16 mule accounts seized in Kandhamal: କନ୍ଧମାଳରେ ୧୬ ମ୍ୟୁଲ୍ ଆକାଉଣ୍ଟ ଠାବ: କାର୍ପଟଦାର ସାଜିଥିଲେ ବ୍ୟାଙ୍କ ଅଧିକାରୀ, ୬.୨୭ କୋଟି ଟଙ୍କା ଠକେଇ
ଏକ ଠକେଇ ଅପରାଧରେ ସଂପୃକ୍ତ ଗ୍ୟାଙ୍ଗ୍ର କିଙ୍ଗ୍ପିନ୍ ସମେତ ୫ ଜଣ ସାଇବର୍ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କନ୍ଧମାଳ ସାଇବର୍ ପୁଲିସ। ଜିଲ୍ଲାରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଚାଲିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କନ୍ଧମାଳ ପୁଲିସକୁ ସୂଚନା ମିଳିବା ପରେ ତନାଘନା ହୋଇଥିଲା।

ଫୁଲବାଣୀ: ଏକ ଠକେଇ ଅପରାଧରେ ସଂପୃକ୍ତ ଗ୍ୟାଙ୍ଗ୍ର କିଙ୍ଗ୍ପିନ୍ ସମେତ ୫ ଜଣ ସାଇବର୍ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କନ୍ଧମାଳ ସାଇବର୍ ପୁଲିସ। ଜିଲ୍ଲାରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଚାଲିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କନ୍ଧମାଳ ପୁଲିସକୁ ସୂଚନା ମିଳିବା ପରେ ତନାଘନା ହୋଇଥିଲା। ଭୁବନେଶ୍ବର ଶୈଳଶ୍ରୀବିହାରସ୍ଥିତ ସୂର୍ଯ୍ୟୋଦୟ ବ୍ୟାଙ୍କର ଜଣେ ପଦସ୍ଥ ଅଧିକାରୀ ତୁଷାରକାନ୍ତି ଦାସଙ୍କ ନେତୃତ୍ବରେ କନ୍ଧମାଳରେ ଶତାଧିକ ଗ୍ରାହକଙ୍କ ନାମରେ ମ୍ୟୁଲ୍ ଆକାଉଣ୍ଟ ଖୋଲାଯାଇଥିଲା। ଠକେଇର ତଦନ୍ତ କରି କନ୍ଧମାଳ ପୁଲିସ ମୁଖ୍ୟ ଅଭିଯୁକ୍ତ ତୁଷାରକାନ୍ତିଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ କଲ୍ତିଆ ଗ୍ରାମର ତୁଷାରକାନ୍ତି ଦାସ (୩୦), ଫୁଲବାଣୀ ସହରର ଅବିନାଶ ମହାପାତ୍ର (୩୦), ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମର କିରଣ କୁମାର ବେହେରା (୨୯) ଓ ଗୋପାଳ ସିଂହ (୨୯) ଏବଂ ଫୁଲବାଣୀ ଗଣେଶ ବଜାରନିବାସୀ ବାଦଲ କୁମାର ସ୍ବାଇଁ (୩୪)।
ଆଜି କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ମାଷ୍ଟର୍ମାଇଣ୍ଡ୍ ବ୍ୟାଙ୍କ ଅଧିକାରୀ ତୁଷାରଙ୍କ ସହିତ ଅଭିଯୁକ୍ତମାନେ ୬.୨୭ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଥିଲେ। ଏହି ଠକମାନେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଗ୍ରାହକମାନଙ୍କ ନାମରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ବେନାମୀ ଆର୍ଥିକ କାରବାର ଚଳାଇଥିଲେ ବୋଲି ପୁଲିସ କହିଛି। ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଠକମାନେ ୫ ହଜାର ଟଙ୍କା ଓ କର୍ପୋରେଟ୍ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ୫୦ ହଜାର ଟଙ୍କା ଦେବାର ଲୋଭ ଦେଖାଉଥିଲେ। ଏହି ଠକମାନେ ସାଧାରଣ ଗ୍ରାହକଙ୍କଠାରୁ ସିମ୍ କାର୍ଡ, ପାସ୍ ବୁକ୍, ଆଧାର କାର୍ଡ, ପ୍ୟାନ୍ କାର୍ଡ ଆଦି କାଗଜପତ୍ର ନେଇ ମ୍ୟୁଲ୍ ଆକାଉଣ୍ଟ ଖୋଲି ନିଜ ନାମରେ କାରବାର କରୁଥିଲେ। କନ୍ଧମାଳ ପୁଲିସ ମୋଟ ୧୬ଟି ମ୍ୟୁଲ୍ ଆକାଉଣ୍ଟର ସନ୍ଧାନ କରିବା ପରେ ଏହି ଆକାଉଣ୍ଟର ମୂଳ ଗ୍ରାହକମାନଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ବୋଲି ଏଏସ୍ପି ରାମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




