
ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଚାଲିଥିବା ପ୍ରଶାନ୍ତ ମହାପାତ୍ର ଓ ଶୁଭାଶିଷ ଭୂୟାଁ ସ୍ମାରକୀ ‘ଖିମ୍ଜୀ କପ୍’ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରଗତି ସ୍ପୋର୍ଟିଂ ପ୍ରବେଶ କରିଛି। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍ରେ ଏହି ଭୁବନେଶ୍ବର ଦଳ ୫ ୱିକେଟ୍ରେ ରାଉରକେଲା ୟୁଥ୍ କ୍ଲବ୍କୁ ହରାଇଛି। ରବିବାର ଫାଇନାଲ୍ରେ ପ୍ରଗତି ସ୍ପୋର୍ଟିଂ ଓ ଆୟୋଜକ ମୁକ୍ତେଶ୍ବର କ୍ଲବ୍ ଟ୍ରଫି ପାଇଁ ଲଢ଼ିବେ।
ଶୁକ୍ରବାର ରାଉରକେଲା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୯.୧ ଓଭରରେ ମାତ୍ର ୧୨୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ସୌମ୍ୟ ଲେଙ୍କା ୪୯, ଅଙ୍କିତ ପ୍ରସାଦ ଗୁପ୍ତା ୩୮ ରନ୍ କରିଥିଲା ବେଳେ ପ୍ରଗତି ସ୍ପୋର୍ଟିଂର ମିଲନ ସାମଲ (୬.୧-୨-୧୦-୩) ଓ ରାକେଶ ବିଶ୍ବାଳ (୬-୦-୩୪-୩) ବୋଲିଂ ସଫଳତା ପାଇଥିଲେ। ଜବାବରେ ପ୍ରଗତି ସ୍ପୋର୍ଟିଂ ୧୦ ରନ୍ରେ ୩ ୱିକେଟ୍ ହରାଇଥିଲେ ମଧ୍ୟ ଶାନ୍ତନୁ ମିଶ୍ର (୭୭ ବଲ୍ରୁ ୬୭*)ଙ୍କ ଅପରାଜିତ ପାଳି ବଳରେ ୨୨.୨ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅଧିନାୟକ ରଘୁନାଥ ମଲ୍ଲ (୨୬ ବଲ୍ରୁ ୩୭ ରନ୍) ଚତୁର୍ଥ ୱିକେଟ୍ରେ ଶାନ୍ତନୁଙ୍କୁ ସହ ୭୪ ରନ୍ର ଭାଗୀଦାର ଗଢ଼ିବାରୁ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି ଫାଇନାଲ୍ରେ ପହଞ୍ଚିଥିଲା। ରାଉରକେଲା ପକ୍ଷରୁ ଆକାଶ ଠାକୁର ୩ ୱିକେଟ୍ ନେଇଥିଲେ। ପ୍ରଗତିର ମିଲନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ନୀଳାଚଳ ଲିଜିଂ ଓ ଫାଇନାନ୍ସର ପରିଚାଳନା ନିର୍ଦେଶକ ଜେକେ ମହାନ୍ତି ଏବଂ ପରାମର୍ଶଦାତା ସତ୍ୟ ନାରାୟଣ ଦାସ ପ୍ରଦାନ କରିଥିଲେ।
ସୌଜନ୍ୟ ସମ୍ବାଦ



