The contractor’s: ଠିକାଦାରଙ୍କ ପକ୍କାଘର ମାୟାଜାଲ
୭ ବର୍ଷ ତଳେ ଯେତେବେଳେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ନୂଆଖୁଲାରେଗଡ଼ାର ଦିନମଜୁରିଆ ଜର୍ଜ ବାର୍ଲାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଘର ମଞ୍ଜୁର ହେଲା, ବେଶ୍ ଖୁସି....

ଅନୁଗୁଳ: ୭ ବର୍ଷ ତଳେ ଯେତେବେଳେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ନୂଆଖୁଲାରେଗଡ଼ାର ଦିନମଜୁରିଆ ଜର୍ଜ ବାର୍ଲାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଘର ମଞ୍ଜୁର ହେଲା, ବେଶ୍ ଖୁସି ହୋଇଯାଇଥିଲେ ପତ୍ନୀ ନିକା ଓ ଝିଅ ଉର୍ମିଳା। ଘର ତିଆରି ପରେ କିନ୍ତୁ ସେମାନଙ୍କ ଖୁସି ବେଶି ଦିନ ରହି ନଥିଲା। କୋଠାଘର ପାଇବା ସତ୍ତ୍ବେ ମାଟିଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି ମା’ ଝିଅ। କାରଣ ଜାଣିବାରୁ ଜଣାପଡ଼ିଲା, ନୂଆ ପକ୍କାଘର ସଂପୂର୍ଣ୍ଣ ଦୁର୍ବଳ। ଛାତରୁ ରଡ୍ ଦେଖାଯାଉଛି। ତାଜାରେ ହାତ ବାଜିଲେ, ଦୋହଲିବା ପରି ଲାଗୁଛି। ବର୍ଷା ହେଲେ ଘରସାରା ପାଣି। ୬ ବର୍ଷ ତଳୁ ପକ୍କାଘର ପାଇଥିଲେ ବି ପୁରୁଣା ଚାଳଛପର ଘରେ ଜୀବନ ଜିଉଁଛନ୍ତି ନିକା ଆଉ ଉର୍ମିଳା।
ଏ ନେଇ ନିକା କୁହନ୍ତି, ୭ ବର୍ଷ ତଳେ ସ୍ବାମୀ ଜର୍ଜଙ୍କ ନାମରେ ମଞ୍ଜୁର ହୋଇଥିଲା ଏଇ ଆବାସ ଖଣ୍ଡିକ। ଘର ମଞ୍ଜୁର ନେଇ ସେମାନେ ଜାଣିବା ପୂର୍ବରୁ ଠିକାଦାର ତାଙ୍କ ଦୁଆରେ ହାଜର। କହିଥିଲା, ତୁମ ପାଖରେ ପଇସା ନାହିଁ, ଘର କରିବ କେମିତି। ନ ହେଲେ ଟଙ୍କା ଫେରିଯିବ। ଆବାସ ଯୋଜନାରେ ତୁମକୁ ମିଳିବାକୁ ଥିବା ସବୁତକ ଟଙ୍କା ଯଦି ମୁଁ ନେବି, ତା’ହେଲେ ତୁମ ପାଇଁ ପକ୍କା ଘରଟିଏ କରିଦେବି। ମୂଲ ଲାଗିଲେ ଚୁଲି ଜଳୁଥିବାରୁ ପକ୍କାଘର ଆଶାରେ ଠିକାଦାର କଥାରେ ହଁ ଭରିଲୁ। ଏ ଭିତରେ ଜର୍ଜ ବାର୍ଲା ବି ମରିଗଲାଣି। ୬ ବର୍ଷ ତଳୁ ଠିକାଦାର ଏ ଦଦରା ଘର ଧରେଇ ଦେଇ ଟଙ୍କା ନେଇ ପାର। ଘରକୁ ପଶିଲେ କେତେବେଳେ ଭାଙ୍ଗି ମାଡ଼ିବସିବ ବୋଲି ଡର ଲାଗୁଛି। ପୂର୍ବଭଳି ପୁରୁଣା ମାଟିଘରକୁ ଆଦରି ନେଇଛୁ ବୋଲି କୋହଭରା କଣ୍ଠରେ ବଖାଣିଛନ୍ତି ନିକା।




