ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜ ଭାରତକୁ ସ୍ୱାଧୀନତା ପ୍ରଦାନ କରିଥିଲା ବୋଲି ଘୋଷଣା କରିବାକୁ ଦାୟର ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ‘ରାଷ୍ଟ୍ରପୁତ୍ର’ ଘୋଷଣା କରିବା ଏବଂ ୨୧ ଅକ୍ଟୋବର ୧୯୪୩ ଆଇଏନଏର ପ୍ରତିଷ୍ଠା ଦିବସ ଏବଂ ୨୩ ଜାନୁଆରି ୧୮୯୭ ତାଙ୍କ ଜନ୍ମବାର୍ଷିକୀକୁ ଜାତୀୟ ଦିବସ ଭାବରେ ପାଳନ କରିବାକୁ ମଧ୍ୟ ଦାବି କରାଯାଇଥିଲା। ସିଜେଆଇ ଏହି ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ସମାନ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଥିବା ସମାନ ଜନସ୍ୱାର୍ଥ ମାମଲାକୁ କୋର୍ଟ ପୂର୍ବରୁ ଖାରଜ କରିସାରିଛନ୍ତି । ସେତେବେଳେ, ସର୍ବୋଚ୍ଚ ଅଦାଲତ ମନ୍ତବ୍ୟ ଦେଇଥିଲେ ଯେ, ଏପରି ପ୍ରସଙ୍ଗ ନ୍ୟାୟିକ ସମୀକ୍ଷା ପରିସର ବାହାରେ ଏବଂ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଉଠାଇହେବ।
ସୋମବାର ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରି ପୂର୍ବ ରାୟ ସତ୍ତ୍ୱେ, ଆବେଦନକାରୀ କେବଳ ପ୍ରଚାର ଏବଂ ପ୍ରସିଦ୍ଧି ପାଇବା ପାଇଁ ଆବେଦନକୁ ପୁନଃ ଦାଖଲ କରିଥିବା କହିଛନ୍ତି। ଭବିଷ୍ୟତରେ ଏପରି ଅଯଥା ଆବେଦନ ଦାଖଲ କରିବା ନେଇ ସିଜେଆଇ ଆବେଦନକାରୀଙ୍କୁ ଚେତାବନୀ ଦେଇ ଏପରି କଲେ ଜରିମାନା ଲାଗୁ କରିବାକୁ ଚେତାବନୀ ଦେଇଛନ୍ତି। ସମାନ ପ୍ରସଙ୍ଗରେ ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଉ କୌଣସି ପିଆଇଏଲ୍ ବିଚାର ନକରିବାକୁ କୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ

