ମହାନଗର

Shantipalli slum: ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କୁ ବାସଗୃହ ଆବଣ୍ଟନ ପାଇଁ ପଥ ପରିଷ୍କାର: ମାମଲା ଶୁଣାଣିରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

ଭୁବନେଶ୍ୱର ସହିଦନଗର ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ହିତାଧିକରୀଙ୍କ ବାସଗୃହ ନିର୍ମାଣ ଓ ଆବଣ୍ଟନ ପାଇଁ ପଥ ପରିଷ୍କାର ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା....

କଟକ: ଭୁବନେଶ୍ୱର ସହିଦନଗର ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ହିତାଧିକରୀଙ୍କ ବାସଗୃହ ନିର୍ମାଣ ଓ ଆବଣ୍ଟନ ପାଇଁ ପଥ ପରିଷ୍କାର ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ୨୦୨୩ରୁ ବିଚାରାଧୀନ ଥିବା ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଅଙ୍କୁଶ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏ ସଂପର୍କିତ ମାମଲା ଗୁଡ଼ିକର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶାନ୍ତିପଲ୍ଲୀ ବସ୍ତିର କେତେକ ବାସିନ୍ଦାଙ୍କ ତରଫରୁ ଦାୟର ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ସରକାରୀ ଜମିର ଦୀର୍ଘ ଓ ନିରନ୍ତର ଦଖଲ ଜଣଙ୍କୁ ଏହାର ମାଲିକାନା କିମ୍ବା ଦଖଲରେ ରଖିବାର ଅନିର୍ଦ୍ଦିଷ୍ଟ ଅଧିକାର ପ୍ରଦାନ କରେ ନାହିଁ।

ଶାନ୍ତିନଗର ଆବାସ ଯୋଜନା ପାଇଁ ୧୯ ଏକର ୩୯୫ ଡିସିମିଲ ଜମି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)କୁ ସାଧାରଣ ପ୍ରଶାସନ ବିଭାଗ ୨୦୧୬, ନଭେମ୍ବର ୪ର ବିଜ୍ଞପ୍ତି ଆଧାରରେ ଟ୍ରାନ୍ସଫର କରିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି। ଏହି ଯୋଜନାରେ ବାସଗୃହ ପାଇଁ ହିତାଧିକାରୀଙ୍କ ଅଂଶ ୧ ଲକ୍ଷ ୫୦ ହଜାର ଟଙ୍କା ନିର୍ଦ୍ଧାରଣ ନିଷ୍ପତ୍ତି ମଧ୍ୟ କାଏମ ରହିଛି। ଆବେଦନକାରୀଙ୍କୁ ନିର୍ଦ୍ଧାରିତ ସମୟରେ ତତ୍କାଳିକ ବାସସ୍ଥାନରେ ସର୍ବନିମ୍ନ ମୌଳିକ ସୁବିଧା ପ୍ରଦାନ ସହ ଥଇଥାନ କରାଯିବ। ଯେଉଁ ହିତାଧିକାରୀ ଆବାସ ଯୋଜନା ଅନ୍ତର୍ଗତ ନିଜ ଅଂଶ ଦେଇ ନପାରିବେ ସେମାନଙ୍କୁ ବିଏମ୍‌ସି ଓ ବିଡିଏ ବ୍ୟାଙ୍କ ଋଣ ସମର୍ଥନ ସୁବିଧା ଓ ସହଯୋଗ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଗୃହ ଆବଣ୍ଟନର ନିରପେକ୍ଷତା, ତତ୍କାଳିକ ବାସସ୍ଥାନ ସୁବିଧା ଓ ଆର୍ଥିକ ସହାୟତା ପ୍ରସଂଗ ତଦାରଖ ପାଇଁ ଏକ ତଦାରଖ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button