The Cabinet has 11 proposals: ୧୧ ପ୍ରସ୍ତାବରେ କ୍ୟାବିନେଟ୍ ମୋହର: ମୃତକଙ୍କ ନାଁରେ ରାସନ ଉଠାଇଲେ ଦେଢ଼ଗୁଣା ଅର୍ଥ ଆଦାୟ
ମୃତ ରାସନ କାର୍ଡଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ମୃତକଙ୍କ ମୃତ୍ୟୁ ତାରିଖଠାରୁ ଗ୍ରହଣ ହୋଇଥିବା ସାମଗ୍ରୀର ମୂଲ୍ୟ ସଂପୃକ୍ତ ପରିବାରଠାରୁ ଦେଢ଼ ଗୁଣ ହାରରେ ଆଦାୟ ହେବ।

ଭୁବନେଶ୍ବର: ମୃତ ରାସନ କାର୍ଡଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ମୃତକଙ୍କ ମୃତ୍ୟୁ ତାରିଖଠାରୁ ଗ୍ରହଣ ହୋଇଥିବା ସାମଗ୍ରୀର ମୂଲ୍ୟ ସଂପୃକ୍ତ ପରିବାରଠାରୁ ଦେଢ଼ ଗୁଣ ହାରରେ ଆଦାୟ ହେବ। ଏଥିପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ ୨୦୧୬ର ଧାରା ୨୭ (୧)ରେ ସଂଶୋଧନ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଂଶୋଧିତ ଆଦେଶ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିୟମର ସଂଶୋଧନ କରିବାର ଉଦ୍ଦେଶ୍ୟ ହେଉଛି ଠକେଇକୁ ରୋକିବା ସହ ଆରସିଏମ୍ଏସ୍ ତଥ୍ୟକୁ ସୁନିଶ୍ଚିତ କରିବା ଓ ସରକାରୀ ସଂପଦକୁ ସୁରକ୍ଷିତ ରଖିବା। ରାସନ କାର୍ଡଧାରୀ ଘରର ମୁଖ୍ୟ କିମ୍ବା କାର୍ଡଧାରୀ ଘରର ଅଧିକୃତ ସଦସ୍ୟ କାର୍ଡରେ ଥିବା କୌଣସି ସଦସ୍ୟଙ୍କ ମୃତ୍ୟୁଜନିତ ତଥ୍ୟ ଲୁଚାଇବେ ନାହିଁ। ଏହାକୁ ଯୋଗାଣ ବିଭାଗ ଅଧିକାରୀ କିମ୍ବା ନିକଟସ୍ଥ ଖାଉଟି ଡିଲରକୁ ଜଣାଇବେ। ମୃତ୍ୟୁ ତଥ୍ୟ ଲୁଚାଇଲେ ମୃତକଙ୍କ ମୃତ୍ୟୁ ତାରିଖଠାରୁ ଦେଢ଼ ଗୁଣା ହାରରେ ସାମଗ୍ରୀର ମୂଲ୍ୟ ଆଦାୟ କରାଯିବ। ଏହାସହ ପରବର୍ତ୍ତୀ ମାସର ପ୍ରାପ୍ୟରୁ କଟାଯାଇ କିମ୍ବା ପ୍ରଚଳିତ ଅର୍ଥନୈତିକ ମୂଲ୍ୟ ଆକାରରେ ଭରଣା କରାଯିବ।
ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ) ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କ୍ୟାବିନେଟ୍ରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଗ୍ରାମୀଣ କ୍ଷେତ୍ରରେ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କାରୁ ଅଧିକ ଦରମା ଥିଲେ ଏଥିରୁ ବାଦ୍ ପଡ଼ୁଥିଲେ। ସରକାର ଏବେ ଆୟ ମାନଦଣ୍ଡକୁ ବୃଦ୍ଧି କରିଛନ୍ତି। ସଂଶୋଧିତ ଆୟ ମାନଦଣ୍ଡ ଅନୁସାରେ ଗ୍ରାମାଞ୍ଚଳ ପରିବାରର ମାସିକ ଆୟ ୧୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କା ଓ ସହରାଞ୍ଚଳରେ ମାସିକ ଆୟ ୧୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାଫଳରେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍ ପଡ଼ିବେ ନାହିଁ। ଏହି ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏଏୱାଇ ଓ ଲକ୍ଷ୍ୟଭିତ୍ତିକ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ପରିବାର ଚିହ୍ନଟ ପାଇଁ ୧୧ଟି ସ୍ବତଃଯୋଗ୍ୟ ମାନଦଣ୍ଡ ଓ ୯ଟି ବାଦ୍ ପଡ଼ିବା ମାନଦଣ୍ଡ ରହିଥିଲା।
ଅନ୍ତ୍ୟୋଦୟ ଅନ୍ନ ଯୋଜନାର ଆୟ ସୀମା ବଢ଼ିଲା: ଗ୍ରାମାଞ୍ଚଳରେ ୧୫ ହଜାର, ସହରାଞ୍ଚଳରେ ୨୦ ହଜାର
ଜଳ ଜୀବନ ମିସନ୍ ଯୋଜନାରେ ଏଣିକି କେନ୍ଦ୍ରୀୟ ଅନୁଦାନ ରାଶିକୁ ଅଗ୍ରିମ ଭାବେ ରାଜ୍ୟ ସରକାର ଦେବେ। କେନ୍ଦ୍ରୀୟ ଅନୁଦାନ ଆସିଲା ପରେ ତାହାକୁ ଭରଣା କରାଯିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଜି କ୍ୟାବିନେଟ୍ ମଞ୍ଜୁରି ପାଇଛି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ଚାଲୁ ରଖିବା, ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା, ଠିକାଦାରମାନଙ୍କୁ କାର୍ଯ୍ୟ କରିବାରେ ଉତ୍ସାହିତ କରିବା, ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦେବା ଆଦି କାର୍ଯ୍ୟର ଅଗ୍ରଗତିରେ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ଏହା ଏକ ସାମୟିକ ଆର୍ଥିକ ବ୍ୟବସ୍ଥା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସମନ୍ବିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ ପାଇଁ ୩୧୦ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପାଞ୍ଚ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମିତ୍ତ ୧୫ କୋଟି ୮୩ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି। ପ୍ରକଳ୍ପଟି ୨୭ ମାସରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ୍ ଓ ଏହାର ବିତରଣ ପ୍ରଣାଳୀର ନିର୍ମାଣ ଦ୍ବାରା କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ୬୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ବ୍ୟାରେଜ୍ର ନିର୍ମାଣ, ସାଳନ୍ଦୀ ନଦୀ ପ୍ରଣାଳୀର ସୁଦୃଢ଼ୀକରଣ କାର୍ଯ୍ୟ ଓ ଉନ୍ମୁକ୍ତ କେନାଲ ପ୍ରଣାଳୀ ମାଧ୍ୟମରେ ୩୦୦୦ ହେକ୍ଟର ଚାଷଜମିର ବିତରଣ ପ୍ରଣାଳୀ ସହ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟ ସମାପ୍ତ ହୋଇଛି। ଜମି ଅଧିଗ୍ରହଣ ବିଳମ୍ବକୁ ଦୃଷ୍ଟିରେ ରଖି ଉନ୍ମୁକ୍ତ କେନାଲ୍ ପ୍ରଣାଳୀରେ ହେବାକୁ ଥିବା ଅବଶିଷ୍ଟ ୫୭ ହଜାର ହେକ୍ଟର ଚାଷଜମିର ଜଳବଣ୍ଟନ ବ୍ୟବସ୍ଥାକୁ ଭୂତଳ ପାଇପଲାଇନ୍ ବ୍ୟବସ୍ଥା ମାଧ୍ୟମରେ ୯ଟି ପ୍ୟାକେଜ୍ରେ କରାଯିବ। ପ୍ରକଳ୍ପ ଶେଷ ହେବା ପରେ ବାଲେଶ୍ବର ଜିଲ୍ଲାର ସୋର, ବାହାନଗା ଓ ଔପଦାର ୧୨୧୫୫.୮୦ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ହୋଇପାରିବ।
ଜଳ ଜୀବନ ମିସନ୍: ରାଜ୍ୟ ଦେବ ଅଗ୍ରିମ
ଆନନ୍ଦପୁର ବ୍ୟାରେଜ୍ ପାଇଁ ୩୧୦ କୋଟିର ଟେଣ୍ଡର
‘ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ’ ଯୋଜନାରେ କ୍ଲଷ୍ଟର୍-୩୧ ମାଧ୍ୟମରେ ୬ଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ଋଷିକୁଲ୍ୟା ନଦୀ, ରାମନଦୀ, ଜୀରା ଓ ଋଷିକୁଲ୍ୟା ନଦୀ (ସିଙ୍ଗିପୁର ଆଇଏସ୍ଏସ୍) ପାଖରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ଦ୍ବାରା ଗଞ୍ଜାମ ଜିଲ୍ଲାର ୬୩୪୩ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୧୯୦ କୋଟି ଟଙ୍କାର ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିଛି। ପ୍ରକଳ୍ପଟି ୩୬ ମାସରେ ଶେଷ ହେବ। ଏହି ପ୍ରକଳ୍ପ ଦ୍ବାରା ଗଞ୍ଜାମ ଜିଲ୍ଲାର ୮୫ଟି ଗ୍ରାମର କୃଷକମାନେ ଉପକୃତ ହେବେ।
ସୌଜନ୍ୟ ସମ୍ବାଦ




