Breaking News

ଆଫଗାନିସ୍ତାନ ବିରୋଧରେ ଭାରତର ବଡ ବିଜୟ: ୮ ୱିକେଟରେ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ:  ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି । ଅତିଥି ଟିମକୁ ଆୟୋଜକ ଭାରତ ୮ ୱିକେଟରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୩୫ ଓଭରରେ ୨ ୱିକେଟ ହରାଇ ପୂରା କରିଛି। ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ରୋହିତ ଶର୍ମା, ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟରଙ୍କ ବଢ଼ିଆ ବ୍ୟାଟିଂ ବଳରେ ଭାରତ ବୁଧବାର ଚଳିତ ବିଶ୍ବକପ୍‌ରେ ଆଫଗାନିସ୍ତାନକୁ ଅତି ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ରୋହିତ ଶର୍ମା ମାତ୍ର ୮୪ ବଲ୍‌ରୁ ୧୩୧ ରନ୍‌ର ପାଳି ଖେଳି ଏକାଧିକ କୀର୍ତ୍ତିମାନ କରିଥିବା ବେଳେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଗତ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଶୂନରେ ଆଉଟ୍ ହୋଇଥିବା ରୋହିତ, କିଶନ ଓ ଶ୍ରେୟସ ବୁଧବାର ଭଲ ବ୍ୟାଟିଂ କରି ଆତ୍ମବିଶ୍ବାସକୁ ଫେରିଛନ୍ତି। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ ଶନିବାର ଅହମଦାବାଦରେ ପାକିସ୍ତାନ ସହ ଖେଳିବ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଭାରତ ସମ୍ମୁଖରେ ୨୭୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଆଫଗାନିସ୍ତାନ। କୋଟଲା ପିଚ୍‌ରେ ଏହା ସାଧାରଣ ବିଜୟ ଲକ୍ଷ୍ୟ ଭଳି ଥିଲା। ଗତ ମ୍ୟାଚ୍‌ର ବିଫଳତା ସତ୍ତ୍ବେ ଚାପରେ ନପଡ଼ି ରୋହିତ ଶର୍ମା ଏବଂ ଈଶାନ କିଶନ ଧୂଆଁଧାର ଆରମ୍ଭ କରିଥିଲେ‌। ପ୍ରଥମ ୱିକେଟ୍‌ ପାଇଁ ଏହି ଡାହାଣହାତୀ ଯୋଡ଼ି ମାତ୍ର ୧୮.୪ ଓଭରରେ ୧୫୬ ରନ୍ ସଂଯୋଗ କରି ଦୃଢ଼ ମୂଳଦୁଆ ପକାଇଥିଲେ। ରସିଦ ଖାନ୍‌ଙ୍କ ଶିକାର ହୋଇ କିଶନ ପ୍ରଥମ ବିଶ୍ବକପ୍ ଅର୍ଦ୍ଧଶତକଠାରୁ ମାତ୍ର ୩ ରନ୍ ଦୂ‌ରରେ ରହିଯାଇଥିଲେ। କିଛି ଓଭର ପରେ ରୋହିତ ଶର୍ମାଙ୍କୁ ମଧ୍ୟ ରସିଦ ଦ୍ବିତୀୟ ଶିକାର କରିଥିଲେ। ଏହା ପରେ କିନ୍ତୁ ବିରାଟ କୋହଲି କ୍ରମାଗତ ଅର୍ଦ୍ଧଶତକ (୫୬ ବଲ୍‌ରୁ ୫୫*) ହାସଲ କରିବା ସହ ଶ୍ରେୟସ ଆୟର (୨୩ ବଲ୍‌ରୁ ୨୫* ରନ୍‌)ଙ୍କୁ ସାଥୀ କରି ୬୮* ରନ୍‌‌ ଯୋଡ଼ିବା ସହ ୧୫ ଓଭର ପୂର୍ବରୁ ମ୍ୟାଚ୍‌ ଶେଷ କରିଦେଇଥିଲେ। ରୋହିତ ଶର୍ମା ଏହି ଅବସରରେ ସର୍ବାଧିକ ଦିନିକିଆ ବିଶ୍ବକପ୍ ଶତକ (୭), ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା (୫୫୬), ବିଶ୍ବକପ୍‌ରେ ଦ୍ରୁତତମ ୧,୦୦୦ ରନ୍‌ (୧୯ ପାଳି) ଏବଂ ଭାରତୀୟ ଭାବେ ବିଶ୍ବକପ୍‌ରେ ଦ୍ରୁତତମ ଶତକ (୬୩ ବଲ୍‌) ହାସଲ କରି ଚର୍ଚ୍ଚାରେ ରହିଥିଲେ। ବିରାଟ କୋହଲି ମଧ୍ୟ ତାଙ୍କ ପଶ୍ଚାତଧାବନରେ ସର୍ବାଧିକ ଅର୍ଦ୍ଧଶତକ (୪୬) ହାସଲ କରି ସଚିନ ତେନ୍ଦୁଲକର (୪୫) ଙ୍କୁ ପଛରେ ପକାଇଥିଲେ। ବିଶ୍ବକପ୍ ଇତିହାସରେ ମଧ୍ୟ ସେ ଅଗ୍ରଣୀ ରନ୍ ତାଲିକାରେ ସପ୍ତମ ସ୍ଥାନକୁ ଉଠିଛନ୍ତି।

Comments are closed.