ଓଡିଶା

Alcohol in village: ମଦ ପାଇଁ ପୁରୁଷଶୂନ୍ୟ ହୋଇଗଲାଣି ଗାଁ: ୫୦ ପ୍ରତିଶତ ମହିଳା ଭୋଗୁଛନ୍ତି ବୈଧବ୍ୟ ଯନ୍ତ୍ରଣା, ଚାଲିଛି ୮ରୁ ଅଧିକ ଚୋରା ମଦଭାଟି

ମଦ ପାଇଁ ଗୋଟିଏ ଗାଁ ଏବେ ପୁରୁଷ ଶୂନ୍ୟ ହେବାକୁ ବସିଛି। ଗାଁର ଅଧାରୁ ଅଧିକ ମହିଳା ବୈଧବ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏମିତିକି କିଛି ମହିଳା ବିବାହର ମାତ୍ର ବର୍ଷେ ପରେ ସ୍ବାମୀଙ୍କୁ ହରାଇଛନ୍ତି। ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ପରେ ପିଲାମାନଙ୍କ ମୁହଁରେ ଦାନା....

ଅଭୟ ପତ୍ରୀ
ସୋର: ମଦ ପାଇଁ ଗୋଟିଏ ଗାଁ ଏବେ ପୁରୁଷ ଶୂନ୍ୟ ହେବାକୁ ବସିଛି। ଗାଁର ଅଧାରୁ ଅଧିକ ମହିଳା ବୈଧବ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏମିତିକି କିଛି ମହିଳା ବିବାହର ମାତ୍ର ବର୍ଷେ ପରେ ସ୍ବାମୀଙ୍କୁ ହରାଇଛନ୍ତି। ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ପରେ ପିଲାମାନଙ୍କ ମୁହଁରେ ଦାନା ଦେବା ପାଇଁ ମହିଳାମାନେ ସଂଘର୍ଷ କରୁଛନ୍ତି। ଏମିିତି ଏକ ଅଭିଶପ୍ତ ଗାଁ ପାଲଟିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ସିଙ୍ଗାଖୁଣ୍ଟା ପଞ୍ଚାୟତ ଅଧୀନ ବନ୍ଧସାହି।

ବନ୍ଧସାହିର ଟୁନା ନାୟକ ପ୍ରଚୁର ମଦ୍ୟପାନ ପାଇଁ କିଡ୍‌ନି ଖରାପ ହେବାରୁ ୨ବର୍ଷ ତଳେ ଆରପାରିକୁ ଚାଲିଗଲେ। ଏବେ ଦୁଇ ପୁଅ, ଗୋଟିଏ ଝିଅକୁ ନେଇ ପତ୍ନୀ ଶ୍ରୀମତୀ ବହୁ କଷ୍ଟରେ ଚଳୁଛନ୍ତି। ୨ ବର୍ଷ ତଳେ ତାଙ୍କ ଶାଶୂ ଚାରୁ ଓ ୬ ବର୍ଷ ତଳେ ଶ୍ୱଶୁର ମହେଶ୍ୱର ମଧ୍ୟ ଅତ୍ୟଧିକ ମଦ ପିଇବା କାରଣରୁ ମୃତ୍ୟୁବରଣ କରିଥିଲେ। ଏବେ ଛୋଟଛୋଟ ପିଲାଙ୍କୁ ନେଇ ପରଘରେ ମୂଲ ଲାଗିବା ସହ ଝୁମ୍ପୁଡ଼ି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ଶ୍ରୀମତୀ।

ସେହିପରି ଗ୍ରାମର ଟିକିନା ନାୟକ ମଦ ପିଇ ପ୍ରାଣ ହରାଇବା ପରେ ବିଧବା ଶାଶୂ ଓ ୩ ପିଲାଙ୍କ ଭାର ଏବେ ପତ୍ନୀ ଯମୁନା ନାୟକଙ୍କ କାନ୍ଧରେ ପଡ଼ିଛି। ଏହି ପରିବାର ଏବେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। କେବଳ ଯମୁନା କି ଶ୍ରୀମତୀ ନୁହଁ; ଗ୍ରାମର ଅଧାରୁ ଅଧିକ ମହିଳାଙ୍କର ଅବସ୍ଥା ପ୍ରାୟ ସମାନ। ମଦ ପାଇଁ ଘରର ମୁରବି ଅକାଳରେ ପ୍ରାଣ ହରାଇବା ପରେ ମହିଳାମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

୨୦୨୫ ନଭେମ୍ବରରେ ବନ୍ଧସାହିର ମଙ୍ଗୁଳିଆ ନାଏକ (୫୦), ଡିସେମ୍ବର ୭ ରେ ରୁୟିଆ ସିଂ (୬୨) ଓ ତାଙ୍କ ପରିବାରର ଲେତ ସିଂ (୪୨)ଙ୍କର ମଦ ପାଇଁ ଜୀବନ ଯାଇଥିଲା। ପ୍ରତିବର୍ଷ ୧୦ରୁ ଅଧିକ ଲୋକ ଏହି ସମାନ କାରଣରୁ ମୃତ୍ୟୁବରଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହା ସତ୍ତ୍ବେ ଏହି ଅଞ୍ଚଳରେ ବେଆଇନ ମଦଭାଟି ଛତୁ ଫୁଟିଲା ଭଳି ଖୋଲୁଛି। ଏହି ଗାଁରେ ଏବେ ୮ରୁ ଅଧିକ ଚୋରା ମଦ ଦୋକାନ ଅଛି। କେବଳ ପୁରୁଷ କାହିଁକି; ମହିଳା ଓ ନାବାଳକମାନେ ମଧ୍ୟ ସଂଧ୍ୟା ହେବାକ୍ଷଣି ମଦ ପିଇବାକୁ ଧାଡ଼ି ଲଗାଉଛନ୍ତି। ଏଠାରେ ଚୋରା ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସ୍ବାସ୍ଥ୍ୟ ଶିବିର କରି ରୋଗାକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଦାବି ହେଉଛି। ଏନେଇ ସୋର ଅବକାରୀ ଥାନାଧିରୀ ପ୍ରଜ୍ଞାପ୍ରିୟା ନାୟକ କହିଛନ୍ତି ଯେ ମୁଁ ଅଳ୍ପ ଦିନ ହେବ ଏଠାକୁ ଆସିଛି। ଜଙ୍ଗଲ ପାଦଦେଶରେ ଥିବା ବେଆଇନ ମଦ କାରଖାନା ଉପ‌ରେ ନିୟମିତ ଚଢ଼ଉ କରାଯାଉଛି। ଆଗକୁ ବନ୍ଧସାହି ଗାଁରେ ମଧ୍ୟ ଜୋର୍‌ଦାର ଚଢ଼ଉ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button