ଦେଶ ବିଦେଶ

Relief from LPG crisis: ଏଲପିଜି ସଙ୍କଟରୁ ମିଳିବ ତ୍ରାହି: ଭାରତୀୟ ବନ୍ଦରରେ ଲାଗିଲା ବିଦେଶୀ ଜାହାଜ

ଦେଶରେ ଦେଖାଦେଇଥିବା ଏଲପିଜି ସଙ୍କଟ ମଧ୍ୟରେ ଖାଉଟିଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ସତ୍ତ୍ୱେ ଭାରତର ସଫଳ କୂଟନୀତି ଯୋଗୁଁ ହର୍ମୁଜ ପ୍ରଣାଳୀରେ ଫସିଥିବା ଗ୍ୟାସ୍ ଓ ତୈଳବାହୀ ଜାହାଜଗୁଡ଼ିକ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ରନ୍ଧନ ଗ୍ୟାସ୍ (ଏଲପିଜି) ସଙ୍କଟ ମଧ୍ୟରେ ଖାଉଟିଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ସତ୍ତ୍ୱେ ଭାରତର ସଫଳ କୂଟନୀତି ଯୋଗୁଁ ହର୍ମୁଜ ପ୍ରଣାଳୀରେ ଫସିଥିବା ଗ୍ୟାସ୍ ଓ ତୈଳବାହୀ ଜାହାଜଗୁଡ଼ିକ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଇରାନ ସରକାରଙ୍କ ସ୍ୱତନ୍ତ୍ର ଅନୁମତି କ୍ରମେ ସୋମବାର ଏଲପିଜି ବୋଝେଇ ଜାହାଜ ”ଶିବାଲିକ୍” ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚି ମାଲ ଖଲାସ ଆରମ୍ଭ କରିଛି। ସେହିପରି ଆଜି ଅନ୍ୟ ଏକ ବୃହତ ଜାହାଜ ”ନନ୍ଦା ଦେବୀ” ଏବଂ ୟୁଏଇରୁ ୮୧,୦୦୦ ଟନ୍ ଅଶୋଧିତ ତୈଳ ଧରି ”ଜଗ ଲାଡଲି” ଭାରତୀୟ ଉପକୂଳରେ ପହଞ୍ଚିବ। ଗ୍ୟାସ୍ ଯୋଗାଣରେ ଯେପରି ବିଳମ୍ବ ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କାଗଜପତ୍ର କାମ ଆଗୁଆ ଶେଷ କରାଯାଇଛି।

ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ, ଦେଶରେ ପେଟ୍ରୋଲ, ଡିଜେଲ କିମ୍ବା ସିଏନଜିର କୌଣସି ଅଭାବ ନାହିଁ। କେବଳ ଏଲପିଜି କ୍ଷେତ୍ରରେ କିଛିଟା ସମସ୍ୟା ରହିଛି, ଯାହାକୁ ଦୂର କରିବା ପାଇଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଗ୍ୟାସ୍ ଉତ୍ପାଦନକୁ ୩୬% ବୃଦ୍ଧି କରିଛନ୍ତି। ବାଣିଜ୍ୟିକ ଗ୍ୟାସ୍ କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସ୍ଥାନୀୟ ଆବଶ୍ୟକତା ଅନୁସାରେ କୋଟା ସ୍ଥିର କରିବାକୁ ସ୍ୱାଧୀନତା ଦିଆଯାଇଛି।

ଅନ୍ୟପଟେ, ଗ୍ୟାସ୍ ଅଭାବର ସୁଯୋଗ ନେଇ କଳାବଜାରୀ କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୁଦ୍ଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆସାମ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ବିହାର ଭଳି ରାଜ୍ୟରେ ବେଆଇନ ଗଚ୍ଛିତ ଗ୍ୟାସ୍ ସିଲିଣ୍ଡର ଉପରେ ଚଢ଼ାଉ ଜାରି ରହିଛି। ହର୍ମୁଜ୍ ପ୍ରଣାଳୀରେ ଏବେ ମଧ୍ୟ ୨୨ଟି ଭାରତୀୟ ଜାହାଜ ଫସି ରହିଛି। ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ, ଇରାନ ସହ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜାଯାଉଛି। ତେବେ ଏହି ଅଞ୍ଚଳରେ ସାମରିକ ସୁରକ୍ଷା ଯୋଗାଇବା ପାଇଁ ଆମେରିକାର ପ୍ରସ୍ତାବକୁ ଭାରତ ଏଡ଼ାଇ ଦେଇଛି ଏବଂ କୌଣସି ଦ୍ୱିପାକ୍ଷିକ ସାମରିକ ଆଲୋଚନାରେ ଭାରତ ସାମିଲ ନାହିଁ ବୋଲି ସ୍ପଷ୍ଟ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button