
ମୁମ୍ବାଇ: ଚଳିତ ସପ୍ତାହର ଶେଷ କାରବାର ଦିନରେ ବିଦେଶୀ ନିବେଶକମାନେ ଇକ୍ବିଟି ସେୟାର ବିକ୍ରି କରିବାରୁ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ବଡ଼ ଧରଣର ହ୍ରାସ ସହ ବନ୍ଦ ହୋଇଛି। ସେନ୍ସେକ୍ସ ୭୬୯ ପଏଣ୍ଟ ହ୍ରାସ ପାଇ ୮୧,୫୩୭ ପଏଣ୍ଟରେ ବନ୍ଦ ହୋଇଛି। ଗ୍ରିନଲ୍ୟାଣ୍ଡକୁ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ହେବା ସତ୍ତ୍ବେ ଶୁକ୍ରବାର ସାରା ବିଶ୍ବର ବିଭିନ୍ନ ଷ୍ଟକ୍ ବଜାରରେ ନିବେଶକମାନେ ସେୟାର ବିକ୍ରି ଜାରି ରଖିଥିଲେ। ତାହାର ପ୍ରଭାବ ଭାରତ ଉପରେ ପଡ଼ିଥିଲା। ସେନ୍ସେକ୍ସରେ ଆଜି ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଓ ବିଦେଶୀ ନିବେଶକମାନେ ସେୟାର ବିକ୍ରି କରିବାରୁ ଷ୍ଟକ ବଜାର କାରବାର ପ୍ରଭାବିତ ହୋଇଥିଲା। ରିଅଲ ଇଷ୍ଟେଟ୍ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ସେୟାର ଚାପରେ ଥିଲା। ଆମେରିକାର ନିୟାମକ ସଂସ୍ଥା ଆଦାନୀ ଗ୍ରୁପ୍କୁ ସମନ ଜାରି କରିଥିବାରୁ ଏହାର ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଏକ ସମୟରେ ସେନ୍ସେକ୍ସ ୮୦୦ରୁ ଅଧିକ ପଏଣ୍ଟ ତଳକୁ ଖସିଯାଇଥିଲା। କାରବାର ଶେଷ ବେଳକୁ ସେଥିରେ ସାମାନ୍ୟ ସୁଧାର ଘଟିଥିଲା।
ସୌଜନ୍ୟ ସମ୍ବାଦ




