମଧ୍ୟ ନବୀକରଣ କରାଯାଉଛି। ଗଜପତିଙ୍କ ଅଧ୍ୟକ୍ଷତାରେ କମିଟି ତଦାରଖ କରୁଛି। ଏଠାରେ ଚାଲିଥିବା ସମସ୍ତ ପ୍ରକଳ୍ପକୁ ଏପ୍ରିଲ୍ ସୁଦ୍ଧା ସାରିବାକୁ ଠିକା ସଂସ୍ଥାକୁ କୁହାଯାଇଛି। ଏଥର ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିଛି। କୌଣସି ଘରୋଇ ସଂସ୍ଥା ନୁହେଁ, ବରଂ ଏହି ଶୁଳ୍କ ନିଜେ ଶ୍ରୀମନ୍ଦିର ପ୍ରଶାସନ ଆଦାୟ କରିବ। ବୟସ୍କ, ଦିବ୍ୟାଙ୍ଗ, ଶିଶୁଙ୍କ ପାଇଁ ପ୍ରବେଶ ଦେୟମୁକ୍ତ ରହିବ। ମୋବାଇଲ ଷ୍ଟାଣ୍ଡ, ଜୋତା ଷ୍ଟାଣ୍ଡ, କ୍ଲୋକ୍ ରୁମ୍ ମଧ୍ୟ ଦେୟମୁକ୍ତ ହେବ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ତିନି ଦିନ ସମସ୍ତଙ୍କ ପାଇଁ ଦେୟମୁକ୍ତ ରହିବ ବୋଲି କୁହାଯାଇଛି।
ସୌଜନ୍ୟ ସମ୍ବାଦ




