ଜାତୀୟପାଣିପାଗ

Solar Storm: ପୃଥିବୀକୁ ମାଡ଼ିଆସୁଛି ଶକ୍ତିଶାଳୀ ସୌରଝଡ଼, ଭାରତରେ ଦେଖାଯିବ ଅଦ୍ଭୁତ ଆଲୋକ

ନୂଆଦିଲ୍ଲୀ ୦୯।୦୬:ସୂର୍ଯ୍ୟ ଏବେ ଅତ୍ୟନ୍ତ ଆକ୍ରାମକ ଓ ଅଶାନ୍ତ ଜଣାପଡୁଛି । ସୂର୍ଯ୍ୟ ପୃଷ୍ଠରେ ଗତ ସପ୍ତାହ ଲଗାତାର ଭୟାନକ ବିସ୍ଫୋରଣ ହେଉଛି, ଯାହା ଦ୍ୱାରା ସେଥିରୁ ଚୁମ୍ବକୀୟ ଗ୍ୟାସ୍ର ବିଶାଳ ବାଦଲ ଅତି ଦ୍ରୁତ ବେଗରେ ମହାକାଶରେ ବ୍ୟାପୁଛି । ଏହି କ୍ରମରେ ଏକ ଅତ୍ୟନ୍ତ ବଡ଼ ଓ ଭୟାନକ ବୈଜ୍ଞାନିକ ଘଟଣା ସାମ୍ନାକୁ ଆସିଛି । ସୂର୍ଯ୍ୟ ପୃଷ୍ଠରେ ସଂଘଟିତ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ସେଠାରୁ ଏକ ବିଶାଳ କୋରୋନାଲ ମାସ୍ ଇଜେକ୍ସନ୍ ଓ ଅତ୍ୟଧିକ ଘନତ୍ୱବିଶିଷ୍ଟ ସୌରଝଡ଼ ରୂପେ ସିଧା ପୃଥିବୀ ଆଡ଼କୁ ମାଡ଼ିଆସୁଛି । ନାସା ଓ ସ୍ପେସ୍ ୱେଦର ପ୍ରେଡିକ୍ସନ୍ ସେଣ୍ଟର ଏହାକୁ ନେଇ ଅତ୍ୟନ୍ତ ଗମ୍ଭୀର ଚେତାବନୀ ଜାରି କରିଛି ।

ଏହି ସୌରଝଡ଼ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ହେବାକୁ ଯାଉଛି, ଯାହା ଯୋଗୁ ମହାକାଶ ପାଣିପାଗ ବିଭାଗ ଜି୩ ବିଭାଗର ଭୂ-ଚୁମ୍ବକୀୟ ଝଡ଼ ଅର୍ଥାତ୍ ଜିଓମ୍ୟାଗ୍ନେଟିକ୍ ଝଡ଼ ବିଷୟରେ ଘୋଷଣା କରିଛି । ଏହି ସୌର ଝଡ଼ ପ୍ରଭାବରେ ଭାରତର ଉତ୍ତର କ୍ଷେତ୍ର, ୟୁରୋପ, ଆମେରିକା ଓ ଅଷ୍ଟ୍ରେଲିଆ ଆକାଶରେ ଏକ ସ୍ୱତନ୍ତ୍ର ଓ ଚମକଦାର ଦୃଶ୍ୟ ଦେଖିବାକୁ ମିଳିପାରେ । ବୈଜ୍ଞାନିକ ଭାଷାରେ ଏହାକୁ ଅରୋରା ବା ନର୍ଦନ ଲାଇଟ୍ କୁହାଯାଏ ।

ସୂର୍ଯ୍ୟ ପୃଷ୍ଠରେ ‘ଆକ୍ଟିଭ୍ ରିଜନ୍ ୪୪୬୧’ ନାମକ ଏକ ଅତ୍ୟନ୍ତ ସକ୍ରିୟ କ୍ଷେତ୍ରରେ ଗତ ୬ ତାରିଖ ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହାକୁ ବୈଜ୍ଞାନିକମାନେ ଏମ୍ ୧.୮ ଶ୍ରେଣୀର ସୋଲାର ଫ୍ଲେୟର୍ ନାମ ଦେଇଛନ୍ତି । ସୋଲାର ଫ୍ଲେୟର୍ ଅର୍ଥ ସୂର୍ଯ୍ୟ ପୃଷ୍ଠରୁ ହଠାତ୍ ନିର୍ଗତ ଅତ୍ୟଧିକ ତୀବ୍ର ବିକିରଣର ବିସ୍ଫୋରଣ । ଚୁମ୍ବକୀୟ ଶକ୍ତି ହଠାତ୍ ମୁକ୍ତ ହେବା ଯୋଗୁ ଏହା ଉତ୍ପନ୍ନ ହୋଇଥାଏ । ଏ ଥର ଏହି ବିସ୍ଫୋରଣ ସ୍ୱତନ୍ତ୍ର ଓ ଚିନ୍ତାଜନକ ହେବାର କାରଣ ଏହାର କେନ୍ଦ୍ରରୁ ଏକ ଅତ୍ୟନ୍ତ ଘନ, ଭାରୀ ଓ ଅତ୍ୟଧିକ ଚୁମ୍ବକୀୟ ‘ଫିଲାମେଣ୍ଟ’ ବାହାରିଛି । ଏହି ଫିଲାମେଣ୍ଟ ଏବେ ସୌରମଣ୍ଡଳକୁ ଅତିକ୍ରମ କରି ସେକେଣ୍ଡ ପିଛା ୧,୪୦୦ କିମି ଅବିଶ୍ୱସନୀୟ ଓ ଭୟଙ୍କର ବେଗରେ ସିଧା ପୃଥିବୀ ଆଡ଼କୁ ମାଡ଼ିଚାଲିଛି । ମହାକାଶ ପାଣିପାଗ ବୈଜ୍ଞାନିକ ତମିଥା ସ୍କୋଭ୍ ଉପଗ୍ରହ ଚିତ୍ରଗୁଡ଼ିକର ବିଶ୍ଳେଷଣ କରି ଏହାକୁ ଏକ ‘ଟେକ୍ସଟବୁକ୍ କୋର୍ ଫିଲାମେଣ୍ଟ ଇରପ୍ସନ’ କହିଛନ୍ତି । ଅର୍ଥାତ୍ ଏଭଳି ଏକ ବିସ୍ଫୋରଣ ଯାହା ସିଧାସଳଖ ପୃଥିବୀ ବାୟୁମଣ୍ଡଳକୁ ପ୍ରଭାବିତ କରିବାରେ ପୂର୍ଣ୍ଣ ସକ୍ଷମ ।

ସୂର୍ଯ୍ୟର ବାହ୍ୟ ବାୟୁମଣ୍ଡଳକୁ କୋରୋନା କୁହାଯାଏ । ସେଠାରେ ତାପମାତ୍ରା ହାରାହାରି ୧୦- ୨୦ ଲକ୍ଷ ଡିଗ୍ରୀ ସେଲ୍ସିୟସ୍ । କିନ୍ତୁ ଏହି ଫିଲାମେଣ୍ଟ ଭିତରେ ଫସିଥିବା ପ୍ଲାଜ୍ମାର ତାପମାତ୍ରା ୫,୦୦୦-୧୦,୦୦୦ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ଥାଏ । ସୂର୍ଯ୍ୟ ତୁଳନାରେ ଏହା ଅତ୍ୟନ୍ତ ଥଣ୍ଡା ଓ ବହୁତ ଭାରୀ । ଏହି ଭାରୀ ଗ୍ୟାସ୍କୁ ଧରି ରଖିଥିବା ଚୁମ୍ବକୀୟ ବଳୟ ଯେତେବେଳେ ଦୁର୍ବଳ ବା ଅସ୍ଥିର ହୁଏ, ଫିଲାମେଣ୍ଟ ହଠାତ୍ ଭାଙ୍ଗିଯାଏ । ରବର ବ୍ୟାଣ୍ଡ ଭଳି ଝଟ୍କା ଯୋଗୁ ତାହା ମହାକାଶରେ ବ୍ୟାପିଯାଏ । ଅତ୍ୟନ୍ତ ଭାରୀ ହୋଇଥିବାରୁ ଏହା ଯେତେବେଳେ ପୃଥିବୀର ଚୁମ୍ବକୀୟ କବଚ ସହ ଧକ୍କା ହେବ, ଅତ୍ୟନ୍ତ ତୀବ୍ର ସୌରଝଡ଼ ଉତ୍ପନ୍ନ କରିବ ।

ବୈଜ୍ଞାନିକଙ୍କ ଅନୁସାରେ, ସୂର୍ଯ୍ୟର ଯେଉଁ କ୍ଷେତ୍ରରୁ ଏହି ଫିଲାମେଣ୍ଟ ବାହାରିଛି, ତା’ର ଚୁମ୍ବକୀୟ ରେଖା ଇଂରାଜୀ ଅକ୍ଷର ‘ଏସ୍’ ଆକାରରେ ଏକ ସ୍ପ୍ରିଙ୍ଗ୍ ଭଳି ପରସ୍ପର ସହ ଛନ୍ଦି ହୋଇଥିଲା । କୌଣସି ଚୁମ୍ବକୀୟ କ୍ଷେତ୍ର ଏଭଳି ମୋଡ଼ିହେଲେ, ତାହା ନିଜ ଭିତରେ ଅତ୍ୟଧିକ ମାତ୍ରାରେ ଉର୍ଜ୍ଜା ଜମା କରିଥାଏ । ଏହା ଚରମ ସୀମାରେ ପହଞ୍ଚିବା ପରେ ରେଖା ହଠାତ୍ ଭାଙ୍ଗିଗଲା ଏବଂ ପରସ୍ପର ମଧ୍ୟରେ ପୁନଃ ଯୋଡ଼ିହେଲା । ଏହି ପ୍ରକ୍ରିୟାକୁ ମ୍ୟାଗ୍ନେଟିକ୍ ରିକନେକ୍ସନ୍ କୁହାଯାଏ । ଏହି ଝଟ୍କାରୁ ଗୋଟିଏ ପଟେ ଭୟଙ୍କର ଏକ୍ସ-ରେ ବିକିରଣ ନିର୍ଗତ ହେଲା, ଯାହା ପୃଥିବୀର ରେଡିଓ ସଂଚାର ବ୍ୟବସ୍ଥାକୁ ପ୍ରଭାବିତ କଲା । ଅନ୍ୟପକ୍ଷେ, ୧ ଅରବ ଟନ୍ ଓଜନର ଚୁମ୍ବକୀୟ ପ୍ଲାଜ୍ମାର ବାଦଲ ସେକେଣ୍ଡ ପିଛା ୧,୪୦୦ କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସିଲା ।

 

 

 

ସୌଜନ୍ୟ Prameya News7

Show More
Back to top button