Breaking News

ଲଣ୍ଡା ପାହାଡ଼ ହେଲା ସବୁଜ ସୁନ୍ଦର

ବ୍ରହ୍ମପୁରର ‘ସବୁଜ ମଣିଷ’ ସୁଧୀର, ରୋପଣ କରିଛନ୍ତି ଦେଢ଼ଲକ୍ଷ ଚାରା

0

 

ବ୍ରହ୍ମପୁର : ଗିରିସୋଲା ନିକଟରେ ଥିବା ଏକ ଲଣ୍ଡା ପାହାଡ଼ରେ ମଞ୍ଜି ଓ ସିଡ୍‌ବଲ୍‌ ବିଞ୍ଚିବା ଫଳରେ ବିଭିନ୍ନ କିସମର ଫଳ ଗଛ ବଢ଼ିଛି। ଏହି ଲଣ୍ଡାପାହାଡ଼ ସବୁଜ ସୁନ୍ଦର ପାଲଟିଛି। ପରିବେଶ ସୁରକ୍ଷା ପାଇଁ ୧୫ବର୍ଷ ଧରି ଅଣ୍ଟା ଭିଡ଼ିଥିବା ଜଣେ ଅଧ୍ୟାପକଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ସେ ହେଉଛନ୍ତି, ବ୍ରହ୍ମପୁର ସହରର ସୁଧୀର ରାଉତ। ‘ସବୁଜ ମଣିଷ’ ଭାବେ ଜଣାଶୁଣା ଶ୍ରୀ ରାଉତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଗ୍ରାମାଞ୍ଚଳ ଏବଂ ପାହାଡ଼ରେ ଦେଢ଼ଲକ୍ଷ ଚାରାରୋପଣ କରିସାରିଛନ୍ତି। ଆଗକୁ ଆହୁରି ୧୫ଟି ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବା ପାଇଁ ସୁଧୀର ଅଣ୍ଟା ଭିଡ଼ିଛନ୍ତି।

୨୦୦୩ରେ ସୁଧୀର ବିଜୟୱାଡ଼ାରେ ଏକ କଲେଜରେ ଅଧ୍ୟାପନା କରୁଥିବା ବେଳେ ବୃକ୍ଷରୋପଣ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଓଡ଼ିଶା ଫେରି ୨୦୦୭ରେ ସୁଧୀର ପ୍ରଥମେ ଆନ୍ଧ୍ର ବେପାରୀଙ୍କ ଠାରୁ ଚାରା କିଣି ନିଜ ଗାଁ ଚିକିଟି ବ୍ଲକ୍‌ ମାଧବନ୍ଧ ଗ୍ରାମର ଏକ ବନ୍ଧହୁଡ଼ା ଓ ମନ୍ଦିର ଚାରିପଟେ ରୋପଣ କରିଥିଲେ। ‘ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍‌’ ଅନୁଷ୍ଠାନ ଜରିଆରେ ବିଭିନ୍ନ ସ୍ବେଚ୍ଛାସେବୀଙ୍କୁ ଏଥିରେ ସାମିଲ୍‌ କରି ଏହି ଅଭିଯାନକୁ ତ୍ବରାନ୍ବିତ କରିଥିଲେ। ୨୦୧୦ରେ ନିଜସ୍ବ ଉଦ୍ୟମରେ ‘ସବୁଜ ରଥ’ ପରିକ୍ରମାର ଶୁଭାରମ୍ଭ କରି ଜିଲ୍ଲାର ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ପଲିଥିନ୍ ଓ ପ୍ଲାଷ୍ଟିକମୁକ୍ତ ପରିବେଶ ଗଠନ ଏବଂ ବୃକ୍ଷରୋପଣ ଉପରେ ସଚେତନ କରାଇଥିଲେ। ୨୦୧୬ରେ ପିତାତଳି ପଞ୍ଚାୟତରେ ‘ଗ୍ରାମ୍ୟ ଜଙ୍ଗଲ’ ନାମରେ ଏକ ଅଭିନବ ପ୍ରୟାସ ହାତକୁ ନେଇଥିଲେ। ମାଧବନ୍ଧ, ପିତାତଳି ଓ ପଲସରା ଗାଁର ୨୫ ଏକର ପରିମିତ ଏକ ଅନୁର୍ବର ପଡ଼ିଆରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଥିଲେ। ରାଜମହେନ୍ଦ୍ରୀରୁ ଆମ୍ବ, ପଣସ, ନିମ୍ବ, ବର, ଅଶ୍ବତଥ୍‌, କରଞ୍ଜ ଓ ରକ୍ତଚନ୍ଦନ ଭଳି ଚାରା ଆଣି ରୋପଣ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ସେଠାରେ ଜୈବିକ ସାର, ଖତ ଆଦି ପ୍ରୟୋଗ କରି ମାଟିର ଉର୍ବରତା ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.