ଖେଳ

T20 World Cup: ନାମିବ୍ୟାକୁ ୯୩ ରନ୍‌ରେ ପରାସ୍ତ କଲା ଭାରତ

ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ସୂର୍ଯ୍ୟକୁମାରଙ୍କ ବାହିନୀ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିଜର ଦକ୍ଷତା ଦେଖାଇଛି ଏବଂ ନାମିବ୍ୟା ବିପକ୍ଷରେ ୯୩ ରନ୍‌ରେ ବିଜୟ ହାସଲ କରିଛି। ୨୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନାମିବ୍ୟା ୧୮.୨ ଓଭରରେ ୧୧୬ ରନ୍‌ ସଂଗ୍ରହ କରିଛି।

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟ୍ବେଣ୍ଟି୨୦ ପୁରୁଷ ବିଶ୍ବକପ୍‌-୨୦୨୬ରେ ଭାରତ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଗୁରୁବାର ଦମଦାର ପ୍ରଦର୍ଶନ କରିଛି। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ସୂର୍ଯ୍ୟକୁମାରଙ୍କ ବାହିନୀ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିଜର ଦକ୍ଷତା ଦେଖାଇଛି ଏବଂ ନାମିବ୍ୟା ବିପକ୍ଷରେ ୯୩ ରନ୍‌ରେ ବିଜୟ ହାସଲ କରିଛି। ୨୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନାମିବ୍ୟା ୧୮.୨ ଓଭରରେ ୧୧୬ ରନ୍‌ ସଂଗ୍ରହ କରିଛି। ଭାରତର ବରୁଣ ଚକ୍ରବର୍ତ୍ତୀ ୨ ଓଭର ବୋଲିଂ କରିଥିଲେ। ସେ ୭ରନ୍‌ ଖର୍ଚ୍ଚ କରି ୩ଟି ୱିକେଟ୍‌ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା।

ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଦ୍ବିତୀୟ ବିଜୟ ସହ ଗ୍ରୁପ୍‌ ‘ଏ’ର ଶୀର୍ଷ ସ୍ଥାନକୁ ଫେରିଛି। ଗୁରୁବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତୀୟ ଦଳ ୯୩ ରନ୍‌ର ବଡ଼ ବ୍ୟବଧାନରେ ନାମିବ୍ୟାକୁ ପରାସ୍ତ କରିଛି। ଈଶାନ କିଶନ, ହାର୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲଙ୍କ ସ୍ପିନ୍‌ କମାଲ୍‌ ଭାରତକୁ ଏକପାଖିଆ ବିଜୟ ଦେଇଛି। ଭାରତର ୨୦୯ ରନ୍‌ ଜବାବରେ ନାମିବ୍ୟା ୧୦ ବଲ୍‌ ପୂର୍ବରୁ ୧୧୬ ରନ୍‌ରେ ଅଟକିଯାଇଥିଲା। ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍‌ ରବିବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳିବ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଇଁ ଈଶାନ କିଶନ ଓ ସଂଜୁ ସାମ୍‌ସନ୍‌ ପାଳି ଆରମ୍ଭ କରିଥିଲେ। ଅସୁସ୍ଥ ଅଭିଷେକଙ୍କ ବଦଳରେ ସ୍ଥାନ ପାଇଥିବା ସଂଜୁ ଧୂଆଁଧାର ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ପାଳି ଖେଳିପାରି ନଥିଲେ। ତାଙ୍କ ପାଳି ୮ ବଲ୍‌ ୨୨ ରନ୍‌ରେ ଶେଷ ହୋଇଯାଇଥିଲା। ଏହା ମଧ୍ୟରେ ସେ ୩ ଛକା ବି ମାରିଥିଲେ। ଏହା ପରେ ତିଳକ ବର୍ମା (୨୧ ବଲ୍‌ରୁ ୨୫ ରନ୍) ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧୩ ବଲ୍‌ରୁ ୧୨ ରନ୍) ବିଶେଷ ପ୍ରଭାବ ଛାଡ଼ିପାରି ନଥିଲେ। ଈଶାନ କିନ୍ତୁ ତାଙ୍କ ପାରମ୍ପରିକ ବ୍ୟାଟିଂ ଜାରି ରଖି ୨୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ପାୱାର ପ୍ଲେ ଭିତରେ ସେ ଏହି ଲକ୍ଷ୍ୟରେ ପହଞ୍ଚିବା ସହ ଭାରତକୁ ୮୫/୧ରେ ରଖିଥିଲେ। ୟୋନାଥନ ସ୍ମିଟ୍‌ ବୋଲିଂ କରିଥିବା ଷଷ୍ଠ ଓଭରରେ ଈଶାନ ୪ କ୍ରମାଗତ ଛକା ମାରି ୨୮ ରନ୍‌ ଆଦାୟ କରିବା ଉଲ୍ଲେଖନୀୟ ଥିଲା। ଏହା ପରେ ଅବଶ୍ୟ ଈଶାନ (୨୪ ବଲ୍‌ରୁ ୬୧ ରନ୍‌, ୬ ଚୌକା, ୫ ଛକା) ବିଶେଷ ଆଗକୁ ବଢ଼ିପାରି ନଥିଲେ। ଭାରତ ପାଳିକୁ କିନ୍ତୁ ଏହି ସମୟରେ ହାର୍ଦିକ ପାଣ୍ଡ୍ୟା (୨୮ ବଲ୍‌ରୁ ୫୨ ରନ୍‌, ୪ ଚୌକା, ୪ ଛକା) ଏବଂ ଶିବମ ଦୁବେ (୧୬ ବଲ୍‌ରୁ ୨୩ ରନ୍‌) ସମ୍ଭାଳି ନେଇଥିଲେ। ତଥାପି ଭାରତ ଶେଷ ୨ ଓଭରରେ ମାତ୍ର ୧୦ ରନ୍‌ ଯୋଡ଼ି ୫ ୱିକେଟ୍‌ ହରାଇବା ପ୍ରଶଂସକଙ୍କୁ ନିରାଶ କରିଥିଲା। ଗେରାଡ୍‌ ଏରାସମସ୍‌ (୪-୦-୨୦-୪) ପ୍ରଶଂସନୀୟ ବୋଲିଂ କରିବା ନାମିବ୍ୟା ପାଇଁ ଏକମାତ୍ର ସକରାତ୍ମକ ଦିଗ ଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୦୯/୯ (ଈଶାନ କିଶନ-୬୧, ହାର୍ଦିକ ପାଣ୍ଡ୍ୟା-୫୨, ତିଳକ ବର୍ମା-୨୫, ଗେରାଡ୍‌ ଏରାସ୍‌ମସ୍‌-୪/୨୦)। ନାମିବ୍ୟା ୧୮.୨ ଓଭରରେ ୧୧୬/୧୦ (ଲୌରେନ୍‌ ଷ୍ଟିନ୍‌କେମ୍ପ୍‌-୨୯, ବରୁଣ ଚକ୍ରବର୍ତ୍ତୀ-୩/୭, ଅକ୍ଷର ପଟେଲ୍‌-୨/୨୦, ହାର୍ଦିକ ପାଣ୍ଡ୍ୟା-୨/୨୧, ଶିବମ ଦୁବେ-୧/୧୧, ଯଶପ୍ରୀତ୍‌ ବୁମ୍‌ରା-୧/୨୦, ଅର୍ଶଦୀପ ସିଂହ-୧/୩୬)।

Show More

Leave a Reply

Your email address will not be published. Required fields are marked *

Back to top button