Breaking News

ଜିରା ଦରରେ ​ରେକର୍ଡ ବୃଦ୍ଧି: ବର୍ଷକରେ ବଢ଼ିଲାଣି ୫ଶହ; କିଲୋ ୭ଶହ ଟଙ୍କା

0

କଟକ : ଖୋଲା ବଜାରରେ ଜିରା କିଲୋ ୭୦୦ ଟଙ୍କା ଛୁଇଁଛି। ଗଲାବର୍ଷ ଏହି ସମୟରେ ଜିରା କିଲୋ ୨୦୦ ଟଙ୍କା ଥିବା ବେଳେ ବର୍ଷକ ଭିତରେ ଜିରା କିଲୋ ପିଛା ୫୦୦ ଟଙ୍କା ବୃଦ୍ଧି ପାଇଛି। ଏହି କାରଣରୁ ମାଲଗୋଦାମରେ ମାସକୁ ଜିରା ବିକ୍ରି ୬୦ ଟନ୍ ହ୍ରାସ ପାଇଛି। ଏଭଳି ମୂଲ୍ୟ ବୃଦ୍ଧି ଯୋଗୁ ଗ୍ରାହକ ଜିରା କିଣୁନାହାନ୍ତି।

ମାଲଗୋଦାମ ଜିରା ବ୍ୟବସାୟୀଙ୍କ ତଥ୍ୟ ଅନୁଯାୟୀ, ଜିରାର ପାଇକାରୀ ମୂଲ୍ୟ ୨୦୨୨ ଜୁନରେ ୧୫୦ଟଙ୍କା ଥିଲା। ଚଳିତ ବର୍ଷ ଜାନୁଆରିରେ ଜିରା କିଲୋ ୩୦୦ ଟଙ୍କା ଛୁଇଁଲା। ଫେବ୍ରୁଆରିରେ ୩୩୦, ମାର୍ଚ୍ଚରେ ୩୭୦, ଏପ୍ରିଲରେ ୩୯୦, ମେରେ ୪୦୦, ଜୁନ ୮ ତାରିଖ ଗୁରୁବାର ୪୮୦ ଟଙ୍କାରେ ପହଞ୍ଚିଛି। କିନ୍ତୁ ଖୋଲା ବଜାରରେ ଜିରା ଜୁନ୍‌ ୮ ତାରିଖରେ କେଜି ପିଛା ୭୦୦ ଟଙ୍କାରେ ବିକ୍ରି କରାଯାଉଛି। କେବଳ ପତଞ୍ଜଳି କମ୍ପାନିର ଜିରା ଦର ୮୫୦ ଟଙ୍କା ଛୁଇଁଛି।

ଜିରାର ଏଭଳି ମୂଲ୍ୟ ବୃଦ୍ଧି ଯୋଗୁଁ ମାଲଗୋଦାମରେ ଏହାର ବଡ଼ଧରଣର ପ୍ରଭାବ ପଡ଼ିଛି। ମାଲଗୋଦାମକୁ ମାସିକ ୧୫୦ ଟନ୍ ଜିରା ଆମଦାନୀ ହୋଇଥାଏ। ଏହାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା। କିନ୍ତୁ ଗଲା ମେରେ ମାତ୍ର ୯୦ ଟନର ଜିରା କାରବାର ହୋଇଛି। ମୂଲ୍ୟ ବୃଦ୍ଧି ଯୋଗୁଁ ହଠାତ କାରବାର ୬୦ ଟନ୍ କମିଯାଇଥିବା ମାଲଗୋଦାମ ଜିରା ବ୍ୟବସାୟୀଙ୍କ ପକ୍ଷରୁ ସୂଚନା ମିଳିଛି।

୨୦୧୬ରେ ସର୍ବାଧିକ ଜିରା କିଲୋ ପିଛା ୨୩୦ ଟଙ୍କା ଥିଲା। କିନ୍ତୁ ଏହାଠାରୁ ଅଧିକ ମୂଲ୍ୟ କେବେ ହୋଇ ନଥିଲା। ୨୦୨୩ରେ ଜିରା କେଜି ପିଛା ବର୍ଷକରେ ୫୦୦ ଟଙ୍କା ବୃଦ୍ଧି ପାଇବା ବ୍ୟବସାୟୀଙ୍କୁ ଚକିତ କରିଦେଇଛି। ଜିରା ସାଧାରଣତଃ ଗୁଜୁରାଟର ଉଞ୍ଜା ଓ ରାଜସ୍ଥାନର ନାଗରରେ ଚାଷ ହୁଏ। ନାଗରରେ ଉଭୟ ଜିରା ଓ ସୋରିଷ ଚାଷ ବଦଳ କରି ଚାଷ କରାଯାଏ। ଯେଉଁ ବର୍ଷ ସୋରିଷ ହୁଏ, ସେ ବର୍ଷ ଜିରା ହୁଏନାହିଁ। ଯଦିଓ ନାଗରରେ ଜିରା ଚାଷ ହୁଏ ଏହାକୁ କିନ୍ତୁ ଉଞ୍ଜାକୁ ଚାଲାଣ କରାଯାଏ। ଭାରତରେ ଉଞ୍ଜା ହେଉଛି ଜିରାର ଏକ ଅନ୍ତର୍ଜାତୀୟ ବଜାର। ୨୦୨୨ ବର୍ଷରେ ଜିରା ଏହି ଦୁଇଟି ରାଜ୍ୟରେ ଭଲ ଅମଳ ହୋଇ ନଥିବାରୁ ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି। ଏହି ଜିରା କଟକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ଖୋର୍ଧା, ପୁରୀ, ଢେଙ୍କାନାଳ ଜିଲ୍ଲା ଯାଏ ଚାଲାଣ ହେଉଛି। ଗୁଜୁରାଟ ଓ ରାଜସ୍ଥାନରେ ଜିରା ଫଳ ୨୦୨୨ ବର୍ଷରେ ଭଲ ହୋଇନଥିବାରୁ ଓଡ଼ିଶା ବଜାରରେ ଏହାର ପ୍ରଭାବ ପଡ଼ିଛି।

Leave A Reply

Your email address will not be published.