Breaking News

ମନୁଷ୍ୟ ଓ ପଣୁପକ୍ଷୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁସଙ୍ଗତ ସହାବସ୍ଥାନ ଉପରେ ଗୁରୁତ୍ୱ, ମାନବୀୟ ଢଙ୍ଗରେ ବୁଲା ଶ୍ୱାନଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି 

0

ଭୁବନେଶ୍ୱର: ରାଜ୍ୟରେ ମାନବୀୟ ଢଙ୍ଗରେ ବୁଲା ଶ୍ୱାନଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଉଛି । ଏହା ରାଜ୍ୟର ୧୨ଟି ସହରାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି । ତାଲିମପ୍ରାପ୍ତ ପ୍ରାଣୀ ଚିକିତ୍ସକ ଏବଂ ଆଧୁନିକ ଚିକିତ୍ସା ସୁବିଧା ସହିତ ଏହି ପଦକ୍ଷେପ ମାଧ୍ୟମରେ ସାରା ରାଜ୍ୟରେ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଏକ ନେଟ୍‌ୱାର୍କ ପ୍ରତିଷ୍ଠା କରାଯାଇଛି । ବୁଲା ଶ୍ୱାନଙ୍କୁ ସେମାନେ ରହୁଥିବା ଅଞ୍ଚଳରୁ ଧରାଯାଇ ଜନ୍ମ ନିୟନ୍ତ୍ରଣ ଅପରେସନ୍‌ ଓ ଟିକାକରଣ ପରେ ପୁନର୍ବାର ସେମାନେ ରହୁଥିବା ସ୍ଥାନରେ ଛାଡ଼ି ଦିଆଯାଉଛି । ଏହା ଶ୍ୱାନ-ମନୁଷ୍ୟଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁସଙ୍ଗତ ସହାବସ୍ଥାନ ଏବଂ ଜଳାତଙ୍କ ପରି ରୋଗର ନିୟନ୍ତ୍ରଣ ଦିଗରେ ସହାୟକ ହୋଇପାରୁଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଭୁବନେଶ୍ୱରଠାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଏବଂ ରାଜ୍ୟ ପ୍ରାଣିକଲ୍ୟାଣ ବୋର୍ଡର ମିଳିତ ସହଯୋଗରେ ଆୟୋଜିତ ଶ୍ୱାନ ଜନ୍ମ ନିୟନ୍ତ୍ରଣ ଓ ପ୍ରାଣିକଲ୍ୟାଣ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଶ୍ୱାନ ଜନ୍ମ ନିୟନ୍ତ୍ରଣ ନିୟମ ୨୦୨୩କୁ ରାଜ୍ୟରେ ଯେପରି ଠିକ୍‌ ରୂପରେ କାର୍ଯ୍ୟକାରୀ କରାଯିବ ସେ ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ ।

ଓଡ଼ିଶା ଜୈବ ବିବିଧତା ଏବଂ ବିବିଧ କୃଷି ପ୍ରଣାଳୀର ରାଜ୍ୟ । ଏଠାରେ ସର୍ବଦା ମନୁଷ୍ୟ ଓ ପଶୁପକ୍ଷୀଙ୍କ ଘନିଷ୍ଠ ସମ୍ବନ୍ଧ ରହିଆସିଛି । ଆମ କ୍ଷେତରେ କାର୍ଯ୍ୟରତ ବଳଦଠାରୁ ଆରମ୍ଭ କରି କୁକୁର, ବିଲେଇ, ଶୁଆ ଆଦି ପଶୁପକ୍ଷୀ ଆମର ଅତ୍ୟନ୍ତ ବିଶ୍ୱସ୍ତ ଓ ସେମାନେ ଆମ ସମାଜରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ନିଶ୍ଚିତ କରିବା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ୱ ।

ମନ୍ତ୍ରୀ ପୁଣି କହିଥିଲେ ଯେ, ଶ୍ୱାନ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସହିତ ଓଡିଶାରେ ପ୍ରାଣିକଲ୍ୟାଣକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଟୋଲ ଫ୍ରୀ ନମ୍ବର ୧୯୬୨ ସହିତ ରାଜ୍ୟବ୍ୟାପୀ ଆନିମାଲ ହେଲ¬ଲାଇନ ପ୍ରତିଷ୍ଠା କରାଯାଇଛି । ରାଜ୍ୟର ୧୧ ଗୋଟି ସହରାଞ୍ଚଳରେ ଆନିମାଲ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମେବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଏହି ସେବା ଯୋଗାଇ ଦେଉଛି । ପ୍ରାଣିକଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାରେ ଆଉ ଏକ ପାଦ ଆଗକୁ ଯାଇ ଗୋଶାଳାଗୁଡିକୁ ସହାୟତା ପ୍ରଦାନ କରାଯାଉଛି ।

ଅସହାୟ ଗୋରୁଙ୍କୁ ଆଶ୍ରୟ ଏବଂ ଯତ୍ନ ଯୋଗାଇଦେଉଥିବା ରାଜ୍ୟର ପଞ୍ଜିକୃତ ୫୨ ଗୋଟି ଗୋଶାଳାକୁ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ବାବଦକୁ ପ୍ରତି ବୟସ୍କ ଗୋରୁ ପାଇଁ ବାର୍ଷିକ ୧୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ୫୦ ରୁ ୧୫୦ ଅସହାୟ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ଉଦ୍ଦେଶ୍ୟରେ ନୂତନ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯନ୍ତ ସହାୟତା ପ୍ରଦାନ କରାଯାଉଛି ।

ଏପର୍ଯନ୍ତ ଏବାବଦରେ ୨୬ ଗୋଟି ଗୋ-ଆହେଡ୍‌ ପ୍ରଦାନ କରାଗଲାଣି । ପ୍ରାଣୀଙ୍କ ଅଧିକାର ରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା କାର୍ଯ୍ୟକ୍ରମ, ମନୁଷ୍ୟ ଏବଂ ପ୍ରାକୃତିକ ଦୁନିଆ ମଧ୍ୟରେ ଏକ ସୁସଙ୍ଗତ ସହଭାଗିତା ରକ୍ଷା କରିପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ, ରାଜ୍ୟରେ ପ୍ରାଣିକଲ୍ୟାଣ କାର୍ଯକଳାପକୁ ସୁଦୂରପ୍ରସାରୀ କରିବା ପାଇଁ ରାଜ୍ୟ ସରକାର ପ୍ରାଣିକଲ୍ୟାଣ ସଂଗଠନଗୁଡିକୁ ଅଧିକ ସହାୟତା ପ୍ରଦାନର ବ୍ୟବସ୍ଥା କରିଛନ୍ତି । ପ୍ରାଣିଚିକିତ୍ସାଳୟ ଓ କ୍ଲିନିକ ପ୍ରତିଷ୍ଠା ପାଇଁ ୫୦ ଲକ୍ଷ, ଅପରେସନ୍‌ ଥିଏଟର ପ୍ରତିଷ୍ଠା ପାଇଁ ୧୫ ଲକ୍ଷ, ପ୍ରାଣିପରିବହନ ଗାଡି ପାଇଁ ୨୫ ଲକ୍ଷ ଏବଂ ଶ୍ୱାନଗୃହ ତଥା ଅସହାୟ ପ୍ରାଣୀଙ୍କ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏସବୁ କ୍ଷେତ୍ରରେ କୌଣସି ପ୍ରାଣିକଲ୍ୟାଣ ସଂଗଠନକୁ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯନ୍ତ ସହାୟତା ପ୍ରଦାନ କରାଯାଇପାରିବ । ଏହି ସବୁ ଭିତ୍ତିଭୂମିଗତ ସୁବିଧା ଅସହାୟ ପଶୁପକ୍ଷୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇଦେବା ସାଙ୍ଗକୁ ସେମାନଙ୍କ ପ୍ରତି ଆମର ସହାନୁଭୂତିକୁ ପ୍ରଦର୍ଶନ କରୁଛି ।

ଏହି କର୍ମଶାଳାରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଡକଫର ୟେଦୁଲା ବିଜୟ, ବିଭିନ୍ନ ପ୍ରାଣିକଲ୍ୟାଣ ସଂସ୍ଥାର ପ୍ରତିନିଧି, ପ୍ରାଣିକଲ୍ୟାଣ ପାଇଁ କାର୍ଯରତ ବ୍ୟକ୍ତିବିଶେଷ ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଚାରି ଗୋଟି ବୈଷୟିକ ଅଧିବେଶନ ଆୟୋଜନ କରାଯାଇ ପ୍ରାଣିକଲ୍ୟାଣର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଉପନିର୍ଦ୍ଦେଶକ, ପ୍ରାଣିକଲ୍ୟାଣ ଡାକ୍ତର କୈଳାଶ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.