ଓଡିଶା

Sand loot: ବୈତରଣୀ ଗର୍ଭରୁ ବାଲି ଲୁଟ୍‌

ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ସୋହଡ଼ା ପଞ୍ଚାୟତ ଷେଣ୍ଢପୁର ନିକଟସ୍ଥ ବୈତରଣୀ ନଦୀ ଏବେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ରାତିରୁ ସକାଳ ଯାଏଁ ଏଠାରୁ ବାଲି ଚୋରି ହେଉଛି।

ଧାମନଗର: ଭଦ୍ରକଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ସୋହଡ଼ା ପଞ୍ଚାୟତ ଷେଣ୍ଢପୁର ନିକଟସ୍ଥ ବୈତରଣୀ ନଦୀ ଏବେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ରାତିରୁ ସକାଳ ଯାଏଁ ଏଠାରୁ ବାଲି ଚୋରି ହେଉଛି। ଦୈନିକ ୨୦ରୁ ଅଧିକ ଟ୍ରାକ୍ଟର ଏଠାରୁ ବାଲି ବୋହୁଛନ୍ତି। ଏଭଳି କି ଟ୍ରାକ୍ଟର ଚଳାଚଳ ପାଇଁ ନଦୀବନ୍ଧ କାଟି ଦେଉଛନ୍ତି। ତହସିଲ ଓ ଖଣି ବିଭାଗର ନିଷ୍କ୍ରିୟତା ଯୋଗୁ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ନଦୀବନ୍ଧ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ନଦୀରେ ପର୍ଯ୍ୟାପ୍ତ ବାଲି ନ ଥିବା ଦର୍ଶାଇ ସୈରାତ ନିଲାମ ଦିଆଯାଇ ନାହିଁ। ଏହାର ସୁଯୋଗ ନେଇ ମାଫିଆମାନେ ବିଳମ୍ବିତ ରାତିରେ ପାଣି ଭିତରୁ ବାଲି ଉଠାଇ ଠୁଳ କରୁଛନ୍ତି। ନିଜର ସୁବିଧା ପାଇଁ ଅଧିକାଂଶ ସ୍ଥାନରେ ନଦୀବନ୍ଧ କାଟି ରାସ୍ତା ପ୍ରସ୍ତୁତ କରିଛନ୍ତି। ସେହି ରାସ୍ତା ଦେଇ ଟ୍ରାକ୍ଟରଗୁଡ଼ିକ ନଦୀ ଭିତରକୁ ଯାଇ ବିଳମ୍ବିତ ରାତିରୁ ସକାଳ ଯାଏଁ ବାଲି ପରିବହନ କରୁଛନ୍ତି। ଖଣି ବିଭାଗର ଜିଲ୍ଲା କାର୍ଯ୍ୟାଳୟ ଭଦ୍ରକରେ ଥିବାବେଳେ ପ୍ରାୟ ୩୫ କିମି ଦୂର ଷେଣ୍ଢପୁରରେ ବାଲି ଚୋରି ହେଉଛି। ଯେତେବେଳେ ବି ଖଣି ଅଧିକାରୀ ଚଢ଼ଉ ପାଇଁ ଆସୁଛନ୍ତି; ବେଦପୁର, ଖଡ଼ିପଦା, ଦୋବଲ ଓ ଧାମନଗର ଛକରେ ଜଗି ରହିଥିବା ମାଫିଆଙ୍କ ‘ସୂଚନାଦାତା’ ତୁରନ୍ତ ଖବର ପହଞ୍ଚାଇ ଦେଉଛନ୍ତି। ଅଧିକାରୀ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟର ଓ ଜେସିବିଗୁଡ଼ିକୁ ନଦୀ ଗର୍ଭରୁ କାଢ଼ି ନେଇ ଲୁଚାଇ ଦେଉଛନ୍ତି ମାଫିଆ। ଫଳରେ ଚଢ଼ଉ ପ୍ରକ୍ରିୟା ପ୍ରହସନରେ ପରିଣତ ହେଉଛି।  ରାଜ୍ୟ ସରକାର ଲଘୁଖଣିଜ ଦାୟିତ୍ୱ ଖଣି ବିଭାଗକୁ ହସ୍ତାନ୍ତର କରିବା ପରଠାରୁ ତହସିଲ କାର୍ଯ୍ୟାଳୟ ଆଉ ଏଥିରେ ମୁଣ୍ଡ ପୂରାଉ ନାହିଁ। ଫଳରେ, ବାଲି ମାଫିଆଙ୍କୁ ଏହା ଅଧିକ ସୁହାଉଛି।

ଏହାଛଡ଼ା ସ୍ଥାନୀୟ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପ ଯୋଗୁ କ୍ଷେତ୍ର ଅଧିକାରୀମାନେ କଡ଼ା ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ତୁରନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାନଗଲେ ବୈତରଣୀ ନଦୀବନ୍ଧ ଦୁର୍ବଳ ହୋଇ ବନ୍ୟା ଭଳି ବିପର୍ଯ୍ୟୟକୁ ଡାକି ଆଣିବ। ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ବାଲି ଚୋରି ନେଇ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ କହିଛନ୍ତି, ଖଣି ବିଭାଗର ନିର୍ଦ୍ଦେଶକ୍ରମେ ଚଢ଼ଉ ହେଉଛି। ମାତ୍ର ଅଧିକାଂଶ ସମୟରେ ବାଲିମାଫିଆ ଖସି ଯାଉଛନ୍ତି। ଆଗକୁ ଚଢ଼ଉ ଜୋର୍‌ଦାର ହେବ ବୋଲି ଶ୍ରୀ ସେଠୀ କହିଛନ୍ତି

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button