ଦେଶ ବିଦେଶ

Supreme Court questions: ବୁଲାକୁକୁରପ୍ରେମୀଙ୍କ ଆବେଦନ ଉପରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କୁକୁଡ଼ା, ଛେଳିଙ୍କର ଜୀବନ ନାହିଁ କି?

ବୁଲା କୁକୁର ପ୍ରସଙ୍ଗରେ ବୁଧବାର ସୁପ୍ରିମ୍‌କୋର୍ଟ ଶୁଣାଣି କରି କେବଳ କୁକୁରଙ୍କ ଉପରେ କେନ୍ଦ୍ରିତ ଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପଚାରିଛନ୍ତି, ଅନ୍ୟ ପଶୁମାନଙ୍କର ଯେପରିକି କୁକୁଡ଼ା ଓ ଛେଳିମାନଙ୍କର ଜୀବନ ନାହିଁ କି?

ନୂଆଦିଲ୍ଲୀ: ବୁଲା କୁକୁର ପ୍ରସଙ୍ଗରେ ବୁଧବାର ସୁପ୍ରିମ୍‌କୋର୍ଟ ଶୁଣାଣି କରି କେବଳ କୁକୁରଙ୍କ ଉପରେ କେନ୍ଦ୍ରିତ ଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପଚାରିଛନ୍ତି, ଅନ୍ୟ ପଶୁମାନଙ୍କର ଯେପରିକି କୁକୁଡ଼ା ଓ ଛେଳିମାନଙ୍କର ଜୀବନ ନାହିଁ କି?

ଶୁଣାଣି ସମୟରେ ଜଣେ ଆବେଦନକାରୀ କୋର୍ଟରେ ଠିଆ ହୋଇ ଜଣେ ବୃଦ୍ଧଙ୍କ ଫଟୋ ଦେଖାଇବାକୁ ଚେଷ୍ଟା କରିଥିଲେ, ଯିଏକି ବୁଲା କୁକୁରମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ଏହା ଉପରେ କୋର୍ଟ କହିଥିଲେ, ବୁଲା କୁକୁରମାନେ ଆକ୍ରମଣ କଲେ ଏହା ହିଁ ଘଟେ। ଏହି ଫଟୋ ଦେଖାଇବାର କୌଣସି ଆବଶ୍ୟକତା ନାହିଁ। ପୀଡ଼ିତଙ୍କ ତରଫରୁ ଯୁକ୍ତି ବାଢ଼ି ଓକିଲ କୋର୍ଟଙ୍କୁ କହିଥିଲେ, ବୁଲା କୁକୁରଙ୍କ ଯୋଗୁଁ ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି। ମାନବିକ ଅଧିକାରର ସୁରକ୍ଷା ହେବା ଆବଶ୍ୟକ। ଜାପାନ ଓ ଆମେରିକାରେ ‘ଡ୍ରାମ୍‌ବକ୍ସ’ ହତ୍ୟା ଆଶ୍ରୟସ୍ଥଳ ଅଛି, ଯେଉଁଠାକୁ ପରିତ୍ୟକ୍ତ କୁକୁରମାନଙ୍କୁ ନିଆଯାଏ। କେହି ପୋଷ୍ୟ ଭାବେ ଗ୍ରହଣ ନ କଲେ ଯନ୍ତ୍ରଣାହୀନ ମୃତ୍ୟୁ ଦିଆଯାଏ। ଏହି କାରଣରୁ ଜାପାନରେ ବୁଲା କୁକୁର ସମସ୍ୟା ନାହିଁ ଏବଂ ୧୯୫୦ ପରଠାରୁ କୌଣସି ଜଳାତଙ୍କ ମୃତ୍ୟୁ ହୋଇନାହିଁ।

ଜଣେ ପଶୁ ଅଧିକାର କର୍ମୀ ଏହା ପୂର୍ବରୁ କହିଥିଲେ, ଆମେ ସମସ୍ତ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ବିଷୟରେ କହୁଛୁ। ଯଦି କୁକୁରମାନେ ଅଦୃଶ୍ୟ ହୋଇଯାଆନ୍ତି ତେବେ ଆମେ ଆବର୍ଜନା ଓ ମାଙ୍କଡ଼ମାନଙ୍କ ଉତ୍ପାତ ବିଷୟରେ କ’ଣ କରିବୁ?

ଏହି ମାମଲାରେ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ, ଆମେ କୁକୁରପ୍ରେମୀ ଓ ପରିବେଶପ୍ରେମୀ ଭାବରେ ଏଠାରେ ଅଛୁ। କୋର୍ଟ ପଚାରିଲେ, ଅନ୍ୟ ପଶୁମାନଙ୍କ କଥା କ’ଣ?

କୁକୁଡ଼ା ଓ ଛେଳିମାନଙ୍କର ଜୀବନ ନାହିଁ କି?

ସିବଲ ଉତ୍ତର ଦେଇଥିଲେ, ମୁଁ ଚିକେନ୍ ଖାଇବା ବନ୍ଦ କରିଦେଇଛି। ଉଦାହରଣଛଳରେ ସେ କହିଥିଲେ ଯେ ଯଦି ଗୋଟିଏ ବାଘ ନରଭକ୍ଷକ ତେବେ ସମସ୍ତ ବାଘଙ୍କୁ ହତ୍ୟା କରାଯାଏ ନାହିଁ। ସମଗ୍ର ବିଶ୍ୱରେ କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ କରିବା, ଟିକା ଦେବା, ଛାଡ଼ିବା ଆଦି କ୍ଷେତ୍ରରେ ସିଏସ୍‌ଭିଆର୍ ମଡେଲ୍‌ ଅନୁସରଣ କରାଯାଉଛି। ଏହି ମଡେଲ୍‌ ସହରରେ କୁକୁର ସଂଖ୍ୟାକୁ ପ୍ରାୟ ଶୂନ୍ୟସ୍ତରକୁ ଖସାଇ ଆଣିବାରେ ସଫଳ ହୋଇଛି। ସେ ଯୁକ୍ତି ବାଢ଼ିଥିଲେ ଯେ ଭାରତ ଭଳି ଦେଶରେ ଯେଉଁଠାରେ ଅଳିଆ ଆବର୍ଜନା ପକାଇବା ଏବଂ ବସ୍ତି ରହିଛି, ସେଠାରେ ବୁଲା କୁକୁରମାନଙ୍କୁ ହଟାଇବା ଦ୍ବାରା ସମସ୍ୟା ଆହୁରି ବଢ଼ିଯିବ। ଆଶ୍ରୟସ୍ଥଳରେ ବୁଲା ପଶୁମାନଙ୍କୁ ରଖିବା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଉପରେ ଏକ ବଡ଼ ଆର୍ଥିକ ବୋଝ ସୃଷ୍ଟି କରିବ।

ପଶୁ କଲ୍ୟାଣ ଏନ୍‌ଜିଓ ପାଇଁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ କଲିନ୍ ଗୋନସାଲଭେସ୍ କହିଥିଲେ, କୁକୁର କାମୁଡ଼ାର ତଥ୍ୟ ପ୍ରକୃତ ସଂଖ୍ୟାର ପାଞ୍ଚରୁ ସାତ ଗୁଣ। କାରଣ ପ୍ରତ୍ୟେକ ଇଞ୍ଜେକ୍ସନ୍‌ ଡୋଜ୍‌କୁ ଏକ ପୃଥକ୍ କୁକୁର କାମୁଡ଼ା ମାମଲା ଭାବରେ ଗଣନା କରାଯାଏ। ୨୦୨୧ ମସିହାରୁ ୧୯ଟି ରାଜ୍ୟରେ କୌଣସି ଜଳାତଙ୍କ ମାମଲା ଦେଖାଯାଇନାହିଁ।

କୋର୍ଟ କହିଛନ୍ତି ଯେ ଆମର ଆଦେଶ ସଂଶୋଧିତ ଏବଂ ଆନୁଷ୍ଠାନିକ ଅଞ୍ଚଳରେ ସୀମିତ ଥିଲା, ରାସ୍ତା ନୁହେଁ। ବିଦ୍ୟାଳୟ, ଡାକ୍ତରଖାନା କିମ୍ବା କୋର୍ଟ ଭିତରେ ଆମକୁ ବୁଲା କୁକୁର କାହିଁକି ଦରକାର? ସେମାନଙ୍କୁ ଅନୁଷ୍ଠାନିକ ଅଞ୍ଚଳରୁ ହଟାଇବାରେ ଆପତ୍ତି କ’ଣ?

ସଲିସିଟର ଜେନେରାଲ କହିଥିଲେ, ସବୁକିଛି ପଶୁପ୍ରେମୀଙ୍କ ପରିବର୍ତ୍ତେ କୁକୁରପ୍ରେମୀଙ୍କ ଉପରେ କେନ୍ଦ୍ରିତ ହୋଇଛି। କୁକୁରମାନେ ଗେଟେଡ୍ କଲୋନିରେ ବୁଲିବା ଉଚିତ କି ନାହିଁ ତାହା ଆର୍‌ଡବ୍ଲ୍ୟୁଏ ଦ୍ୱାରା ସ୍ଥିର କରାଯିବା ଉଚିତ, ବ୍ୟକ୍ତିବିଶେଷ ଦ୍ବାରା ନୁହେଁ। ଯେତେବେଳେ ୯୦% ବାସିନ୍ଦା ବୁଲା କୁକୁରମାନଙ୍କୁ ବିରୋଧ କରନ୍ତି ଏବଂ ୧୦% ସେମାନଙ୍କୁ ରଖିବାକୁ ଜିଦ୍ ଧରିଥାନ୍ତି ସେତେବେଳେ ସମସ୍ୟା ଉପୁଜେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button