ଖେଳ

Sir Don Bradman: ୨.୭ କୋଟି‌ରେ ବିକ୍ରିହେଲା ବ୍ରାଡ୍‌ମ୍ୟାନ୍‌ଙ୍କ ଟୋପି

ସ୍ବାଧୀନ ରାଷ୍ଟ୍ର ଭାବେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତ ବେଳେ ମହାନ କ୍ରିକେଟର୍‌ ଡନ୍‌ ବ୍ରାଡମ୍ୟାନ୍‌ ପିନ୍ଧିଥିବା ଏକ ଟୋପି ୪୬୦,୦୦୦ ଅଷ୍ଟ୍ରେଲୀୟ ଡଲାର ବା ପାଖାପାଖି ୨.୭ କୋଟି ଟଙ୍କାରେ ବିକ୍ରି ହୋଇଛି।

ସିଡ୍‌ନି: ସ୍ବାଧୀନ ରାଷ୍ଟ୍ର ଭାବେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତ ବେଳେ ମହାନ କ୍ରିକେଟର୍‌ ଡନ୍‌ ବ୍ରାଡମ୍ୟାନ୍‌ ପିନ୍ଧିଥିବା ଏକ ଟୋପି ୪୬୦,୦୦୦ ଅଷ୍ଟ୍ରେଲୀୟ ଡଲାର ବା ପାଖାପାଖି ୨.୭ କୋଟି ଟଙ୍କାରେ ବିକ୍ରି ହୋଇଛି। ଗୋଲ୍‌ଡକୋଷ୍ଟଠାରେ ଅନୁଷ୍ଠିତ ନିଲାମରେ ଜଣେ ଅଜଣା କ୍ରେତା ଏଭଳି ଆଖିଖୋସି ହେଲା ଭଳି ଦରରେ ଟୋପିଟିକୁ କିଣିଛନ୍ତି।

୧୯୪୭-୪୮ ମସିହାର ଭାରତ ବିପକ୍ଷ ସେହି ଐତିହାସିକ ଘରୋଇ ଶୃଙ୍ଖଳାରେ ସେ ଏହି ଟୋପିକୁ ପିନ୍ଧି ଥିଲେ। ପରେ ଏହାକୁ ଭ୍ରମଣକାରୀ ବୋଲର୍‌ ରଙ୍ଗା ସୋହୋନିଙ୍କୁ ଉପହାର ଦେଇଥିଲେ। ଏହି ଶୃଙ୍ଖଳା ମଧ୍ୟ ବ୍ରାଡମ୍ୟାନ୍‌ଙ୍କର ଶେଷ ଘରୋଇ ଶୃଙ୍ଖଳା ଥିଲା। ସେବେଠାରୁ ଏହି ଟୋପିଟି ଲୁକାୟିତ ଅବସ୍ଥାରେ ଥିଲା। କେବେବି ଏହା ସର୍ବସାଧାରଣରେ ପ୍ରଦର୍ଶନ କରାଯାଇ ନଥିଲା। ନିକଟରେ ଏହାର ମାଲିକ ଟୋପିଟିକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତୀୟ କ୍ରିକେଟ୍‌ ଦଳ ୭୮ବର୍ଷ ତଳର ସେହି ଗସ୍ତରେ ଅଷ୍ଟ୍ରେଲିଆଠାରୁ ୦-୪ରେ ଶୃଙ୍ଖଳା ହାରିଥିଲା। ସୋହନି ଗୋଟିଏ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ୱିକେଟ୍‌ କରାୟତ୍ତ କରିଥିଲେ। ଭାରତ ଉକ୍ତ ମ୍ୟାଚ୍‌ରେ ପାଳି ପରାଜୟ ବରଣ କରିଥିଲା। ଏହି ଟୋପିର ଭିତରେ ଡିଜି ବ୍ରାଡମ୍ୟାନ୍ ଏବଂ ଏସ୍‌ଡବ୍‌ଲ୍ୟୁ ଲେଖାଅଛି। ସେହିଭଳି କ୍ରିକେଟ୍‌ ଅଷ୍ଟ୍ରେଲିଆ ଲୋଗୋ ତଳେ ୧୯୪୭-୪୮ ଲେଖା ବି ରହିଛି। ପ୍ରତି ଶୃଙ୍ଖଳାରେ ଖେଳାଳିମାନେ ଭିନ୍ନଭିନ୍ନ ଟୋପି ପିନ୍ଧୁଥିବା ସେହି ଅମଳର ବ୍ରାଡମ୍ୟାନ୍‌ଙ୍କ ୧୧ଟି ଚର୍ଚ୍ଚିତ ଟୋପି ଭିତରୁ ଏହି ଟୋପିଟି ଅନ୍ୟତମ।

ଏହା ପୂର୍ବରୁ ୧୯୨୮ ମସିହାରେ ବ୍ରାଡମ୍ୟାନ୍‌ ନିଜ ପଦାର୍ପଣ ଟେଷ୍ଟ୍‌ ଶୃଙ୍ଖଳାରେ ପିନ୍ଧିଥିବା ଏକ ଟୋପି ୨୦୨୦ ମସିହାରେ ଅଢ଼େଇ କୋଟି ଟଙ୍କା‌‌ରେ ନିଲାମ ହୋଇଥିଲା। କୌଣସି କ୍ରିକେଟର୍‌ଙ୍କ ଟୋପି ସର୍ବାଧିକ ଟଙ୍କାରେ ବିକ୍ରି ହେବାରେ ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍‌ ସ୍ପିନର ଦିବଂଗତ ସେନ୍‌ ୱର୍ଣ୍ଣ ପ୍ରଥମ ସ୍ଥାନରେ ରହିଛନ୍ତି। ୬ବର୍ଷ ତଳେ ସେ ପିନ୍ଧିଥିବା ଏକ ଟୋପି ୪.୯୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button