ଓଡିଶା

Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରାମର୍ଶରେ ଫେକର-ବେଦାନ୍ତ ଓସ୍ତପାଳ ଓ କଲରଙ୍ଗିଅତ୍ତା କ୍ରୋମାଇଟ୍‌ ଖଣି ପକ୍ଷରୁ ଖଣିଅଞ୍ଚଳର ଜୀବନରେଖା କୁହାଯାଉଥିବା ଡମଶାଳ ନାଳ କୂଳରେ ଔଷଧୀୟ ପ୍ରଜାତିର ଧନ୍ବନ୍ତରୀ ଘାସ ରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।

କାଳିଆପାଣି (ରବି ନାରାୟଣ କର):ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି) ପରାମର୍ଶରେ ଫେକର-ବେଦାନ୍ତ ଓସ୍ତପାଳ ଓ କଲରଙ୍ଗିଅତ୍ତା କ୍ରୋମାଇଟ୍‌ ଖଣି ପକ୍ଷରୁ ଖଣିଅଞ୍ଚଳର ଜୀବନରେଖା କୁହାଯାଉଥିବା ଡମଶାଳ ନାଳ କୂଳରେ ଔଷଧୀୟ ପ୍ରଜାତିର ଧନ୍ବନ୍ତରୀ ଘାସ(ଲେମନ ଗ୍ରାସ) ରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଯାହାକି ଦେଶରେ ପ୍ରଥମ ବୋଲି କୁହାଯାଇଛି।

ଏହି ଦୀର୍ଘସ୍ଥାୟୀ ପରିବେଶାନୁକୂଳ କାର୍ଯ୍ୟକ୍ରମକୁ ଓଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଇଂ ମଦନ ମୋହନ ସାହୁ ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରି ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ। ପ୍ରାକୃତିକ ଉପାୟରେ ଡମଶାଳ ଅବବାହିକାରେ ଜମା ହେଉଥିବା ହେକ୍ସାଭାଲେଟ୍‌ କ୍ରୋମିଅମ୍‌ ତୀବ୍ରତାକୁ ହ୍ରାସ କରାଯିବା ଯୋଜନାରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ପରିବେଶ ସନ୍ତୁଳନ ପାଇଁ ଉଦ୍ୟମ

ଖଣିଅଞ୍ଚଳ କ୍ରୋମାଇଟ୍‌ ସମୃଦ୍ଧ ଭୂତାତ୍ତ୍ବିକ ଇଲାକା ହୋଇଥିବାରୁ ଏଠାରେ ଦୀର୍ଘକାଳୀନ ଭୌଗଳିକ ଏବଂ ପାଣିପାଗ ପ୍ରତିକ୍ରିୟାର ପରିଣାମ ସ୍ବରୂପ ବିଷାକ୍ତ କ୍ରୋମିଅମ୍‌ ପ୍ରାକୃତିକ ଭାବେ ପଥର କିମ୍ବା ମାଟିର ଉପର ଭାଗରେ ରହିଥାଏ। ଋତୁକାଳୀନ ଜଳପ୍ରବାହ‌ରେ ମୃତ୍ତିକା କ୍ଷୟ ଓ ଧାତବ ଦ୍ରବ୍ୟ ସବୁ ଡମଶାଳ ପାଣିରେ ମିଶୁଥିବାରୁ କ୍ରୋମିଅମ୍‌ କଣିକାର ଅଧିକ ସଞ୍ଚାଳନ ଘଟିଥାଏ। ଯାହାକି ପରିବେଶ ଓ ଜୀବଜଗତର ସ୍ବାସ୍ଥ୍ୟ ପାଇଁ ହାନିକାରକ ‌ହୋଇଥାଏ। ତେବେ ଡମଶାଳ ତଟରେ ଏହି ଘାସ ରୋପଣ ଦ୍ବାରା କ୍ରୋମିଅମ୍‌ କଣିକାର ମାତ୍ରା ନିୟନ୍ତ୍ରଣ ସହିତ ମୃତ୍ତିକା ସଂରକ୍ଷଣ, ପରିବେଶ ସନ୍ତୁଳନ ଓ ଦୀର୍ଘକାଳୀନ ଅନୁକୂଳ ପରିବେଶ ପରିଚାଳନା କରାଯାଇପାରିବ।

୨୦୦୦ରୁ ଊର୍ଦ୍ଧ୍ବ ଘାସ ଚାରା

ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ବିଭାଗୀୟ ମୁଖ୍ୟ ବୈଜ୍ଞାନିକ ନବୀନ କୁମାର ଧଳଙ୍କ ପରାମର୍ଶରେ ଖଣି ପାର୍ଶ୍ବସ୍ଥ ଗୁରୁଜଙ୍ଗ ଗାଇଁସିରା ସାହିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫେକର-ବେଦାନ୍ତ ଖଣିମୁଖ୍ୟ ଇଂ ମୁଥୁମାରି ମଲାଇଚାମି, ଲଜିଷ୍ଟିକ୍‌ ମୁଖ୍ୟ ଇଂ ଅଜୟ କୁମାର ପାତ୍ର, ଭୂତତ୍ତ୍ବ ଓ ପରିବେଶ ମୁଖ୍ୟ ସୁଶାନ୍ତ କୁମାର ବିଶ୍ବାଳ, ଗୁରୁଜଙ୍ଗ ଶ୍ରୀରାମ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ସାମିଲ ‌ହୋଇଥିଲେ। ଗତ ୬ ତାରିଖରୁ ଖଣି ପାର୍ଶ୍ବସ୍ଥ ଡମଶାଳ ତଟରେ ଆଜି ସୁଦ୍ଧା ୨ ହଜାରରୁ ଅଧିକ ଘାସ ଚାରା ଲଗାଯାଇଥିବା ସୂଚନା ମିଳିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button