ଓଡିଶା

Supply department: ସରକାରଙ୍କୁ ବିରୋଧୀଙ୍କ ଭର୍ତ୍ସନା: ଯୋଗାଣ ବିଭାଗ କାମ କରୁନି, ହିତାଧିକାରୀ ହନ୍ତସନ୍ତ

ବିଭିନ୍ନ ଆଳ ଦେଖାଇ ରାସନ୍ କାର୍ଡ ହିତାଧିକାରୀଙ୍କ ନାଁ କଟାଯାଇଛି। କିନ୍ତୁ ନୂଆ ଯୋଗ୍ୟ ହିତାଧିକାରୀଙ୍କ ନାଁ ଯୋଡ଼ିବାକୁ ସରକାର ଆଗ୍ରହ ଦେଖାଉ ନାହାନ୍ତି। ଚାଉଳ ବଳିପଡ଼ୁଛି ବୋଲି ପର୍ବପର୍ବାଣି ନାଁରେ ବାଣ୍ଟୁଛନ୍ତି।

ଭୁବନେଶ୍ବର: ବିଭିନ୍ନ ଆଳ ଦେଖାଇ ରାସନ୍ କାର୍ଡ ହିତାଧିକାରୀଙ୍କ ନାଁ କଟାଯାଇଛି। କିନ୍ତୁ ନୂଆ ଯୋଗ୍ୟ ହିତାଧିକାରୀଙ୍କ ନାଁ ଯୋଡ଼ିବାକୁ ସରକାର ଆଗ୍ରହ ଦେଖାଉ ନାହାନ୍ତି। ଚାଉଳ ବଳିପଡ଼ୁଛି ବୋଲି ପର୍ବପର୍ବାଣି ନାଁରେ ବାଣ୍ଟୁଛନ୍ତି। ଯୋଗାଣ ବିଭାଗ ଆଉ କାମ କରୁନି। ହିତାଧିକାରୀ, ଚାଷୀ ସବୁ ହନ୍ତସନ୍ତ ହେଉଛନ୍ତି। ମନ୍ତ୍ରୀ ଭୁଲ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରୁଛନ୍ତି। ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଏମିତି ଟାର୍ଗେଟ୍ କରିଥିଲେ ବିରୋଧୀ ବିଧାୟକ।

ବିଜେଡି ପକ୍ଷରୁ ଆସିଥିବା ‘ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବାଟବଣା: ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ନାହିଁ, ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ନାହିଁ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଥିଲା। ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ କହିଲେ, ଯୋଗାଣ ମନ୍ତ୍ରୀ ଗୃହରେ ଭୁଲ୍‌ ତଥ୍ୟ ଦେଉଛନ୍ତି। ଇ-କେୱାଇସି ମାଧ୍ୟମରେ ବିଭିନ୍ନ ବାଟରେ ପାଖାପାଖି ୧୭ ଲକ୍ଷ ହିତାଧିକାରୀଙ୍କ ନାମ କଟାଯାଇଛି। କିନ୍ତୁ ମାତ୍ର ୯ ଲକ୍ଷ ନୂଆ ହିତାଧିକାରୀଙ୍କୁ ଯୋଡ଼ାଯାଇଛି। ୨୦୧୮ରୁ ଏଯାଏଁ ପୋର୍ଟାଲ୍‌ ଖୋଲୁନି। ଫମ୍ପା ମାଠିଆର ଶବ୍ଦ ବେଶୀ। ଗତ ବର୍ଷ ୩୩ ଲକ୍ଷ ମେଟ୍ରିକ୍‌ ଟନ୍ ଚାଉଳ ବଳିଥିଲା।

ରାସନ୍ କାର୍ଡ ପ୍ରସଙ୍ଗରେ ଗୃହରେ ସରଗରମ ଆଲୋଚନା 
ସରକାରଙ୍କୁ ବିରୋଧୀଙ୍କ ଭର୍ତ୍ସନା

ସେଥିରୁ ଏଫ୍‌ସିଆଇ କେତେ ଉଠାଇଲା? କାହା ପାଖରେ କେତେ ବଳକା ଚାଉଳ ଅଛି? ଏମ୍ଏ‌ସ୍‌ପି ଉପରେ ବୋନସ୍‌ ଦେଲେ କେନ୍ଦ୍ର ଚାଉଳ କିଣିବନି ବୋଲି ସତର୍କ କରାଇଛି। ଏପଟେ ରଖିବାକୁ ଜାଗା ନାହିଁ ବୋଲି ସରକାର ପର୍ବପର୍ବାଣି ବାହାନାରେ କିଛି କିଛି ଚାଉଳ ଦେଇ ଦେଉଛନ୍ତି। ଏ ସରକାର ହରଡ଼ଘଣାରେ ପଡ଼ିଯାଇଛନ୍ତି। ବାସ୍ତବରେ ବିଭାଗ ଚାଲିନି, ଏଠି ଯାତ୍ରା ଚାଲିଛି। ମନ୍ତ୍ରୀ ଅଜବ ଉତ୍ତର ଦେଉଛନ୍ତି। ବ୍ୟୋମକେଶ ରାୟ କହିଥିଲେ, ସରକାର ଧାନ ସଂଗ୍ରହ ତାରିଖ ଘୁଞ୍ଚାଉଛନ୍ତି। କିନ୍ତୁ ଚାଷୀ ଧାନ ବିକ୍ରି କରିପାରୁନି। ବଳକା ଧାନକୁ ସରକାର ଅକ୍ସନ୍ କଲେ, କେତେ କ୍ଷତି ହେବ କୁହନ୍ତୁ। କେତେ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ଅପେକ୍ଷାରେ ଅଛନ୍ତି? ଧ୍ରୁବ ସାହୁ କହିଲେ, ଗୋଟିଏ ପଟେ ରାସନ୍ କାର୍ଡ କଟାଯାଉଛି। ଅନ୍ୟପଟେ ଯିଏ ଗେରୁଆ ଗାମୁଛା ପକାଇ ବ୍ଲକକୁ ଯାଉଛି, ତାହା ନାମ ଯୋଡ଼ି ଦିଆଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମିଲରମାନଙ୍କର ଏକ ବୈିଠକ ହୋଇଥିଲା। ମନ୍ତ୍ରୀ ଓ ବିଧାୟକଙ୍କୁ ଚାନ୍ଦା ଦେବାକୁ ସେମାନେ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୁଁ ଜିଲ୍ଲାପାଳଙ୍କୁ ଅବଗତ କରାଇଛି। ଯଦି ସତ୍‌ସାହସ ଅଛି, ମନ୍ତ୍ରୀ ଏହାର ତଦନ୍ତ କରାନ୍ତୁ।

କଂଗ୍ରେସ ବିଧାୟକ ଅଶୋକ ଦାସ କହିଲେ, ଖାଦ୍ୟ ଅଭାବରୁ ଏବେ ବି ଶିଶୁ ବିକ୍ରି ହେଉଛି। ବାହାରେ ଥିବା ଲୋକ ଇ-କେୱାଇସି କରିପାରି ନାହାନ୍ତି। ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯାଉଛି? ରାସନ୍ କାର୍ଡରେ କାହିଁକି କିରାସିନି ଦିଆଯାଉନି। କଂଗ୍ରେସ ବିଧାୟକ ସୋଫିଆ ଫିରଦୋସ୍‌ ମଧ୍ୟ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ।

ଶାସକ ଦଳ ସଭ୍ୟମାନଙ୍କ ଯୁକ୍ତି ଥିଲା, କାହାର ଚାଉଳ କଟାଯାଇ ନାହିଁ। ଯେଉଁ ୧୦ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି, ସେମାନଙ୍କର ଚାଉଳ କଟାଯାଇ ନାହିଁ। ବିରୋଧୀ ଦଳ ତଥ୍ୟକୁ ଓଲଟପାଲଟ ଉପସ୍ଥାପନ କରି ଗୃହକୁ ବିଭ୍ରାନ୍ତ କରୁଛନ୍ତି। ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ସବୁ ଚାଷୀଙ୍କ ଧାନ ଉଠିବ। ବିଜେଡି ସରକାର ସମୟରେ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯାଉଥିଲା। ସେହି ପରିସ୍ଥିତି ଆଉ ନାହିଁ। ପ୍ରକୃତ ହିତାଧିକାରୀ କେବେ ବି ବାଦ୍ ପଡ଼ିବେ ନାହିଁ। ଶାସକ ଦଳ ପକ୍ଷରୁ ସନ୍ତୋଷ ଖଟୁଆ, ଶାରଦା ପ୍ରଧାନ, ଓମପ୍ରକାଶ ମିଶ୍ର ଓ ଅଶ୍ବିନୀ ଷଡ଼ଙ୍ଗୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button