ଖେଳ

Virat Kohli: ବିଜୟ ହଜାରେ ଟ୍ରଫିରେ ଆଉ ଗୋଟିଏ ମ୍ୟାଚ୍ ଖେଳିବେ ବିରାଟ

ଦିଲ୍ଲୀ ପାଇଁ ପ୍ରଥମ ଦୁଇଟି ମ୍ୟାଚରେ କୋହଲି ଭଲ ଫର୍ମରେ ଥିଲେ। ସେ ଯଥାକ୍ରମେ ୧୩୧ ଏବଂ ୭୭ ରନ୍ କରିଥିଲେ। ଏହି ସମୟ ମଧ୍ୟରେ, କୋହଲି ଲିଷ୍ଟ ଏ କ୍ରିକେଟରେ ସବୁଠାରୁ କମ୍ ପାଳିରେ ୧୬,୦୦୦ ରନ୍ ପୂରଣ କରିବାର ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି।

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଆଉ ଗୋଟିଏ ମ୍ୟାଚ୍ ଖେଳିବେ। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ସଭାପତି ରୋହନ ଜେଟଲୀ ସୋମବାର କହିଛନ୍ତି ଯେ, କୋହଲି ଜାନୁଆରୀ ୬ରେ ରେଲଓ୍ବେ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପାଇଁ ଖେଳିବେ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତି ପାଇଥିବା ସମସ୍ତ ଖେଳାଳିଙ୍କ ପାଇଁ ବିଜୟ ହଜାରେ ଟ୍ରଫିରେ ଅତି କମରେ ଦୁଇଟି ମ୍ୟାଚରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ କରିଥିଲା।

କୋହଲି ବିଜୟ ହଜାରେ ଟ୍ରଫିର ଦୁଇଟି ମ୍ୟାଚ ଖେଳିସାରିଛନ୍ତି । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ସେ ଦିଲ୍ଲୀ ପାଇଁ ତୃତୀୟ ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି। ଡିଡିସିଏ ସଭାପତି ରୋହନ ଜେଟଲୀ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବର୍ତ୍ତମାନ ସେ ଖେଳୁଛନ୍ତି। ବିରାଟ ତିନୋଟି ମ୍ୟାଚ୍ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀ ପାଇଁ ପ୍ରଥମ ଦୁଇଟି ମ୍ୟାଚରେ କୋହଲି ଭଲ ଫର୍ମରେ ଥିଲେ। ସେ ଯଥାକ୍ରମେ ୧୩୧ ଏବଂ ୭୭ ରନ୍ କରିଥିଲେ। ଏହି ସମୟ ମଧ୍ୟରେ, କୋହଲି ଲିଷ୍ଟ ଏ କ୍ରିକେଟରେ ସବୁଠାରୁ କମ୍ ପାଳିରେ ୧୬,୦୦୦ ରନ୍ ପୂରଣ କରିବାର ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। କୋହଲି ତାଙ୍କର ୩୩୦ତମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରି କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ତେନ୍ଦୁଲକର ୩୯୧ ଇନିଂସରେ ଏହି ସଫଳତା ହାସଲ କରିଥିଲେ।

ବିସିସିଆଇର ସୂତ୍ର ଅନୁସାରେ, ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦିନିକିଆ ଦଳ ଜାନୁଆରୀ ୮ ସୁଦ୍ଧା ଭଦୋଦରାରେ ପହଞ୍ଚିବ । କିନ୍ତୁ ଅଭ୍ୟାସ ପାଇଁ କୋହଲି ଗୋଟିଏ ଦିନ ପୂର୍ବରୁ ପହଞ୍ଚିପାରନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଜାନୁଆରୀ ୧୧ରେ ଆରମ୍ଭ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ଦଳ ଘୋଷଣା କରାଯାଇ ନାହିଁ । କିନ୍ତୁ ବିଶ୍ୱାସ କରାଯାଉଛି ଯେ, ଜାନୁଆରୀ ପ୍ରଥମ ସପ୍ତାହରେ ଭାରତୀୟ ଦଳ ଘୋଷଣା ହୋଇପାରେ। କୋହଲି ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button