Temple: ମନ୍ଦିର ଉପରେ ଲୁଟେରାଙ୍କ ଆଖି: ଉତ୍ତରଦ୍ବାର ଚିତ୍ରକାରିଣୀ ମନ୍ଦିରରୁ ଲୁଟିଲେ ୩୦ଭରି ସୁନା

ଭୁବନେଶ୍ବର: ମନ୍ଦିର ଚୋର ରାଜଧାନୀ ଛାତି ଉପରେ ବି ନିର୍ଭୟରେ ଲୁଟିଛନ୍ତି। ଆଉ କେଉଁଠୁ ନୁହେଁ, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଉତ୍ତରଦ୍ୱାର ନିକଟରେ ଥିବା ଚିତ୍ରକାରିଣୀ ମନ୍ଦିରରୁ ପ୍ରାୟ ୩୦ଭରି ସୁନା ଚୋରି ହୋଇଛି। ବିଳମ୍ବିତ ରାତିରେ ମନ୍ଦିର ମୁଖ୍ୟ ଫାଟକ ତାଲା ପଥରରେ ଭାଙ୍ଗି ଗର୍ଭଗୃହରେ ପଶି ମା’ଙ୍କ ବେକରୁ ୩ଟି ସୁନା ହାର, ୩ଟି ମଙ୍ଗଳସୂତ୍ର, ସୁନା ଗଳାମାଳ, ମଥାଚେନ୍‌ ସହ ମା’ଙ୍କ ଏକ ପ୍ରାଚୀନ ମୂର୍ତ୍ତି ଚୋରି କରିଛନ୍ତି। ଏଥି ସହ ଦୁଇଟି ପାଟଲୁଗା ଓ ଦାନ ବାକ୍ସରେ ଥିବା ଟଙ୍କା ପ୍ରାୟ ୫ହଜାର ଟଙ୍କା, ପୂଜାବହି ଓ ଏଥିରେ ଥିବା ପ୍ରାୟ ୮ହଜାର ଟଙ୍କା ଚୋରି କରିନେଇଛନ୍ତି।

ଚୋରି ହୋଇଥିବା ନେଇ ମନ୍ଦିର ପୂଜକ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୂଜକ ଗଜେନ୍ଦ୍ର ବଡ଼ୁ ଓ ନରେନ୍ଦ୍ର ମହାନ୍ତିଙ୍କ କହିବା ଅନୁଯାୟୀ, ଗତକାଲି ରାତି ୧୧ଟାରେ ମନ୍ଦିର ପୂଜା ସାରି ପହୁଡ଼ ପକାଇ ଲାଇଟ୍‌ ବନ୍ଦ କରିଥିଲୁ। ତେବେ ସକାଳୁ ମନ୍ଦିର ସଂଲଗ୍ନ ପାର୍କର ମାଳି ଓ ଭକ୍ତମାନେ ଚୋରି ସମ୍ପର୍କରେ ସୂଚନା ଦେଇଥିଲେ। ଭକ୍ତମାନେ ଦାନସୂତ୍ରରେ ଦେଇଥିବା ସୁନା ମା’ଙ୍କୁ ପିନ୍ଧାଯାଇଥିଲା। ସେହିପରି ପ୍ରାୟ ଦେଢ଼ମାସ ପୂର୍ବରୁ ଏହି ମନ୍ଦିରରେ ମା’ଙ୍କ ମନ୍ଦିରରୁ ସୁନା ମଙ୍ଗଳସୂତ୍ର ଚୋରି ହୋଇଥିଲା। ସେହିପରି ଦୁଇଦିନ ପୂର୍ବରୁ ବିନ୍ଦୁସାଗର କୂଳରେ ଶ୍ରାଦ୍ଧ ମଣ୍ଡପକୁ ଲାଗି ରହିଥିବା ପୁରାତନ ଶଙ୍କରାଚାର୍ଯ୍ୟ ମଠରେ ଥିବା ଅଷ୍ଟଧାତୁର ରାଧାଗୋବିନ୍ଦ ମୂର୍ତ୍ତି, ଚାମୁଣ୍ଡା ଲକ୍ଷ୍ମୀ ମୂର୍ତ୍ତି, ପିତ୍ତଳ ଖଟୁଳିରେ ଥିବା ଶାଳଗ୍ରାମ, ମହାଦେବଙ୍କ ଲିଙ୍ଗ ଆଦି ଚୋରି ହୋଇଛି।

 

 

 

ସୌଜନ୍ୟ ସମ୍ବାଦ