Breaking News

ଓଡିଶାର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶନ କରୁଛି: ମୁଖ୍ୟମନ୍ତ୍ରୀ

୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

0

ଭୁବନେଶ୍ୱର: ୭୬ତମ ପବିତ୍ର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ପାଳିତ ହୋଇଯାଇଛି। କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ଅନୁଯାୟୀ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ଆରକ୍ଷୀ, ଓଡ଼ିଶା ସ୍ୱତନ୍ତ୍ର ସୁରକ୍ଷା ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ବଳ ଓ ପୋଲିସ ବ୍ୟାଣ୍ଡଙ୍କଠାରୁ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜବାନ ଏବଂ କରୋନା ଲଢ଼େଇରେ ଶହୀଦ ହୋଇଥିବା କୋଭିଡ୍‌ ଯୋଦ୍ଧାମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ କାରିଗରୀ, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି। ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା ଅନେକ ସଫଳତା ହାସଲ କରି ଦେଶକୁ ରାସ୍ତା ଦେଖାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣି କହିଥିଲେ ଯେ ଓଡିଶାରେ ଆଜି ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି। ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ବଳକା ରାଜ୍ୟ ହେବା, ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ପାଇଁ ଆଦର୍ଶ ସୃଷ୍ଟି କରିବା, କ୍ରୀଡ଼ା ହବ୍‌ ଭାବରେ ପରିଚୟ ସୃଷ୍ଟି କରିବା ଓ ୭୦ ଲକ୍ଷ ମା’ଙ୍କୁ ସଶକ୍ତ କରିବା ଆଦି ଉଲ୍ଲେଖନୀୟ ସଫଳତା ଆମ ଓଡିଶାର ଜୟଯାତ୍ରାର ପ୍ରତୀକ।
ଶିକ୍ଷା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଗୁଣାତ୍ମକ ଶିକ୍ଷାର ଦୃଢ ପ୍ରତିଶ୍ରୁତି ବହନ କରୁଛି ବୋଲି ପ୍ରକାଶ କରିଥିଲେ। ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି। ଗାଁର ମେଧାବୀ ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍‌ ଲୋକପ୍ରିୟ ହୋଇଛି। କୋଟିଆରୁ ଆରମ୍ଭ କରି ଭୁବନେଶ୍ୱାର ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି। ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ନିର୍ମାଣ କରାଯାଇଛି ବୋଲି ସେ କହିଥିଲେ।
ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆମେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ୱ ଦେଇଛୁ। ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ ନିୟମିତ ନିଯୁକ୍ତି ଜାରି ରହିଛି। ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ ଖାଲିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ ଜନଜାତି ଭାଇଭଉଣୀମାନଙ୍କ ବିକାଶ ଓ ସେମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମ୍‌ରେ ଓଡିଆ ପିଲା ଶେଷା କିଶାନଙ୍କୁ ଭେଟି ସେ ବହୁତ ଖୁସି ହୋଇଥିଲେ ବୋଲି ପ୍ରକାଶ କରିଥିଲେ।
ଖାଦ୍ୟ ସୁରକ୍ଷା ପରେ ପୋଷଣ ସୁନିଶ୍ଚିତତା ଅମର ଲକ୍ଷ୍ୟ। ମିଲେଟ୍‌ ମିଶନ ରାଜ୍ୟର ଊଣେଇଶଟି ଜିଲ୍ଲାକୁ ସଂପ୍ରସାରଣ କରାଯାଇଛି ଏଥିପାଇଁ ଦୁଇ ହଜାର ଆଠଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।
ଓଡିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡିଆମାନେ ସବୁବେଳେ ଆଞ୍ଚଳିକ ମନୋଭାବରୁ ଊର୍ଦ୍ଧ୍ୱକୁ ଉଠି ଜାତୀୟତାବୋଧରେ କାମ କରନ୍ତି। ଭାରତୀୟ ଜାତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳକୁ ପ୍ରାୟୋଜିତ କରିବା ଓଡିଶାର ଜାତୀୟତାବୋଧର ସର୍ବୋତ୍ତମ ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଲ୍ଲେଖ
କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଉ ୨୫ ବର୍ଷ ପରେ ଆମେ ସ୍ୱାଧୀନତାର ଶତାବ୍ଦୀ ବର୍ଷ ପାଳନ କରିବା। ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ। ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ବୋଲି ବିଶ୍ୱାସ ପ୍ରକଟ କରି ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ସମାପ୍ତ ହେବା ପରେ ପ୍ୟାରେଡ୍‌ କମାଣ୍ଡର କ୍ୱାମୀନାରା ଓ ଜୟହିନ୍ଦ୍‌ର ଧ୍ୱନୀ ଦେଇଥିଲେ। ଉତ୍ସବସ୍ଥଳରୁ ସମସ୍ତ ପ୍ୟାରେଡ୍‌ ଦଳ ପ୍ରସ୍ଥାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ମଞ୍ଚରୁ ପ୍ରସ୍ଥାନ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଧୀନତା ଦିବସ ଅବସରରେ ସାରାରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଭିଡ଼ିଓ ରଥ ଅଭିଯାନ ‘ଅହିଂସା ରଥ’ର ଶୁଭାରମ୍ଭ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୧୫ରୁ ଅକେଫାବର ୨ ତାରିଖ ପର୍ଯ୍ୟନ୍ତ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଅବଦାନ ସଂପର୍କରେ ସୂଚନା ପ୍ରଦାନ କରୁଥିବା ୪ଟି ଅହିଂସା ରଥ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ।
ଭାରତର ମୁକ୍ତି ଆନ୍ଦୋଳନରେ ଓଡ଼ିଶାର ଭୂମିକା ଏବଂ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ତଥା ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଅନେକ ତଥ୍ୟ ଓ ସୂଚନା ସଂପର୍କିତ ବହୁ ବିରଳ ଫଟୋ ସମ୍ବଳିତ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଉନ୍ମୁକ୍ତ ରହିବ।
ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱରାଷ୍ଟ୍ର ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ ସିଂହ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବଂଶଲ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇଥିଲେ। ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା, ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀବୃନ୍ଦ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ଏବଂ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଡ. ମୃତୁ୍ୟଞ୍ଜୟ ରଥ ଏବଂ ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

Leave A Reply

Your email address will not be published.