ରାତିଅଧରେ ଅଶାନ୍ତ ହେଲା ସାଲିଆସାହି। ସାଲିଆସାହି ମହାବୀରନଗରରେ ରହୁଥିବା ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଛୁରାମାଡ଼ରେ ତାଙ୍କ ସାନଭାଇ ନିରଞ୍ଜନ ସାମନ୍ତରାୟ ଓରଫ୍ ଜିତୁ ଗୁରୁତର ଭାବେ ଆହତ ହୋଇଛନ୍ତି।
ଭୁବନେଶ୍ବର: ରାତିଅଧରେ ଅଶାନ୍ତ ହେଲା ସାଲିଆସାହି। ସାଲିଆସାହି ମହାବୀରନଗରରେ ରହୁଥିବା ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଛୁରାମାଡ଼ରେ ତାଙ୍କ ସାନଭାଇ ନିରଞ୍ଜନ ସାମନ୍ତରାୟ ଓରଫ୍ ଜିତୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଅଭିଯୁକ୍ତ ବଡ଼ଭାଇ ଚିତ୍ତରଂଜନ ସାମନ୍ତରାୟକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି।
ଆହତ ଜିତୁଙ୍କ ବାପା ଜୟଦେବ ସାମନ୍ତରାୟଙ୍କ ସୂଚନା ମୁତାବକ, କିଛିଦିନ ହେବ ପାରିବାରିକ କଳହକୁ କେନ୍ଦ୍ର କରି ଚିତ୍ତରଞ୍ଜନ ବାରମ୍ବାର ଜିତୁଙ୍କୁ ଧମକଚମକ ଦେଉଥିଲା। ନିଶାସକ୍ତ ଚିତ୍ତରଞ୍ଜନ ଆଜି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଜିତୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ଛୁରିରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ତାର ଏଭଳି ଆତଙ୍କ ଦେଖି ତାକୁ ଅଟକାଇବାକୁ କେହି ସାହସ ଜୁଟାଇ ପାରି ନଥିଲେ। ଯାହାର ଫାଇଦା ନେଇ ଚିତ୍ତରଞ୍ଜନ ଜିତୁଙ୍କ ପେଟ, ଛାତି, ପିଠିକୁ ଛୁରିରେ ଭୁସି ପକାଇଥିଲା। ଜିତୁ ରକ୍ତାକ୍ତ ଅବସ୍ଥାରେ ଦୌଡ଼ିଦୌଡ଼ି ନୟାପଲ୍ଲୀ ଥାନାରେ ପହଞ୍ଚିଥିଲେ। ପୁଲିସ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଛୁରାମାଡ଼ କରି ଚିତ୍ତରଞ୍ଜନ ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ସ୍ଥାନୀୟ ଯୁବକ ସାହସ ଜୁଟାଇ ତାକୁ କାବୁ କରି ନୟାପଲ୍ଲୀ ଥାନା ଜିମା ଦେଇଥିଲେ। ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷେ ଆକ୍ରମଣ ହୋଇଥିବା ଅଞ୍ଚଳ ମୈତ୍ରୀବିହାର ଥାନା ଅଧୀନରେ ଯାଉଥିବାରୁ ମୈତ୍ରୀବିହାର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲ ଓ ସାଲିଆସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ Prameya News7

