Tea or coffee: ଚା’ ନା କଫି-ଶରୀର ପାଇଁ କେଉଁଟା ଭଲ?
ଆମ ସକାଳ ଆରମ୍ଭ ହୁଏ ଚା’ କିମ୍ବା କଫିରେ। କିଏ କିଏ ଚା’ ପିଇବାକୁ ଭଲ ପାଉଥିବାବେଳେ ଆଉ କିଏ ବ୍ଲାକ୍ କଫି କିମ୍ବା ମିଲ୍କ କଫି ପିଇବାକୁ ପସନ୍ଦ କରିଥାନ୍ତି। ଅନେକ ଲୋକ ସାରାଦିନ ସକ୍ରିୟ....

ଆମ ସକାଳ ଆରମ୍ଭ ହୁଏ ଚା’ କିମ୍ବା କଫିରେ। କିଏ କିଏ ଚା’ ପିଇବାକୁ ଭଲ ପାଉଥିବାବେଳେ ଆଉ କିଏ ବ୍ଲାକ୍ କଫି କିମ୍ବା ମିଲ୍କ କଫି ପିଇବାକୁ ପସନ୍ଦ କରିଥାନ୍ତି। ଅନେକ ଲୋକ ସାରାଦିନ ସକ୍ରିୟ ଓ ଫୂର୍ତ୍ତି ରହିବାକୁ ବାରମ୍ବାର ଚା’-କଫି ପିଉଥାନ୍ତି। କିନ୍ତୁ ଏହି ପାନୀୟ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ ସେକଥା କେବେ ଚିନ୍ତା କରିଛନ୍ତି? ଚା’ ଓ କଫିର ହାନିଲାଭ ଜାଣିବାକୁ ସାରା ବିଶ୍ବରେ ଅନେକ ପରୀକ୍ଷା କରାଯାଇଛି। ସେଥିରୁ କେତେକ ଅଧ୍ୟୟନରେ ସନ୍ତୁଳିତ ମାତ୍ରାରେ ଚା’ ସେବନକୁ ଲାଭଦାୟକ କୁହାଯାଇଥିବା ବେଳେ ଆଉ କେତେକ ଗବେଷଣାରେ କଫିର ଫାଇଦା ଦର୍ଶାଯାଇଛି।
ଉଭୟ ଚା’ ଓ କଫିରେ କ୍ୟାଫିନ୍ ରହିଥାଏ। ଏହା ଶରୀର ଓ ମସ୍ତିଷ୍କକୁ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ। ହେଲେ ଏହାକୁ ଅଧିକ ପିଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିପାରେ। ନୂଆଦିଲ୍ଲୀର ଖାଦ୍ୟ ଓ ନ୍ୟୁଟ୍ରିସନ୍ ବିଶେଷଜ୍ଞ ଦିବ୍ୟା ଶର୍ମା କହିଛନ୍ତି, ଉଭୟ ଚା’ ଓ କଫିର ନିଜସ୍ବ ଲାଭ ଓ କ୍ଷତି ରହିଛି। ଗ୍ରିନ୍ ଟି ଓ ହର୍ବାଲ୍ ଟି ଆଣ୍ଟି-ଅକ୍ସିଡାଣ୍ଟ୍ରେ ଭରପୂର ଏବଂ ଏଥିରେ କମ୍ ପରିମାଣର କ୍ୟାଫିନ୍ ରହିଥାଏ। ସେହିପରି ଯଦି ଆପଣ ଆକ୍ଟିଭ୍ ରହିବା ସହ ମେଟାବୋଲିଜିମ୍ ବୃଦ୍ଧି କରିବାକୁ ଚାହୁଛନ୍ତି, ତେବେ କଫି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଉଭୟ ପାନୀୟରେ ଆଣ୍ଟିଅକ୍ସିଡାଣ୍ଟ୍ ଓ ପଲିଫେନୋଲ୍ ରହିଛି, ଯାହା କାର୍ଡିଓଭାସ୍କୁଲାର୍ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ।
ଚା’ର ଫାଇଦା
ଚା’ରେ କାଟେଚିନ୍ସ୍ ଓ ଫ୍ଲାଭୋନଏଡ୍ସ୍ ଭଳି ଆଣ୍ଟିଅକ୍ସିଡାଣ୍ଟ୍ ରହିଛି। ଏହା ଶରୀରରେ ହାନିକାରକ ଫ୍ରି ରାଡିକଲ୍ସ କମ୍ କରିଥାଏ। ପୁଣି ଏହା କ୍ୟାନ୍ସର୍ ଓ ହୃଦ୍ରୋଗର ଆଶଙ୍କା କମାଇଥାଏ। ଚା’ରେ କଫି ତୁଳନାରେ କମ୍ କ୍ୟାଫିନ୍ ରହିଥାଏ, ଯାହା ଶରୀରରେ ହାଲୁକା ପ୍ରଭାବ ପକାଏ। ଏହା ଶରୀରକୁ ତାଜା କରାଏ। ପୁଣି ଚା’ ମେଟାବୋଲିଜିମ୍ ବୃଦ୍ଧିରେ ସହାୟକ ହୁଏ ଏବଂ ଏଥିରେ ଥିବା ତତ୍ତ୍ବ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଚା’ରେ ଥିବା ଏଲ୍-ଥିଆନିନ୍ ନାମକ ଅମିନୋ ଏସିଡ୍ ମସ୍ତିଷ୍କକୁ ଶାନ୍ତ କରେ ଓ ଚାପରୁ ମୁକ୍ତିଦିଏ।
ଅପକାରିତା– ଅତ୍ୟଧିକ ଚା’ ପିଇବା ଦ୍ବାରା ପେଟରେ ଏସିଡିଟି ଓ ଗ୍ୟାସ୍ ଭଳି ସମସ୍ୟା ହୋଇଥାଏ। ଲଗାତାର ଚା’ ପିଇବା ଦ୍ବାରା ଦାନ୍ତରେ ହଳଦିଆ ଦାଗ ସୃଷ୍ଟି ହୋଇପାରେ।
କଫିର ଫାଇଦା
କଫିରେ କ୍ୟାଫିନ୍ ମାତ୍ରା ଅଧିକ। ଏହା ମସ୍ତିଷ୍କକୁ ସକ୍ରିୟ କରିବା ସହ ମାନସିକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। କଫି ଶରୀରର ଆଳସ୍ୟ ଦୂର କରି କାମରେ ଧ୍ୟାନ ଦେବାକୁ ପ୍ରେରିତ କରେ। କଫି ମେଟାବୋଲିଜିମ୍ ତୀବ୍ର କରିବାରେ ସହାୟକ ହୋଇଥାଏ। ପୁଣି ଓଜନ କମ୍ କରିବାରେ ବି ସାହାଯ୍ୟ କରିଥାଏ। ନିୟମିତ ନିୟନ୍ତ୍ରିତ ମାତ୍ରାରେ କଫି ପିଇବା ଦ୍ବାରା ଟାଇପ୍-୨ ଡାଇବେଟିସ୍ ବିପଦ କମ୍ ହୋଇଥାଏ ବୋଲି ବିଶେଷଜ୍ଞ କହନ୍ତି। ଅପକାରିତା- କଫିରେ ଅଧିକ କ୍ୟାଫିନ୍ ରହିଥାଏ ବୋଲି ଏହା ନିଦକୁ ପ୍ରଭାବିତ କରେ ଓ ନିଦ୍ରାହୀନତାର କାରଣ ହୋଇପାରେ। ଅଧିକ କଫି ପିଇଲେ ହୃତ୍ପିଣ୍ଡର ବେଗ ବଢ଼େ, ଯାହା ଚିନ୍ତାର କାରଣ ହୋଇପାରେ। ଅଧିକ କଫି ସେବନ ଏସିଡିଟି ଓ ହାର୍ଟବର୍ଣ୍ଣ ସମସ୍ୟା ବଢ଼ାଇପାରେ। ଯଦି ଦିନରେ ଦୁଇରୁ ଅଧିକ ଥର ଚା’ ବା କଫି ପିଇବାର ଅଭ୍ୟାସ ହୋଇଯାଉଛି, ତେବେ ତାହା ଶରୀର ପାଇଁ ସମସ୍ୟାକାରକ ହୋଇପାରେ। ଯେଉଁମାନେ ଅଧିକ ଚା’ ବା କଫି ପିଅନ୍ତି, ସେମାନେ ଲଗାତାର ଏସିଡିଟି, ମୁଣ୍ଡବିନ୍ଧା ଓ ଅନ୍ୟ କୌଣସି ସମସ୍ୟା ଅନୁଭବ କରୁଥିଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।
ସୌଜନ୍ୟ ସମ୍ବାଦ




