Taxi Service: ସରକାରୀ କ୍ୟାବ୍ ସେବା ‘ଭାରତ ଟ୍ୟାକ୍ସି’ ଆରମ୍ଭ
ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସରକାରୀ କ୍ୟାବ୍ସେବା ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କରିଛନ୍ତି। ଏହା କୋଅପରେଟିଭ୍ ମଡେଲ୍ ଆଧାରରେ ପରିଚାଳିତ ହେବ। ଏହାର ଆପ୍ ଆଜି ଉନ୍ମୋଚିତ ହୋଇଛି।

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସରକାରୀ କ୍ୟାବ୍ସେବା ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କରିଛନ୍ତି। ଏହା କୋଅପରେଟିଭ୍ ମଡେଲ୍ ଆଧାରରେ ପରିଚାଳିତ ହେବ। ଏହାର ଆପ୍ ଆଜି ଉନ୍ମୋଚିତ ହୋଇଛି। ପର୍ଯ୍ୟାୟକ୍ରମେ ଏହି ସେବା ବିଭିନ୍ନ ରାଜ୍ୟ ଓ ସହରକୁ ସମ୍ପ୍ରସାରଣ କରାଯିବ। ଓଲା, ଉବର, ରାପିଡୋ ଭଳି ଘରୋଇ ଅନ୍ଲାଇନ୍ କ୍ୟାବ୍ ସେବାଠାରୁ ଏହା ଭିନ୍ନ। ଗାଡ଼ି ଚାଳକଙ୍କୁ ମୂଳରେ ରଖି ଏହାର ପରିକଳ୍ପନା କରାଯାଇଛି। ଏହା ମାଧ୍ୟମରେ ଘରୋଇ ଶୋଷଣରୁ ଗାଡ଼ି ଚାଳକମାନେ ମୁକ୍ତ ହୋଇପାରିବେ।
କେନ୍ଦ୍ର ସରକାର ଭାରତ ଟ୍ୟାକ୍ସିକୁ ସମର୍ଥନ କରୁଥିଲେ ମଧ୍ୟ ଏହା ଏକ ସରକାରୀ ଅଭିଯାନ ନୁହେଁ। ଶଙ୍କର ଟ୍ୟାକ୍ସି କୋଅପରେଟିଭ୍ ଲିମିଟେଡ୍ ଏହାର ପରିଚାଳନା କରୁଛି। ପୂର୍ବରୁ ଅମୁଲରେ କାମ କରିଥିବା ବହୁ ଲୋକ ଏହା ସହ ଯୋଡ଼ିହୋଇଛନ୍ତି। ଭାରତ ଟାକ୍ସି ମଡେଲ୍ରେ ଚାଳକମାନଙ୍କୁ ସାରଥୀ କୁହାଯାଇଛି। କୋଅପରେଟିଭ୍ରେ ପ୍ରତି ଚାଳକଙ୍କ ପାଞ୍ଚ ସେୟାର ରହିଛି। ଯାତ୍ରୀ ଭଡ଼ାରୁ କମିସନ ବାବଦରେ କେହି ଟଙ୍କାଟିଏ ବି କାଟିବେ ନାହିଁ। ଆପ୍କୁ ବ୍ୟବହାର କରିବା ଲାଗି ଚାଳକମାନେ ଦୈନିକ ୩୦ ଟଙ୍କାର ଫି’ ଦେବେ। ଏହି ଆପ୍ ଜରିଆରେ ଘରୋଇ ପ୍ଲାଟଫର୍ମଗୁଡ଼ିକ ଆଦାୟ କରୁଥିବା ଉଚ୍ଚ କମିସନ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।
ଏକ ଆକଳନରୁ ଜଣାପଡ଼ିଛି ଯେ ଭାରତ ଟାକ୍ସିର ଭଡ଼ା ଘରୋଇ କମ୍ପାନିର ଭଡ଼ା ତୁଳନାରେ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ରହିବ। ଘରୋଇ ଅନ୍ଲାଇନ୍ କ୍ୟାବ୍ ସେବା ପ୍ରଦାନକାରୀମାନେ ପ୍ରତି ଯାତ୍ରା ପିଛା ୩୦-୫୦ ଟଙ୍କାର କମିସନ କାଟୁଛନ୍ତି। ଭାରତ ଟ୍ୟାକ୍ସି ଆପ୍ରେ କିଛି କମିସନ କଟିବ ନାହିଁ। ଫଳରେ ଚାଳକଙ୍କ ଆୟ ବଢ଼ିବ। ଭାରତ ଟ୍ୟାକ୍ସି ପ୍ଲାଟଫର୍ମରେ ୪ ଲକ୍ଷରୁ ଅଧିକ ଚାଳକ ଯୋଡ଼ିହୋଇଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏକ ଉତ୍ସର୍ଗୀକୃତ ହେଲ୍ପଲାଇନ୍ ରହିଛି। ଦିଲ୍ଲୀ ପୁଲିସ ସହଯୋଗରେ ୩୫ଟି ସ୍ବତନ୍ତ୍ର ବୁଥ୍ ସ୍ଥାପନ କରାଯାଇଛି। ପ୍ରତି ଡ୍ରାଇଭରଙ୍କୁ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ୁଛି।
ଗତବର୍ଷ ଡିସେମ୍ବରରେ ଏହି ସେବାକୁ ଦିଲ୍ଲୀ ଓ ଗୁଜରାଟରେ ଅଣଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। ଆପ୍ରେ ହାରାହାରି ରାଇଡ୍ ସଂଖ୍ୟା ଦୈନିକ ୫୫୦୦ ରହିଛି। ସେଥିରୁ ୪୪୦୦ ରାଇଡ୍ ହେଉଛି ବିମାନବନ୍ଦର ଟ୍ରିପ୍। ଭାରତ ଟାକ୍ସିରେ ଏସି, ଅଣ-ଏସି କ୍ୟାବ୍, ଏକ୍ସଏଲ୍ କ୍ୟାବ୍, ଅଟୋ ଓ ବାଇକ୍ ଟାକ୍ସି ଆଦି ଗାଡ଼ି ରହିଛି।
ସୌଜନ୍ୟ ସମ୍ବାଦ




