ଓଡିଶା

Santali Writer Malati Murmu No More ସାନ୍ତାଳୀ ସାହିତ୍ୟର ଅପୂରଣୀୟ କ୍ଷତି: ଲେଖିକା ମାଳତୀ ମୁର୍ମୁଙ୍କ ପରଲୋକ

ସାନ୍ତାଳୀ ଭାଷା ଓ ଅଲଚିକି ଲିପିର ପ୍ରମୁଖ ପ୍ରଚାରିକା, ବରିଷ୍ଠ ସାନ୍ତାଳୀ writer ମାଳତୀ ମୁର୍ମୁ ଆଉ ନାହାନ୍ତି। ଆଜି ରାତ୍ରି ୧ଟା ସମୟରେ ଭୁବନେଶ୍ୱର ୬ନଂ ସ୍ଥିତ ସରକାରୀ ବାସଭବନରେ ୫୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବାରିପଦା: ସାନ୍ତାଳୀ ଭାଷା ଓ ଅଲଚିକି ଲିପିର ପ୍ରମୁଖ ପ୍ରଚାରିକା, ବରିଷ୍ଠ ସାନ୍ତାଳୀ ଲେଖିକା ମାଳତୀ ମୁର୍ମୁ ଆଉ ନାହାନ୍ତି। ଆଜି ରାତ୍ରି ୧ଟା ସମୟରେ ଭୁବନେଶ୍ୱର ୬ନଂ ସ୍ଥିତ ସରକାରୀ ବାସଭବନରେ ୫୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ଖବର ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ଅଲଚିକି ଲିପିର ଦୃଢ଼ ସଂଗଠିକା

ମିସନ ଅଲଚିକିର ଦୃଢ଼ ସଂଗଠିକା ଭାବେ ପରିଚିତ ମାଳତୀ ମୁର୍ମୁ ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ‘ଫାଗୁନ’ର ପରିଚାଳିକା ଓ ସମ୍ପାଦିକା ଥିଲେ। ସେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ, ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଗଠନ (ଆସେକା)ର ଆଜୀବନ ସଦସ୍ୟା ଏବଂ ସାଓହେଁଦ ଆଖଡାର ସଭାନେତ୍ରୀ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ। ସାନ୍ତାଳୀ ଭାଷା ଓ ଅଲଚିକି ଲିପି ପ୍ରଚାର ପ୍ରସାରରେ ତାଙ୍କ ଅବଦାନ ସ୍ମରଣୀୟ।

୧୧ ଫେବ୍ରୁଆରୀ ୧୯୭୫ରେ ମୟୂରଭଞ୍ଜଜିଲ୍ଲା କୁଳିଅଣା ବ୍ଲକର ଗୟଳକଟା ଗାଁରେ ପିତା ମଙ୍ଗଲ ମୁର୍ମୁ ଓ ମାତା ଶର୍ମା ମୁର୍ମୁଙ୍କ କୋଳରେ ଜନ୍ମ ନେଇଥିବା ମାଳତୀ ମୁର୍ମୁ ଛଅ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ। ସେ ଆସେକା ବୋର୍ଡରୁ ସାନ୍ତାଳୀ ଭାଷାରେ ମେଟ୍ରିକ ପାସ କରିଥିଲେ ଏବଂ ୨୧ ଜୁନ ୧୯୯୧ରେ ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ ଓ ଅଲଚିକି ପ୍ରଚାରକ ମାଙ୍ଗାତ୍ ମୁର୍ମୁଙ୍କ ସହ ବିବାହ ସମ୍ପନ୍ନ କରିଥିଲେ। ବିବାହ ପରେ ସେ ସମ୍ପୂର୍ଣ୍ଣ ଜୀବନକୁ ସାନ୍ତାଳୀ ଭାଷା ସେବାରେ ଉତ୍ସର୍ଗ କରିଥିଲେ।

 

ନିକଟରେ ରାଇରଙ୍ଗପୁରରେ ଅନୁଷ୍ଠିତ ଅଲଚିକି ଲିପିର ଶତବାର୍ଷିକ ଉତ୍ସବ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାର ତାଙ୍କୁ ସମ୍ମାନିତ କରିଥିଲେ। ଏହାସହ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ପକ୍ଷରୁ ଜୀବନବ୍ୟାପି ସାହିତ୍ୟିକ ଅବଦାନ ପାଇଁ ସେ ସମ୍ମାନ ପାଇଥିଲେ। ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ନିଜ ଗ୍ରାମ ଚାନ୍ଦୁଆଠାରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button