Breaking News

ଦେଶକୁ ମିଳିଲା ନୂଆ ସଂସଦ ଭବନ

ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବିରୋଧୀଙ୍କ ବର୍ଜନ ଭିତରେ ‘ସେଙ୍ଗୋଲ’ ସ୍ଥାପନ ଉତ୍ସବ

0

ନୂଆଦିଲ୍ଲୀ : ଦେଶକୁ ଆଜି ନୂଆ ସଂସଦ ଭବନ ମିଳିଛି। ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ବୈଦିକ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ନୂଆ ଭବନର ଲୋକସଭା ଚାମ୍ବରରେ ଐତିହାସିକ ରାଜଦଣ୍ଡ ସେଙ୍ଗୋଲ ସ୍ଥାପନ ସହ ଭବନର ଉଦ୍‌ଘାଟନ କରିଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ଓ ଉଦ୍‌ଘାଟନ ପର୍ବ ସଂପନ୍ନ ହୋଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦ ଭବନ ଉଦ୍‌ଘାଟନ କରନ୍ତୁ ବୋଲି ଦାବି କରି ପ୍ରାୟ ୨୦ଟି ବିରୋଧୀ ଦଳର ବର୍ଜନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହା ଉଦ୍‌ଘାଟିତ ହୋଇଛି। ନୂତନ ସଂସଦ ଭବନର ଉଦ୍‌ଘାଟନ ହିନ୍ଦୁତ୍ୱବାଦୀ ବୀର ସାବରକରଙ୍କ ଜନ୍ମ ବାର୍ଷିକୀ ଦିନ ହିଁ କରାଯାଇଥିଲା। ଏହାକୁ ନେଇ ଶୁକ୍ରବାର ଅନେକ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଥିଲେ। ନୂତନ ସଂସଦ ଭବନ ଉଦ୍‌ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଥିଲେ- ଆମ ହୃଦୟ ଓ ମନ ଗର୍ବ, ଆଶା ଓ ପ୍ରତିଶ୍ରୁତିରେ ପୁଲକିତ ହୋଇଉଠୁଛି। ଏହି ଆଇକନିକ୍ ଭବନ ଆମ ସ୍ବପ୍ନକୁ ବାସ୍ତବତାରେ ପରିଣତ କରୁ। ଏହା ଆମର ମହାନ୍ ଦେଶକୁ ପ୍ରଗତିର ନୂତନ ଉଚ୍ଚତାକୁ ନେଇଯାଉ।

ପ୍ରଧାନମନ୍ତ୍ରୀ ସକାଳ ୭ଟା ୩୦ରେ ନୂତନ ସଂସଦ ଭବନରେ ପହଞ୍ଚିଥିଲେ। ଏକ ପାରମ୍ପରିକ ପୂଜା ସହିତ ଏହି ସମାରୋହ ଆରମ୍ଭ ହୋଇଥିଲା ଯାହା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଅଧୀନମ୍ ମହନ୍ତମାନେ ସେଙ୍ଗୋଲ ହସ୍ତାନ୍ତର କରିଥିଲେ। ପ୍ରଧାନମନ୍ତ୍ରୀ ସେଙ୍ଗୋଲ ଆଗରେ ଭୂମିଷ୍ଠ ପ୍ରଣାମ କରିବା ସହ ତାମିଲନାଡ଼ୁର ବିଭିନ୍ନ ଅଧୀନମ୍‌ (ମଠ)ର ମହନ୍ତଙ୍କଠାରୁ
ଆଶୀର୍ବାଦ ନେଇଥିଲେ। ଏହା ପରେ ମୋଦୀ ସେଙ୍ଗୋଲ (ରାଜଦଣ୍ଡ)କୁ ‘ନାଦସ୍ବରମ୍‌’ର ବାଦନ ଓ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ନୂତନ ସଂସଦ ଭବନକୁ ନେଇଥିଲେ। ପୂଜାପାଠ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଐତିହାସିକ ରାଜଦଣ୍ଡ ସେଙ୍ଗୋଲକୁ ନୂତନ ସଂସଦ ଭବନରେ ସ୍ଥାପନ କରିଥିଲେ।

ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନ ନିର୍ମାଣ ସହ ଜଡ଼ିତ ଶ୍ରମିକମାନଙ୍କୁ ପାରମ୍ପରିକ ଶାଲ ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ବିଭିନ୍ନ ଧର୍ମର ପ୍ରତିନିଧିମାନେ ଏକ ସର୍ବଧର୍ମ ପ୍ରାର୍ଥନା ସଭା କରିଥିଲେ। ଉଦ୍‌ଘାଟନକୁ ବର୍ଜନ କରିଥିବା ବିରୋଧୀ ଦଳ ନେତାମାନେ ଆଜିର ସମାରୋହକୁ ଘୋର ଅପମାନ ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି। ସେମାନେ ନୂତନ ସଂସଦ ଭବନକୁ ଗ୍ରହଣ କରୁଛନ୍ତି, କିନ୍ତୁ ମୋଦୀଙ୍କ ଦ୍ବାରା ଉଦ୍‌ଘାଟନକୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି।

ନୂତନ ସଂସଦ ଭବନର ଲୋକସଭା ଚାମ୍ବରରେ ୮୮୮ ସଦସ୍ୟ ଏବଂ ରାଜ୍ୟସଭା ଚାମ୍ବରରେ ୩୦୦ ସଦସ୍ୟ ବସିପାରିବେ। ୯୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ କମ୍ପ୍ଲେକ୍ସ ଭାରତର ପ୍ରଗତିର ପ୍ରତୀକ ଏବଂ ଏହା ୧୩୫ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିବ ବୋଲି କେନ୍ଦ୍ରୀୟ ଭିଷ୍ଟା ପୁନର୍ବିକାଶ ପ୍ରକଳ୍ପର ୱେବ୍‌ସାଇଟ୍‌ରେ କୁହାଯାଇଛି। ନୂଆ ସଂସଦ ଭବନର ଐତିହାସିକ ଘଟଣାକୁ ସ୍ମରଣ ରଖିବା ପାଇଁ ସରକାର ଆଜି ୭୫ ଟଙ୍କିଆ ସ୍ମାରକ ମୁଦ୍ରା ପ୍ରଚଳନ କରିଛନ୍ତି। ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ନୂତନ ସଂସଦ ଭବନରେ ଏକ ବିରାଟ କନ୍‌ଷ୍ଟିଚ୍ୟୁସନ ହଲ୍, ସାଂସଦମାନଙ୍କ ପାଇଁ ଏକ ଲାଉଞ୍ଜ, ଏକ ଲାଇବ୍ରେରି, ଏକାଧିକ କମିଟି ପ୍ରକୋଷ୍ଠ, ଡାଇନିଂ ଏରିଆ ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ରହିଛି। ସଂସଦ ଭବନର ତ୍ରିକୋଣୀୟ ଆକୃତି ସ୍ଥାନର ସର୍ବୋତ୍ତମ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ। ଏହାର ତିନୋଟି ମୁଖ୍ୟ ଫାଟକ ଅଛି – ଜ୍ଞାନଦ୍ୱାର, ଶକ୍ତିଦ୍ୱାର ଓ କର୍ମଦ୍ୱାର। ଭିଆଇପି, ସାଂସଦ ଏବଂ ପରିଦର୍ଶକମାନଙ୍କ ପାଇଁ ପୃଥକ୍ ପୃଥକ ପ୍ରବେଶ ଦ୍ୱାର ରହିଛି।

Leave A Reply

Your email address will not be published.