ଦେଶ ବିଦେଶ

SC Dismisses Bail: ଦିଲ୍ଲୀ ଦଙ୍ଗା ଘଟଣାର ୨ମୁଖ୍ୟ ଅଭିଯୁକ୍ତ ଶର୍ଜିଲ-ଉମରଙ୍କ ଜାମିନ୍ ଖାରଜ୍ କଲେ ସୁପ୍ରିମକୋର୍ଟ

୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମ ଓ ଉମର ଖାଲିଦଙ୍କ ଜାମିନ୍ ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଷଡ଼ଯନ୍ତ୍ରର ପର୍ଯ୍ୟାପ୍ତ ପ୍ରମାଣ ଥିବା କହି କୋର୍ଟ ଏଭଳି ରାୟ ଦେଇଛନ୍ତି।

ନୂଆଦିଲ୍ଲୀ: ଶର୍ଜିଲ ଇମାମ ଓ ଉମର ଖାଲିଦଙ୍କ ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ଆଜି ୨୦୨୦ରେ ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସହ ଜଡ଼ିତ ବହୁତ ବଡ଼ ଷଡ୍‌ଯନ୍ତ୍ର ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଓ ଶର୍ଜିଲ ଇମାମ। ଦଙ୍ଗାରେ ସେମାନଙ୍କ ଭୂମିକା ବହୁତ ବଡ଼ ଥିବା କହି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ଦେଇଥିବା ଜଣାଯାଇଛି।

ଉମର ଖାଲିଦ ପ୍ରାୟ ପାଞ୍ଚ ବର୍ଷ ଧରି ଜେଲରେ ଅଛନ୍ତି। ତାଙ୍କୁ ସେପ୍ଟେମ୍ବର ୨୦୨୦ରେ ଗିରଫ କରାଯାଇଥିଲା। ଖାଲିଦ ସୁପ୍ରିମକୋର୍ଟରେ ଯୁକ୍ତି ଦେଇଥିଲେ ଯେ, ତାଙ୍କ ବିରୋଧରେ କୌଣସି ହିଂସାତ୍ମକ କାର୍ଯ୍ୟାନୁଷ୍ଠାନର ପ୍ରମାଣ ନାହିଁ ଏବଂ ସେ କେବଳ ଭାଷଣ ଦେବା ପାଇଁ ଜେଲରେ ଅଛନ୍ତି। ଏହା ସତ୍ତ୍ବେ, ସୁପ୍ରିମକୋର୍ଟ, ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ କରି ତାଙ୍କୁ ଜାମିନ ଦେବାକୁ ମନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଉମର ଖାଲିଦ ଏବଂ ଶର୍ଜିଲ ଇମାମଙ୍କ ଭୂମିକା ଅନ୍ୟ ଅଭିଯୁକ୍ତମାନଙ୍କଠାରୁ ଭିନ୍ନ, ଏବଂ ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ରର ପର୍ଯ୍ୟାପ୍ତ ପ୍ରମାଣ ଅଛି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏବେ ୨ମୁଖ୍ୟ ଅଭିଯୁକ୍ତଙ୍କ ଭୂମିକା ଅନ୍ୟ ଅଭିଯୁକ୍ତଙ୍କ ସହିତ ତୁଳନା କରାଯାଇପାରିବ ନାହିଁ।

ହିଂସା ବଢ଼ାଇବା ପାଇଁ ଉସୁକ‌ାଇଥିଲେ ଶର୍ଜିଲ-ଉମର

ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଅଭିଯୋଗ କରିଥିଲା ଯେ ଉମର ଖାଲିଦ, ଶର୍ଜିଲ ଇମାମ ଓ ଅନ୍ୟ ୭ ଅଭିଯୁକ୍ତ ଏହି ଦଙ୍ଗାକୁ ଉସକାଇବା ସହ ବିଶାଳ ଷଡ୍‌ଯନ୍ତ୍ର ରଚନା କରିଥିଲେ। ଦୁହେଁ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ବିରୋଧରେ ପ୍ରତିବାଦ ସମୟରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିଲେ। ୨୦୨୦ ଫେବ୍ରୁଆରି ୨୩ରୁ ୨୫ ତାରିଖ ମଧ୍ୟରେ ଏହି ଦଙ୍ଗା ହୋଇଥିଲା।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button