
ରାୟଗଡା/ଅମ୍ବାଦଳା (ଶିବ ପ୍ରସାଦ ଦୋରା): ଅମ୍ବାଦଳାର ଯୁବ ବ୍ୟବସାୟୀ ୨୧ଦିନର ସଂଘର୍ଷ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ରାୟଗଡାଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ଯୁବ ବ୍ୟବସାୟୀ ଗୁରୁତର ଆହତ ହୋଇ ୨୧ ଦିନ ଧରି କୋମାରେ ରହି ଜୀବନ ଯୁଦ୍ଧରେ ସଂଘର୍ଷ କରୁଥିଲେ। ତାଙ୍କ ମୃତ୍ୟର ଖବର ପ୍ରଚାରିତ ହେବା ପରେ ଆଜି ଅମ୍ବାଦଳାରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଉତ୍ୟକ୍ତ ସ୍ଥାନୀୟ ଜନସାଧାାରଣ ଟୁଟୁଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ହୋଇନଥିବା ଏବଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ କରି ଆଜି ରାୟଗଡା ଓ କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ କରୁଥିବା ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।
ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ଦାବୀରେ ସ୍ଥାନୀୟ ଲୋକ ଓ ପରିବାରଲୋକ ରାସ୍ତାକୁ ଓହ୍ଲାଇ ଥାନା ସମ୍ମୁଖରେ ରାଜ ରାସ୍ତା ଅବରୋଧ କରି ପ୍ରତିବାଦ କରାଯାଇଥିବାରୁ ଯାତାୟାତ ପୂରାପୂରି ଠପ୍ ହୋଇଯାଇଥିଲା। ସୂଚନାରୁ ଜଣାପଡିଛି ଗତ ଫେବ୍ରୁଆରି ୨୫ ତାରିଖ ରାତିରେ ଅମ୍ବାଦଳା ମୁଖ୍ୟ ରାସ୍ତାରେ ଘଟିଥିବା ଏହି ଘଟଣାକୁ ପ୍ରଥମେ ସାଧାରଣ ସଡକ ଦୁର୍ଘଟଣା ବୋଲି ଧରାଯାଇଥିଲା। କିନ୍ତୁ ପରେ ଘଟଣାକୁ ନେଇ ବିଭିନ୍ନ ସନ୍ଦେହ ଉଠିଥିବା ବେଳେ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ। ଘଟଣାକୁ ଘଟି ୨୨ ଦିନ ବିତିଥିଲେ ମଧ୍ୟ ଅମ୍ବାଦଳା ପୁଲିସ ହାତରେ କୌଣସି ଠୋସ ସୁରାଗ ମିଳିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଦୀର୍ଘ ୬ଘଣ୍ଟା ପରେ ପୁଲିସ ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ପ୍ରତିବାଦକାରୀମାନେ ରାସ୍ତା ଅବରୋଧରୁ ଉଠିଥିଲେ।
ମୃତକଙ୍କ ଭାଇ ମଣ୍ଟୁ ସାବତ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ପୁଲିସ ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି। ପୁଲିସ ତଦନ୍ତ କରି ଖୁବ ଶୀଘ୍ର ମୃତ୍ୟର କାରଣ ସଂପର୍କରେ ପର୍ଦାଫାସ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଜନସାଧାରଣ ରାସ୍ତା ଅବରୋଧରୁ ହଟିଥିଲେ। ଯୁବ ବ୍ୟବସାୟୀ ଟୁଟୁଙ୍କ ମୃତ୍ୟୁ ପରେ ଅମ୍ବାଦଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ରାତିରେ ଟୁଟୁଙ୍କ ମୃତ୍ୟୁ ଶରୀର ଅମ୍ବାଦଳା ପହଁଚିବ ବୋଲି ପରିବାରବର୍ଗ ସୂଚନା ଦେଇଛନ୍ତି। ବିଷମକଟକ ଏସଡିପିଓ ସନ୍ତୋସିନୀ ଓରାମ, ଅମ୍ବାଦଳା ଆଇଆଇସି ସୂର୍ଯ୍ୟଚନ୍ଦ୍ର ପାଢ଼ୀ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




