Breaking News

ଶାଳୀଙ୍କ ନାଁରେ କୋଠା, ପତ୍ନୀଙ୍କ ନାଁ ବିଦ୍ୟୁତ୍ ସଂଯୋଗ

0

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପରଜଙ୍ଗର ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରା ତଥା ଭୁବନେଶ୍ୱରର ଆର୍‌ଡବ୍ଳ୍ୟୁଏସ୍‌ଏସ୍‌ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ତାଙ୍କର ୨ଟି ତିନି ମହଲା ଓ ଗୋଟିଏ ଦୁଇ ମହଲା କୋଠା ସମେତ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଏହା ସହିତ ନଗଦ ୧.୮ ଲକ୍ଷ ଟଙ୍କା ଓ ୧୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଜବତ କରାଯାଇଛି।

ଦୁଇଟି ତିନି ମହଲା କୋଠା ମଧ୍ୟରୁ ଗୋଟିଏ ୩୨୩୦ ବର୍ଗଫୁଟ୍‌ର ଏକ କୋଠା ଭୁବନେଶ୍ୱରର ଆଇଗିଣିଆ ଅଞ୍ଚଳରେ ଅଛି। ଅନ୍ୟଟି ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ଶୁଶୁଡ଼ାରେ ରହିଛି। ଏହି କୋଠାଟିକୁ ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ ତାଙ୍କ ଶାଳୀଙ୍କୁ ବିକ୍ରି କରି ଦେଇଥିବା ଦେଖାଇଛନ୍ତି। ତେବେ ଉକ୍ତ କୋଠାର ବିଦ୍ୟୁତ୍ ସଂଯୋଗ ଏବେବି ଶ୍ରୀ ସାହୁଙ୍କ ପତ୍ନୀଙ୍କ ନାମରେ ରହିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି। ସେହିପରି ତାଙ୍କର ଦୁଇ ମହଲା କୋଠାଟି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଡିହଡୋଳରେ ଅଛି।
ଭୁବନେଶ୍ୱର, ଅନୁଗୋଳ ଓ ଢେଙ୍କାନାଳରେ ବିଜୟାନନ୍ଦଙ୍କର ୧୪ଟି ପ୍ଲଟ୍ ଠାବ କରାଯାଇଛି। ସେଗୁଡ଼ିକ ସଂପୃକ୍ତ ସହର ଗୁଡ଼ିକର ପ୍ରମୁଖ ସ୍ଥାନ ମାନଙ୍କରେ ରହିଛି। ଏହି ୧୪ଟି ପ୍ଲଟ୍ ମଧ୍ୟରୁ ୬ଟି ତାଙ୍କ ଶାଳୀଙ୍କ ନାଁରେ ଓ ୫ଟି ତାଙ୍କ ଶଳାଙ୍କ ନାଁରେ ରହିଛି। ଏଗୁଡ଼ିକ ବିଜୟାନନ୍ଦଙ୍କ ବେନାମୀ ସମ୍ପତ୍ତି ବୋଲି ଭିଜିଲାନ୍ସ ସନ୍ଦେହ କରୁଥିବା ବେଳେ ଏନେଇ ଯାଞ୍ଚ ଚାଲିଛି। ସେହିପରି ତାଙ୍କର ୩ଟି ଯାକ କୋଠା ଓ ପ୍ଲଟ ଗୁଡ଼ିକର ମୂଲ୍ୟାୟନ କରୁଛି ଭିଜିଲାନ୍ସ। ବିଜୟାନନ୍ଦଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଅଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.