ଦେଶ ବିଦେଶ

editorial: ଅଦୃଷ୍ଟର ଅଟ୍ଟହାସ୍ୟ

ସେ ଅବଶ୍ୟ ଜାଣିଥିବେ ଯେ ଏକ ବିଡ଼ମ୍ବନା ଭଳି ଫରାସୀ ବିପ୍ଳବ କାଳରେ ରାଜନ୍ୟ ଓ ସଂଭ୍ରାନ୍ତ ବର୍ଗର ସଦସ୍ୟଙ୍କ ଶିରଚ୍ଛେଦ ସକାଶେ ବିପ୍ଳବୀମାନଙ୍କ ଦ୍ବାରା ବ୍ୟବହୃତ ଗିଲୋଟିନ ପରିଶେଷ‌େର ଦାଁତନଙ୍କ ଭଳି ଅଗ୍ରଣୀ ବିପ୍ଳବୀ ନେତାମାନଙ୍କ ମୁଣ୍ଡ କାଟିବାରେ ବ୍ୟାପୃତ ହୋଇଥିଲା।

ସେ ଅବଶ୍ୟ ଜାଣିଥିବେ ଯେ ଏକ ବିଡ଼ମ୍ବନା ଭଳି ଫରାସୀ ବିପ୍ଳବ କାଳରେ ରାଜନ୍ୟ ଓ ସଂଭ୍ରାନ୍ତ ବର୍ଗର ସଦସ୍ୟଙ୍କ ଶିରଚ୍ଛେଦ ସକାଶେ ବିପ୍ଳବୀମାନଙ୍କ ଦ୍ବାରା ବ୍ୟବହୃତ ଗିଲୋଟିନ ପରିଶେଷ‌େର ଦାଁତନଙ୍କ ଭଳି ଅଗ୍ରଣୀ ବିପ୍ଳବୀ ନେତାମାନଙ୍କ ମୁଣ୍ଡ କାଟିବାରେ ବ୍ୟାପୃତ ହୋଇଥିଲା। ବିବ୍ଳବକୁ ପଥ ଭ୍ରଷ୍ଟ କରିଥିବା ନେତା ମାକସିଲିଅନ ରୋବସପିଅରଙ୍କ ଆଦେଶରେ ଯେତେବେଳେ ଦାଁତନଙ୍କୁ ଗିଲୋଟିନ ଆଡ଼କୁ ଭିଡ଼ି ନିଆଯାଉଥିଲା, ସେତିକି ବେଳେ ଦାଁତନ କୁଆଡ଼େ ଅନୁଚ୍ଚ ସ୍ବରରେ କହିଥିଲେ: ‘ଆଜି ମୁଁ ଯାଉଛି, କାଲି ତୁମ ପାଳି ଆସିବ।’ ୧୭୯୪ ମସିହାରେ ଗିଲୋଟିନ ତଳେ ରୋବସପିଅରଙ୍କ ଶିର ମଧ୍ୟ ସ୍କନ୍ଧଚ୍ୟୁତ ହୋଇଥିଲା। ଏହା ହେଉଛି ଅଦୃଷ୍ଟର ଅଟ୍ଟହାସ୍ୟ।

ଗଲା ୧୮ ତାରିଖ ଦିନ ବାଂଲାଦେଶର ଏକ ସ୍ବତନ୍ତ୍ର ଅଦାଲତ ‘ଆଇ.ସି.ଟି.’ ବା ‘ଇଣ୍ଟରନେସନାଲ କ୍ରାଇମ ଟ୍ରିବୁନାଲ’ ପକ୍ଷରୁ ବିତାଡ଼ିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗଣହତ୍ୟା ଏବଂ ମାନବତା ବିରୋଧୀ ଅପରାଧ ସକାଶେ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଏହା ସର୍ବଜନବିଦିତ ଯେ ଗଲା ବର୍ଷ ଏକ ଛାତ୍ର ଆନ୍ଦୋଳନ ଅବଲୀଳା କ୍ରମେ ତୀବ୍ର ଓ ଅପ୍ରତିରୋଧ୍ୟ ଜନ ବିଦ୍ରୋହର ରୂପ ନେଇ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କୌଣସିମତେ ପ୍ରାଣ ଧରି ପଳାୟନ କରିବାକୁ ବାଧ୍ୟ କରିଥିଲା। ଜାତିସଂଘର ସୂତ୍ର ଅନୁସାରେ ସେହି ୫୦ ଦିନିଆ ଆନ୍ଦୋଳନର ପୃଷ୍ଠ ଭଙ୍ଗ କରିବା ଲାଗି ଶେଖ ହସିନାଙ୍କ ଆଦେଶରେ ସଂଘଟିତ କ୍ରୂର ଦମନଲୀଳାରେ ପ୍ରାୟ ୧୪୦୦ ଜୀବନ ଚାଲିଯାଇଥିଲା, ଯହିଁରେ ଅନେକ ନବତରୁଣ ଓ କିଶୋର ମଧ୍ୟ ଅନ୍ତର୍ଭୁକ୍ତ ଥିଲେ; ଯଦିଓ ପ୍ରକୃତ ମୃତ୍ୟୁ ସଂଖ୍ୟା ଏହାଠାରୁ ଅନେକ ଅଧିକ ବୋଲି କୁହାଯାଇଥାଏ। ଏଭଳି ସ୍ଥଳେ, ହସିନାଙ୍କ ପ୍ରତି ଏଭଳି ଦଣ୍ଡାଦେଶ ଅନୁମାନଯୋଗ୍ୟ ହେଇଥାଏ; କିନ୍ତୁ ତା’ ସତ୍ତ୍ବେ ଏହା ବିତର୍କିତ ହୋଇଛି ଏବଂ ଏ ସମଗ୍ର ଘଟଣାକ୍ରମରେ ଅଦୃଷ୍ଟର ଅଟ୍ଟହାସ୍ୟ ମଧ୍ୟ ଶୁଣିବାକୁ ମିଳିଛି।
ସ୍ବାଭାବିକ ଭାବେ ଶେଖ ହସିନାଙ୍କ ଦ୍ବାରା ଏହି ଦଣ୍ଡାଦେଶକୁ ଅସ୍ବୀକାର କରାଯାଇଛି, ଯେଉଁଥି ଲାଗି ପ୍ରମୁଖ ଭାବେ ତିନିଟି କାରଣ ଦର୍ଶାଯାଇଛି। ପ୍ରଥମଟି ହେଲା, ସଂପ୍ରତି ବାଂଲାଦେଶରେ କ୍ଷମତାସୀନ ସରକାର ଅସାଂବିଧାନିକ ଓ ବେଆଇନ; ତେଣୁ ତା’ ମାର୍ଫତରେ ଆସିଥିବା ଦଣ୍ଡାଦେଶ ଗ୍ରହଣୀୟ ନୁହେଁ। ଦ୍ବିତୀୟରେ, ଶେଖ ହସିନାଙ୍କ ବିଚାର କରିବାର କ୍ଷମତା ‘ଆଇ.ସି.ଟି.’ର ନାହିଁ, ଯାହା ମୂଳତଃ ବାଂଲାଦେଶ ମୁକ୍ତି ସଂଗ୍ରାମକାଳୀନ ଯୁଦ୍ଧ ଅପରାଧୀ ଓ ଭେଦିଆମାନଙ୍କ ବିଚାର ଓ ଦଣ୍ଡବିଧାନ ସକାଶେ ଗଠିତ ହୋଇଥିଲା। ଅବଶ୍ୟ, ବର୍ତ୍ତମାନର କାମଚଳା ସରକାର ଦ୍ବାରା ଆଇନରେ ସଂଶୋଧନ ଅଣାଯାଇ ‘ଆଇ.ସି.ଟି.’କୁ ଏଭଳି ବିଚାର ଲାଗି କ୍ଷମତାପନ୍ନ କରାଯାଇଛି, କିନ୍ତୁ ହସିନାଙ୍କ ମତରେ ଏକ ଅସାଂବିଧାନିକ ସରାକାର ଦ୍ବାରା ହୋଇଥିବା ସଂଶୋଧନ ହିଁ ମୂଳତଃ ଅର୍ଥହୀନ। ହସିନାଙ୍କ ତୃତୀୟ ଆପତ୍ତିଟି ତାଙ୍କୁ ଓକିଲ ବାଛିବାର ଅଧିକାର ପ୍ରଦାନ କରା ନ ଯିବା ଓ ଜାଣିଶୁଣି ତାଙ୍କ ସକାଶେ ନିକମା ଓକିଲ ଏବଂ ପକ୍ଷପାତୀ ବିଚାରପତିଙ୍କୁ ନିଯୁକ୍ତ କରାଯିବାକୁ କେନ୍ଦ୍ର କରି। ଏହା ମଧ୍ୟ ସତ ଯେ ‘ଆନ୍ତର୍ଜତିକ କ୍ଷମା ସଂସ୍ଥା’ ବା ‘ଆମନେଷ୍ଟି ଇଣ୍ଟରନେସନାଲ’ ଓ ମାନବ ଅଧିକାର ସକାଶେ କାର୍ଯ୍ୟରତ କତିପୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ବିଚାର ପ୍ରକ୍ରିୟାର ସ୍ବଚ୍ଛତା ନେଇ ସନ୍ଦେହ ପ୍ରକଟ କରାଯାଇଛି। କିନ୍ତୁ, ବାଂଲାଦେଶରେ ଏହି ଦଣ୍ଡାଦେଶକୁ ବିପୁଳ ଜନ ସମର୍ଥନ ମିଳିଛି। ଏଭଳି ସ୍ଥିତିରେ ଭାରତ ସକାଶେ ଏକ ସ୍ପର୍ଶକାତର କ୍ଷଣ ମଧ୍ୟ ଉପସ୍ଥିତ। ଯଦିଓ, ବାଂଲାଦେଶର ଦାବିକୁ ସ୍ବୀକାର କରି ଭାରତରେ ଆଶ୍ରିତ ଶେଖ ହସିନାଙ୍କୁ ଭାରତ ସରକାର ବାଂଲାଦେଶକୁ ପ୍ରତ୍ୟର୍ପଣ କରିଦେବେ ନାହିଁ, କିନ୍ତୁ ଉଭୟ ଦେଶ ମଧ୍ୟରେ ଦ୍ରୁତ ଅବକ୍ଷୟମାଣ ସଂପର୍କ ଦୃଷ୍ଟିରୁ ଏହା ଏକ ମୁଣ୍ଡବ୍ୟଥାର କାରଣ ହେବ।
ନିୟତିର ନିଷ୍ଠୁର ପରିହାସ ଭଳି ଯେଉଁ ‘ଆଇ.ସି.ଟି.’ ଦ୍ବାରା ଶେଖ ହସିନା ଦଣ୍ଡିତ ହୋଇଛନ୍ତି, ତାହାକୁ ରୂପ ଦେଇଥିବା ଅାଇନ(୧୯୭୩)ର ପ୍ରବର୍ତ୍ତକ ଥିଲେ ତାଙ୍କ ପିତା ଶେଖ ମୁଜିବୁର ରହମନ ଏବଂ ସେହି ଆଇନ ବଳରେ ୨୦୧୦ ମସିହାରେ ଟ୍ରବୁନାଲକୁ ଗଠନ କରି କାର୍ଯ୍ୟକ୍ଷମ କରାଇଥିଲେ ସ୍ବୟଂ ଶେଖ ହସିନା। ୧୯୭୧ ମସିହାର ସଶସ୍ତ୍ର ମୁକ୍ତି ସଂଗ୍ରାମ ସହିତ ବିଶ୍ବାସଘାତକତା କରିଥିବା ଅଭିଯୋଗରେ ଏହି ଅଦାଲତ ଦ୍ବାରା ଅନେକ ବ୍ୟକ୍ତିଙ୍କୁ ଦୀର୍ଘ କାରାବାସ ଓ ଛଅ ଜଣ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। କହିବା ଅନାବଶ୍ୟକ ଯେ ଏହି କ୍ଷୁଦ୍ର ରାଷ୍ଟ୍ରର ମାତ୍ର ଅର୍ଦ୍ଧ ଶତାବ୍ଦୀର ଇତିହାସ ତୀବ୍ର ପ୍ରତିଶୋଧ ପରିଚାଳିତ ଓ ଅତ୍ୟନ୍ତ ରକ୍ତରଂଜିତ। ସେହି କାରଣରୁ ସମ୍ଭବତଃ ୨୦୧୦ ମସିହାରେ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୋଇଥିବା ଶେଖ ହସିନା ନିଜକୁ ନିଷ୍କଣ୍ଟକ କରିବା ଲାଗି ଯୁଦ୍ଧ ଅପରାଧୀଙ୍କ ବିଚାର ଆଳରେ ବିରୋଧୀ ରାଜନୈତିକ ଦଳର ‌କାର୍ଯ୍ୟକର୍ତ୍ତା ଏବଂ ଶତ୍ରୁମାନଙ୍କୁ ଏହି ଅଦାଲତ ମାଧ୍ୟମରେ ଦମନ କରିବାରେ ପ୍ରମତ୍ତ ହୋଇଥିଲେ, ଯାହା ତାଙ୍କୁ ଅଚିରେ ଜଣେ କ୍ରୂର ଏକଛତ୍ରବାଦୀରେ ପରିଣତ କରିଥିଲା। ୨୦୨୪ ମସିହାର ନିର୍ବାଚନ ଜିଣି ସେ ତୃତୀୟ ବାର କ୍ଷମତା ଦଖଲ କଲାବେଳକୁ ପ୍ରମୁଖ ବିରୋଧୀ ଦଳ ବି.ଏନ୍.ପି. (ବାଂଲାଦେଶ ନେସନାଲିଷ୍ଟ ପାର୍ଟି), ତା’ର ପୂର୍ବ ଅସ୍ତିତ୍ବର ଏକ ଛାୟା ଭଳି ମନେ ହେଉଥିଲା ଏବଂ ଏହାର ନେତ୍ରୀ ‌ଖଲିଦା ଜିଆ ଦୀର୍ଘ କାଳ ଧରି କାରାବାସ ଭୋଗି ଚାଲିଥିଲେ। କେବଳ ସେତିକି ନୁହେଁ, ଏହି ନିର୍ବାଚନରେ ନିହିତ ଶଠତାକୁ ପୃଥିବୀର ସର୍ବତ୍ର ସମାଲୋଚନା କରାଯାଇଥିଲା ଏବଂ ବାଂଲାଦେଶରେ ବିପୁଳ ଜନ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ କରିଥିଲା। ତାହା ହୋଇ ନ ଥିଲେ ସ୍ମୃତିରେ ଏବଂ ଦସ୍ତାବେଜରେ ସ୍ବାଧୀନ ବାଂଲାଦେଶର ମୁଖ୍ୟ ବିନ୍ଧାଣି ଭାବେ ଆୱାମୀ ଲିଗର ଦୃଢ଼ ଉପସ୍ଥିତି ରହିଥଲେ ହେଁ ଏବର ବାଂଲାଦେଶୀମାନେ ତାକୁ ଲିଭାଇ ନିଶ୍ଚିହ୍ନ କରିଦେବାରେ ନିମଗ୍ନ ହୋଇ ନ ଥାଆନ୍ତେ କି ତା’ର ନେତ୍ରୀଙ୍କୁ ଗଣହନ୍ତା ବୋଲି ଦର୍ଶାଇ ତାଙ୍କ ମୃତ୍ୟୁ ଲୋଡ଼ି ନ ଥାଆନ୍ତେ।
ଭାଗ୍ୟର ଅଲୌକିକ ବିଧାନ ଭଳି ଶେଖ ହସିନା ତାଙ୍କ ଜୀବନରେ ଦୁଇ ଦୁଇଥର ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି ଏବଂ ବିଚିତ୍ର ସଂଯୋଗ ସ୍ବରୂପ ଦୁଇଥର ଯାକ ଭାରତରେ ଆଶ୍ରିତ ହୋଇଛନ୍ତି। ଏଥିରେ ଦ୍ବିଧା ନାହିଁ ଯେ ୧୯୭୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଏକ ସାମରିକ ବିଦ୍ରୋହରେ ଶେଖ ମୁଜିବଙ୍କ ପରିବାରର ସମସ୍ତ ସଦସ୍ୟ (ହସିନା ଓ ତାଙ୍କ ଭଉଣୀ ରେୟାନା ସେହି ସମୟରେ ଜର୍ମାନୀ ଯାଇଥିବାରୁ ଅଗତ୍ୟା ବର୍ତ୍ତି ଯାଇଥିଲେ)ଙ୍କୁ ହତ୍ୟା କରାଯାଇ କ୍ଷମତା ଦଖଲ ସହିତ ସେଠାରେ ପ୍ରତିଶୋଧ ପରାୟଣ ରାଜନୀତିର ବୀଜ ବୁଣାଯାଇଥିଲା। ଏହାର ଦୀର୍ଘ ଅନ୍ତରାଳ ଏବଂ ଅନେକ ରାଜନୈତିକ ଉତ୍‌ଥାନ-ପତନ ପରେ ବାଂଲାଦେଶର ରାଜନୀତିକୁ ଶେଖ ହସିନାଙ୍କ ପ୍ରବେଶ ଘଟିଥିଲେ ମଧ୍ୟ ସେ ନିଜ ଭିତରେ ପ୍ରତିଶୋଧର ଝୁଲକୁ ଜୀବନ୍ତ ରଖିଥିଲେ, ତାହା ତାଙ୍କ ପରବର୍ତ୍ତୀ କାର୍ଯ୍ୟକଳାପରେ ପରିଦୃଷ୍ଟ ହୋଇଥିଲା। କିନ୍ତୁ, କେବଳ ହସିନା ନୁହନ୍ତି, ତାଙ୍କ ପ୍ରତିପକ୍ଷ ‘ବି.ଏନ୍.ପି.’ର ନେତ୍ରୀ ଖଲିଦା ଜିଆ ମଧ୍ୟ ସେହି ସମାନ ମନୋବୃତ୍ତିର ଅଧିକାରୀ ଥିଲେ, ଯାହାଙ୍କ ଅମଳରେ ଆୱାମୀ ଲିଗର ଅନେକ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ନିପା‌ତ ଓ ନିରବ କରିବାର ପ୍ରଚେଷ୍ଟା ହୋଇଥିଲା। ସେହି ଦୃଷ୍ଟିରୁ ଶାନ୍ତି ସକାଶେ ନୋବେଲ ପୁରସ୍କାର ଲାଭ କରିଥିବା ବିଦ୍ବାନ ଓ ଦରଦୀ ଅର୍ଥନୀତିଜ୍ଞ ଭାବେ ପରିଚିତ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ କାମଚଳା ସରକାର ଠାରୁ ଏ ସଂଦର୍ଭରେ ବ୍ୟତିକ୍ରମ ଆଶା କରାଯାଉଥିଲା। କିନ୍ତୁ ସେଭଳି ଦୃଷ୍ଟାନ୍ତ ସ୍ଥାପିତ ହୋଇପାରି ନାହିଁ। ଶେଖ ହସିନାଙ୍କ ସହିତ ଆୱା‌ମୀ ଲିଗର ପଦଚିହ୍ନକୁ ଧରାପୃଷ୍ଠରୁ ପୋଛିଦେବାକୁ ସାଂପ୍ରତିକ ବାଂଲାଦେଶ ସରକାର ଉଦ୍‌ଗ୍ରୀବ, ଯେଉଁଠି ୟୁନୁସ ଜଣେ ପୃଷ୍ଠପୋଷକ ରୂପେ ବିଦ୍ୟମାନ। ସୁତରାଂ, ପ୍ରତିଶୋଧର ରାଜନୀତି କେବଳ ସଂପ୍ରସାରିତ ହେବାର ପଥ ଉନ୍ମୁକ୍ତ ହୋଇଯାଇଛି ଯାହା!
ଫରାସୀ ବିପ୍ଳବର ଅବର୍ଣ୍ଣନୀୟ ରକ୍ତପାତ ଓ ହିଂସାକୁ ଲକ୍ଷ୍ୟ କରି ଜ୍ୟାକ ମାଲେଟ ଡୁ ପାଣ୍ଟ ଦୀର୍ଘଶ୍ବାସ ଛାଡ଼ି ଯାହା କହି ପକାଇଥିଲେ, ତାହା ଏକ ଆପ୍ତବାକ୍ୟ ଶ୍ରେଣୀର। ସେ କହିଥିଲେ ଯେ ପ୍ରତ୍ୟେକ ବିପ୍ଳବ ତା’ର ସନ୍ତାନମାନଙ୍କୁ ଭକ୍ଷଣ କରେ; କାରଣ ରକ୍ତପାତ ମାଧ୍ୟମରେ ଲକ୍ଷ୍ୟ ହାସଲ ହୋଇସାରିବା ପରେ ମଧ୍ୟ ଆଦିମ ଉଦ୍ଦାମତା ବଳବତ୍ତର ରହି ପ୍ରତିଶୋଧର ପ୍ରବାହ ସୃଷ୍ଟି କରେ, ଯାହା ଶତ୍ରୁ-ମିତ୍ର ନିର୍ବିଶେଷରେ ସର୍ବଭୁକ୍‌ ହୋଇଯାଏ। ପୃଥିବୀର ସମସ୍ତ ସଶସ୍ତ୍ର ବିପ୍ଳବ ଏହାର ଗୋଟିଏ ଗୋଟିଏ ଉଦାହରଣ। ତେଣୁ, ମହାତ୍ମା ଗାନ୍ଧୀଙ୍କ ଅପାର ଦୂରଦୃଷ୍ଟି ଭାରତର ସ୍ବାଧୀନତା ଆନ୍ଦୋଳନକୁ ଅହିଂସ ସତ୍ୟାଗ୍ରହରେ ପରିଣତ କରିଥିଲା, ଯାହା ଫଳରେ ସ୍ବାଧୀନତା ପ୍ରାପ୍ତି ପରେ ବ୍ରିଟିସ ଶାସକଙ୍କ ପକ୍ଷଭୁକ୍ତ ଭାରତୀୟ କୁଚକ୍ରୀ ଓ ଭେଦିଆ ଗୋଷ୍ଠୀ ପ୍ରତିଶୋଧର ଶିକାର ହୋଇ ନ ଥିଲେ ଓ ସବାଲୀଳ ଭାବେ ରାଷ୍ଟ୍ରର ସମନ୍ବୟୀ ଅଗ୍ରଗତିର ଅଂଶୀଦାର ହୋଇଯାଇଥିଲେ। ଅପର ପକ୍ଷରେ ବାଂଲାଦେଶର ଜନ୍ମ ଅକଥନୀୟ ହିଂସା ଓ ରକ୍ତପାତରୁ; ଯହିଁରେ ପ୍ରତିଶୋଧର ଜ୍ବଳନ ଅନନିବାର୍ଯ୍ୟ ହେବା ନିଶ୍ଚିତ। କିନ୍ତୁ ‘ଆଖି ବଦଳରେ ଆଖି’ ଯେ ପୃଥିବୀକୁ ଦୃଷ୍ଟିହୀନ କରି ପକାଇବ, ଏହା କ’ଣ ମହମ୍ମଦ ୟୁନୁସଙ୍କ ଭଳି ଜଣେ ଅଣରାଜନୈତିକ ବିଦ୍ବାନଙ୍କ ହୃଦ୍‌ବୋଧ ହୋଇ ନ ଥାଏ? ସେ ଅବଶ୍ୟ ଜାଣିଥିବେ ଯେ ଏକ ବିଡ଼ମ୍ବନା ଭଳି ଫରାସୀ ବିପ୍ଳବ କାଳରେ ରାଜନ୍ୟ ଓ ସଂଭ୍ରାନ୍ତ ବର୍ଗର ସଦସ୍ୟଙ୍କ ଶିରଚ୍ଛେଦ ସକାଶେ ବିପ୍ଳବୀମାନଙ୍କ ଦ୍ବାରା ବ୍ୟବହୃତ ଗିଲୋଟିନ ପରିଶେଷ‌େର ଦାଁତନଙ୍କ ଭଳି ଅଗ୍ରଣୀ ବିପ୍ଳବୀ ନେତାମାନଙ୍କ ମୁଣ୍ଡ କାଟିବାରେ ବ୍ୟାପୃତ ହୋଇଥିଲା। ବିବ୍ଳବକୁ ପଥ ଭ୍ରଷ୍ଟ କରିଥିବା ନେତା ମାକସିଲିଅନ ରୋବସପିଅରଙ୍କ ଆଦେଶରେ ଯେତେବେଳେ ଦାଁତନଙ୍କୁ ଗିଲୋଟିନ ଆଡ଼କୁ ଭିଡ଼ି ନିଆଯାଉଥିଲା, ସେତିକି ବେଳେ ଦାଁତନ କୁଆଡ଼େ ଅନୁଚ୍ଚ ସ୍ବରରେ କହିଥିଲେ: ‘ଆଜି ମୁଁ ଯାଉଛି, କାଲି ତୁମ ପାଳି ଆସିବ।’ ୧୭୯୪ ମସିହାରେ ଗିଲୋଟିନ ତଳେ ରୋବସପିଅରଙ୍କ ଶିର ମଧ୍ୟ ସ୍କନ୍ଧଚ୍ୟୁତ ହୋଇଥିଲା। ଏହା ହେଉଛି ଅଦୃଷ୍ଟର ଅଟ୍ଟହାସ୍ୟ। ଶେଖ ହସିନା ଏବେ ହୁଏତ ତାହା ଅନୁଭବ କରୁଥିବେ, କିନ୍ତୁ ମହମ୍ମଦ ୟୁନୁସ ସେଭଳି ଅନୁଭବ କରୁଛନ୍ତି କି ନାହିଁ କିଏ ଜାଣେ!

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button