ଦେଶ ବିଦେଶ

Russia: ରୁଷ୍‌ -ଭାରତ ଦ୍ବିପାକ୍ଷିକ କଥାବାର୍ତ୍ତା: ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ ଯୋଗାଣ କରିବାକୁ ମସ୍କୋର ପ୍ରସ୍ତାବ

ଗୁରୁବାର ରୁଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଶକ୍ତି ଏବଂ ସାର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବା ପାଇଁ ଆଲୋଚନା କରିଛନ୍ତି

ନୂଆଦିଲ୍ଲୀ: ଭାରତ-ରୁଷ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ମସ୍କୋ ଭାରତକୁ ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରିବାକୁ ପ୍ରସ୍ତାବ ଦେଇଛି। ଗୁରୁବାର ରୁଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଶକ୍ତି ଏବଂ ସାର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବା ପାଇଁ ଆଲୋଚନା କରିଛନ୍ତି। ମୋଦୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ସେ ଓ ମାନ୍ତୁରୋଭ ବାଣିଜ୍ୟ, ସାର, ସଂଯୋଗୀକରଣ ଏବଂ ଲୋକ-ଲୋକ ସମ୍ପର୍କରେ ପାରସ୍ପରିକ ଲାଭଦାୟକ ସହଯୋଗ ଉପରେ କଥାବାର୍ତ୍ତା କରିଛନ୍ତି। ଗତ ଡିସେମ୍ବରରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ଅନୁଷ୍ଠିତ ଭାରତ-ରୁଷ ଶିଖର ସମ୍ମିଳନୀର ଫଳାଫଳକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ଦେଶ ଦ୍ୱାରା ନିରନ୍ତର ପ୍ରୟାସକୁ ମୋଦୀ ପ୍ରଶଂସା କରିଛନ୍ତି।

ମାନ୍ତୁରୋଭଙ୍କ ସହ ତାଙ୍କର ସାକ୍ଷାତ ପରେ ଜୟଶଙ୍କର କହିଛନ୍ତି ଯେ, ଦୁଇ ପକ୍ଷ ବାଣିଜ୍ୟ, ଶିଳ୍ପ, ଶକ୍ତି, ସାର, ସଂଯୋଗୀକରଣ ଏବଂ ଗତିଶୀଳତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଗୁରୁତ୍ବ ଦେଇଛନ୍ତି। ସେମାନେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ନୂତନ ସୁଯୋଗ ଅନୁସନ୍ଧାନ କରୁଛନ୍ତି ବୋଲି ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ମାନ୍ତୁରୋଭ ଏବଂ ଜୟଶଙ୍କର ପଶ୍ଚିମ ଏସିଆର ସଂଘର୍ଷ ସମେତ ଆଞ୍ଚଳିକ ଏବଂ ବିଶ୍ୱର ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ।

ରୁଷ ଦୂତାବାସ ଏକ ବିବୃତିରେ କହିଛି ଯେ ମାନ୍ତୁରୋଭ ସୁନିଶ୍ଚିତ କରିଛନ୍ତି ଯେ, ରୁଷ କମ୍ପାନୀଗୁଡ଼ିକ ଭାରତୀୟ ବଜାରରେ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସର ଯୋଗାଣକୁ ନିରନ୍ତର ବୃଦ୍ଧି କରିବାର କ୍ଷମତା ରଖିଛନ୍ତି। ମାନ୍ତୁରୋଭ କହିଛନ୍ତି, ରୁଷ୍‌ ୨୦୨୫ ଶେଷ ସୁଦ୍ଧା ଭାରତରେ ଚାହିଦା ଥିବା ଖଣିଜ ସାରର ଯୋଗାଣ ୪୦ ପ୍ରତିଶତ ବୃଦ୍ଧି କରିଛି। ଆଗକୁ ମଧ୍ୟ ରୁଷ୍‌ ଭାରତର ଆବଶ୍ୟକତା ପୂରଣ କରିବ। ଆମେରିକା ରୁଷ୍‌ ତୈଳ ଉପରେ କଟକଣା ହଟେଇବା ପରେ ମସ୍କୋ ଭାରତ ପାଇଁ ସର୍ବବୃହତ ଶକ୍ତି ଯୋଗାଣକାରୀ ପାଲଟିଛି। ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ବୈଷୟିକ ଏବଂ ସାଂସ୍କୃତିକ ସହଯୋଗ ଉପରେ ରୁଷ-ଭାରତ ଆନ୍ତଃସରକାରୀ କମିଶନର ସହ-ଅଧ୍ୟକ୍ଷ ମାନ୍ତୁୁରୋଭ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଭେଟିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button