ଓଡିଶାରାଜନୀତି

SCB: ଏସ୍‌ସିବିରେ ଅଗ୍ନିକାଣ୍ଡ: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ

ଏସ୍‌ସିବି ମେଡିକାଲ୍‌ ଟ୍ରମା ଆଇସିୟୁରେ ନିଆଁ ଲାଗିବା ଘଟଣାକୁ ନେଇ ସରକାର ଅଡ଼ୁଆରେ ପଡ଼ି ଯାଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀ ବିଜେଡି ଓ କଂଗ୍ରେସ ଅଟଳ ଅଛନ୍ତି।

ଭୁବନେଶ୍ବର: ଏସ୍‌ସିବି ମେଡିକାଲ୍‌ ଟ୍ରମା ଆଇସିୟୁରେ ନିଆଁ ଲାଗିବା ଘଟଣାକୁ ନେଇ ସରକାର ଅଡ଼ୁଆରେ ପଡ଼ି ଯାଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀ ବିଜେଡି ଓ କଂଗ୍ରେସ ଅଟଳ ଅଛନ୍ତି। ଏହି ଦାବି ନେଇ ସେମାନେ ଆଜି ବିଧାନସଭାରେ ଭୀଷଣ ହୋହଲ୍ଲା କରିଥିଲେ। ଫଳରେ ଆଜି ଦିନତମାମ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସେମାନେ ଗୃହ ଭିତରେ ଓ ବାହାରେ ସ୍ବାସ୍ଥ୍ୟ ବିଭାଗର କୋକେଇ ଯାତ୍ରା କରି ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସ୍ଲୋଗାନ୍ ଦେଇଥିଲେ। ‘ରାମ ନାମ୍‌ ସତ୍ୟ ହେ ହରି ନାମ୍‌ ସତ୍ୟ ହେ’ ନାରାରେ ଗୃହ କମ୍ପିଥିଲା। ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଓ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ସାଙ୍ଗରେ ଆଣିଥିବା ଏକ ଟାୱେଲକୁ ଫୁଲମାଳ ଦେଇ ରିପୋଟର୍ସ ଟେବୁଲ୍ ଉପରେ ରଖି ପ୍ରତିବାଦ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ମୃତ ଅବସ୍ଥାରେ ଅଛି ବୋଲି ଅଭିଯୋଗ କରିଥିଲେ। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବ୍ୟାନର୍, ପ୍ଲାକାର୍ଡ ଦେଖାଇଥିଲେ। ବାଚସ୍ପତି ସେମାନଙ୍କୁ ବସିବା ପାଇଁ ଅନୁରୋଧ କରି ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିରୋଧୀଙ୍କ ହୋହଲ୍ଲାରେ ଗୃହ କାର୍ଯ୍ୟ ସମ୍ଭବ ହୋଇ ପାରିନଥିଲା। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ବିଧାନସଭାରେ ଅଚଳାବସ୍ଥା ଜାରି

ସ୍ବାସ୍ଥ୍ୟ ବିଭାଗର କୋକେଇ ଯାତ୍ରା, ରାମ ନାମ୍‌ ସତ୍ୟ ହେ… ନାରାରେ କମ୍ପିଲା ଗୃହ

ଏହା ପରେ ବିରୋଧୀ ଦଳର ବିଧାୟକମାନେ ବିଧାନସଭା ପରିସରରେ ପ୍ରତୀକାତ୍ମକ କୋକେଇ ଯାତ୍ରା କରିଥିଲେ। ରୋମାଞ୍ଚ ରଞ୍ଜନ, ପ୍ରଶାନ୍ତ ବେହେରା, ବ୍ୟୋମକେଶ ରାୟ, ମଙ୍ଗୁ ଖିଲ ଓ ନୀଳମାଧବ ହିକ୍କା ପ୍ରମୁଖ ସ୍ବାସ୍ଥ୍ୟ ବିଭାଗର କୋକେଇ କାନ୍ଧେଇ ବିଧାନସୌଧ ଚାରି ପଟେ ବୁଲିଥିଲେ। ବିଧାୟକ ଅରୁଣ ସାହୁ ଆଟିକାରେ ଓ ଧ୍ରୁବ ସାହୁ ଗାମୁଛାରେ ଖଇ ଧରି ବିଞ୍ଚୁଥିଲେ। ସମସ୍ତେ ‘ରାମନାମ ସତ୍ୟ ହେ…’ ନାରା ଦେଉଥିଲେ। ସେମାନେ ସେହି କୋକେଇ ଚାରିପଟେ ବସି ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ସମାଲୋଚନା କରି ବାହୁନୁଥିବାର ଦେଖିବାକୁ ମିଳିଥିଲା।

addgadgdg

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟ ବିଭାଗର ପ୍ରତୀକାତ୍ମକ ଶବ ରଖି ବିରୋଧୀ ଦଳ ସଦସ୍ୟମାନେ ନାରା ଦେଲେ। ବିଜେପି ବିଧାୟକମାନେ ଏପରି ପ୍ରତିବାଦକୁ ସମାଲୋଚନା କରିଥିଲେ। ସେମାନେ କହିଥିଲେ, ଏସ୍‌ସିବି  ଅଗ୍ନିକାଣ୍ଡ ପର ଏକ ସମ୍ବେଦନଶୀଳ ଘଟଣାରେ ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି। ବିରୋଧୀ ମାନବିକତା ଭୁଲି ଯାଇଛନ୍ତି। ରାଜ୍ୟସଭା ନିର୍ବାଚନ ଫଳାଫଳ ସେମାନଙ୍କୁ ହତାଶ କରିଦେଇଛି। ଗୃହ ବନ୍ଦ କରି ସାଧାରଣ ଲୋକଙ୍କ ରାଜସ୍ବ ନଷ୍ଟ କରୁଛନ୍ତି। ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ଆଲୋଚନାକୁ ଆସନ୍ତୁ। ବିଧାନସଭା ଗୃହ ପ୍ରତି ଅପମାନ ନ କରନ୍ତୁ। ଏହି ଘଟଣାରେ ରାଜନୈତିକ ରୁଟି ସେକିବା ଉଚିତ ନୁହେଁ। ଏସ୍‌ସିବି ଦୁର୍ଘଟଣାରେ ଯିଏ ଦୋଷୀ ନିଶ୍ଚିତ ଦଣ୍ଡ ପାଇ। ଶାସକ ଦଳ ପକ୍ଷରୁ ବିଜୟ ଦଳବେହେରା, ସନ୍ତୋଷ ଖଟୁଆ, ବାବୁ ସିଂ, ସିଦ୍ଧାନ୍ତ ମହାପାତ୍ର, ସନାତନ ବିଜୁଳି, ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ, ଜଲେନ ନାଏକ, ବିଭୂତି ଭୂଷଣ ପ୍ରଧାନ, ସରୋଜ କୁମାର ପାଢ଼ୀ ଓ ମାନସ ଦତ୍ତ ପ୍ରମୁଖ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ। ତେବେ ବିରୋଧୀ ଶାନ୍ତ ନହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୪ଟା ବେଳେ ବି ଗୃହ ମଧ୍ୟ ଭାଗରେ ପୁଣି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନାରାବାଜି ହେଲା। ବାଚସ୍ପତି ହୋହଲ୍ଲା ଭିତରେ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରିଥିଲେ। ଫଳରେ ବିରୋଧୀମାନେ ଉତ୍‌କ୍ଷିପ୍ତ ହୋଇ କକ୍ଷତ୍ୟାଗ କରିଥିଲେ। ବିନା ବିରୋଧୀ ଦଳରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା।

୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇଦିନ ତଳେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ୧୩ ରୋଗୀ ପ୍ରାଣ ହରାଇବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ୪ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି। ଏଥିରେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ କୁମାର ବେହେରା, ଏସ୍‌ସିବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ୍‌ ଅଫିସର ଅଭିନବ ପୃଷ୍ଟି ଓ କଟକ ଜିଇଡି ଅଧୀନ ଏସ୍‌ସିବି ସବ୍‌-ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ରଞ୍ଜନ କୁମାର ବିଶ୍ୱାଳ ରହିଛନ୍ତି। ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ ପାଇଁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିଲା। ଏହି ଦଳକୁ ସେହିଦିନ ହିଁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button