ଭୁବନେଶ୍ବର: ୨୦୨୭ରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ନିର୍ବାଚନ। ଆହୁରି ବର୍ଷାଧିକ ସମୟ ରହିଛି। ହେଲେ କର୍ପୋରେଟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗୋଟିଏ କି ଦୁଇଟି ୱାର୍ଡ ନୁହେଁ, ବରଂ ଭୁବନେଶ୍ବରର ସମସ୍ତ ତିନିଟି ଯାକ ନିର୍ବାଚନମଣ୍ଡଳୀର ୱାର୍ଡଗୁଡ଼ିକରେ ସମାନ ଚିତ୍ର ଦେଖିବାକୁ ମିଳୁଛି। ଗଳିକନ୍ଦିରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ, ସବୁଠି ଛାଇଯାଇଛି ଆଶାୟୀଙ୍କ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା। ଶୁଭେଚ୍ଛା ଆଳରେ ଆଶାୟୀମାନେ ନିଜର ଦବଦବା ଜାହିର କରିଛନ୍ତି। କିଏ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋ ଲଗାଇ ବ୍ୟାନର ଲଗାଇଛନ୍ତି ତ ଆଉ କିଏ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଫଟୋକୁ ବ୍ୟାନର୍ରେ ସ୍ଥାନ ଦେଇଛନ୍ତି। କେହି କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। କିଛି ଜଣଙ୍କର ମେୟର ପଦବି ଉପରେ ଆଖି ରହିଛି। ତେଣୁ ସେମାନେ ସହରର ପ୍ରତି ୱାର୍ଡରେ ବ୍ୟାନର ଲଗାଇଛନ୍ତି। ଅଳ୍ପ କିଛି ସ୍ଥାନରେ ଭୁବନେଶ୍ବର ମେୟର, ବିଜେଡି ବିଧାୟକ ଓ କର୍ପୋରେଟରମାନଙ୍କ ବ୍ୟାନର ଲାଗିଛି। କାଁ ଭାଁ ସ୍ଥାନରେ କଂଗ୍ରେସ ଭୁବନେଶ୍ବର ଜିଲ୍ଲା ସଭାପତିଙ୍କ ବ୍ୟାନର ଦେଖିବାକୁ ମିଳୁଛି।
ବିଜେପିରୁ ପ୍ରାର୍ଥୀ ହେବାକୁ ପ୍ରତି ୱାର୍ଡରେ ଏକାଧିକ ଆଶାୟୀଙ୍କ ବ୍ୟାନର୍ ଲାଗିଛି। ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେପିର ବିଧାୟକ ରହିଥିବାରୁ ଏହି ଦଳରୁ କର୍ପୋରେଟର ପ୍ରାର୍ଥୀ ହେବାକୁ ସମସ୍ତେ ସୁରକ୍ଷିତ ମଣୁଛନ୍ତି। ଉତ୍ତର ଓ ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ହୋଇଥିଲେ ମଧ୍ୟ ବିଜେପି ଆଶାୟୀଙ୍କ ସଂଖ୍ୟା କିଛି ବି କମ୍ ନାହିଁ। ଯେହେତୁ ବିଜେପି ଉଭୟ ରାଜ୍ୟ ଓ ଦେଶରେ କ୍ଷମତାରେ ରହିଛି ତେଣୁ ସ୍ବାଭାବିକ ଭାବେ ଅଞ୍ଚଳରେ ପତିଆରା ଜାହରି କରିବାକୁ ଆଶାୟୀମାନେ ବ୍ୟାନର ମାରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ୨୦୨୩ ବିଏମ୍ସି ନିର୍ବାଚନରେ ପରାଜିତ ହୋଇଥିବା ବିଜେପିର କର୍ପୋରେଟର୍ ପ୍ରାର୍ଥୀମାନେ ସାଂସଦ ଅପରାଜିତାଙ୍କ ଫଟୋ ଥିବା ବ୍ୟାନର ଲଗାଇ ଶୁଭେଚ୍ଛା ଜଣାଇଛନ୍ତି।
ବିଜେଡି ଆଶାୟୀଙ୍କ ଶୁଭେଚ୍ଛା ବାର୍ତ୍ତା କମିଲା
କାଁ ଭାଁ ସ୍ଥାନରେ ଦେଖିବାକୁ ମିଳୁଛି କଂଗ୍ରେସ
ବିଜେପି ଜିଲ୍ଲା କମିଟିରେ ସ୍ଥାନ ପାଇଥିବା ଯୁବ, ଛାତ୍ର, ମହିଳା କର୍ମକର୍ତ୍ତାଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଗତ ସାଧାରଣ ନିର୍ବାଚନ ସମୟରେ ଯେଉଁ ୱାର୍ଡରେ ବିଜେଡି ପ୍ରାର୍ଥମାନେ ବହୁ କମ୍ ଭୋଟ ବ୍ୟବଧାନରେ ଆଗରେ ଥିଲେ ସେଠାରେ ବିଜେପିରୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ସବୁ ଗଳି କନ୍ଦିରେ ବିଜେପି ଆଶାୟୀଙ୍କ ବ୍ୟାନର୍ ଦେଖିବାକୁ ମିଳୁଛି। ଅଧିକାଂଶ ୱାର୍ଡରେ ଏକାଧିକ କର୍ପୋରେଟର ଆଶାୟୀ ଶୁଭେଚ୍ଛା ବ୍ୟାନର ଲଗାଇଥିବାରୁ ବିଜେପି ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କ ଚିନ୍ତା ବି ବଢ଼ିଗଲାଣି। କିଏ ସାଂସଦଙ୍କ ସମର୍ଥକ ଓ କିଏ ବିଧାୟକ/ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ, ତାହାକୁ ନେଇ ବି ଅଙ୍କକଷା ଚାଲିଛି।
ଅନ୍ୟପକ୍ଷରେ ବିଜେଡିର ଛାତ୍ର, ଯୁବ, ମହିଳା ସଙ୍ଗଠନରେ ସଦସ୍ୟ ଥିବା ବ୍ୟକ୍ତିବିଶେଷ ବ୍ୟାନର ଲଗାଇବାକୁ ଏଥର ସେତେଟା ଆଗ୍ରହ ପ୍ରକାଶ କରିନାହାନ୍ତି। ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ବ୍ୟାନର ସହରର ପ୍ରମୁଖ ସ୍ଥାନରେ ଲାଗିଛି। ବିଜେଡି କର୍ପେରରେଟରମାନେ ସ୍ଥାନୀୟ ବିଧାୟକଙ୍କ ଫଟୋ ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ବ୍ୟାନର କାଁ ଭାଁ ସ୍ଥାନରେ ଲଗାଇଛନ୍ତି। ବିଜେଡି ସଦସ୍ୟ ରହିଥିବା କିଛି କର୍ମକର୍ତ୍ତା ବ୍ୟାନର ଟାଙ୍ଗି ପ୍ରାର୍ଥୀ ହେବାକୁ ପରୋକ୍ଷରେ ଦାବି ଉପସ୍ଥାପିତ କରିଛନ୍ତି।
ଏ ତ ଗଲା ବ୍ୟାନର ଓ ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତାର କଥା। ପ୍ରାର୍ଥୀ ହେବାକୁ ଗୋଡ଼ କାଢ଼ିଥିବା ବ୍ୟକ୍ତିମାନେ ଚାରିଦିନ ହେଲା ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଘରେ ଡେରା ପକାଇଛନ୍ତି। ଫୁଲ ତୋଡ଼ା ବଦଳରେ ଗଛ ଉପହାର ଦେବା ସହ ମିଠା ନେଇ ନେତାଙ୍କ ବାସଭବନରେ ପହଞ୍ଚି ଯାଉଛନ୍ତି। କେହି କେହି କର୍ମୀମାନଙ୍କୁ ସାଙ୍ଗରେ ନେଇ ନେତାଙ୍କ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଭୁବନେଶ୍ବର ତିନି ବିଧାୟକ ଯଥା ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ବାବୁ ସିଂହଙ୍କ ବାସଭବନ ସମ୍ମୁଖରେ ପ୍ରତିଦିନ ଭିଡ଼ ଜମୁଛି।
ସୌଜନ୍ୟ ସମ୍ବାଦ