ମହାନଗର

The harvester: ହାର୍ଭେଷ୍ଟର ହଜେଇଦେଲା ହଳ, ବଳଦ

ମାତ୍ର ଦଶ ବାର ବର୍ଷ ତଳର କଥା। ରାତି ନ ପାହୁଣୁ କାକରଭିଜା ପାଚିଲା ଧାନ କିଆରିରେ ଚାଷୀ ହାତରେ ଦା’ ଧରି ଚର୍‌ଚର୍‌ କରି ଧାନ କାଟୁଥିଲା। ପାଖ କିଆରିରେ ଧାନ କଳେଇ ଲଦା....

ବାଲିଅନ୍ତା: ମାତ୍ର ଦଶ ବାର ବର୍ଷ ତଳର କଥା। ରାତି ନ ପାହୁଣୁ କାକରଭିଜା ପାଚିଲା ଧାନ କିଆରିରେ ଚାଷୀ ହାତରେ ଦା’ ଧରି ଚର୍‌ଚର୍‌ କରି ଧାନ କାଟୁଥିଲା। ପାଖ କିଆରିରେ ଧାନ କଳେଇ ଲଦା ହୋଇଥିବା ଶଗଡ଼କୁ ହଡ଼ା ବଳଦ ଟାଣିପାରୁ ନଥିବାରୁ ଚାଷୀ ଟାକରା ମାରି ବଳଦକୁ ପେଲି ପକାଉଥିଲା। ଦା’ ଛାଡ଼ି ଧାଇଁ ଯାଉଥିଲେ ପାଖ ବିଲରେ ଧାନ କାଟୁଥିବା ଲୋକେ ଏବଂ କାଦୁଅ ବିଲରୁ ଶଗଡ଼କୁ ଉଠାଇବାକୁ କିଏ ଚକରେ କାନ୍ଧ ଲଗାଉଥିଲା ତ କିଏ ଶଗଡ଼ ଦଣ୍ଡାକୁ ଟେକି ଧରୁଥିଲା। ସେପଟେ ଗାଁ’ ଭିତରେ କାହାର ରାତିଅଧରୁ ଯୋଚା ହେଉଥିଲା ବେଙ୍ଗଳା। ପୁଣି କାହା ଖଳାବାଡ଼ିରେ କଳେଇ ଗଦା ମରା ହେଉଥିଲା ଏବଂ ଚୂଳରେ କଣ୍ଟେଇକୋଳି କଣ୍ଟା ଡାଳରେ ଗେଣ୍ଡୁଫୁଲ ଖଞ୍ଜି ମୁଣ୍ଡି ମାରୁଥିଲା। ଦି ପହରେ ଗାଁ କମାରଶାଳରୁ ଶୁଭୁଥିଲା ଲୁହାପିଟା କର୍କଶ ଶବ୍ଦ। ଦା’ ପଜେଇ କମାର ଧାର କୁଟୁଥିଲା। ପୁଣି କେଉଁ ଚାଷୀର ଶଗଡ଼ରେ ନାଲ ପଜେଇ ବସାଉଥିଲା ଗାଁ କମାର। ଚାଷୀ, କମାର, ବଢ଼େଇ କାହା ହାତକୁ ଫୁରସତ ନଥିଲା। ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଚାଷୀ ଗହୀରରୁ ଘର ପର୍ଯ୍ୟନ୍ତ ଖାଲି ଧାଉଁଥିଲା। ତା’ ସହିତ ଧାଉଁଥିଲେ ବଳଦ। କିନ୍ତୁ ଆଜି ହଠାତ୍ ସବୁ ହଜି ଯାଇଛି। ନା ଅଛି ଦା’ରେ ଧାନକଟା, ନା ଅଛି ଶଗଡ଼ରେ କଳେଇ ବୁହା। ସେହିଭଳି ନା ଅଛି ଖଳାବାଡ଼ିରେ ଗେଣ୍ଡୁଫୁଲିଆ କଳେଇ ଗଦା ନା ବାଡ଼ିରେ ବୁଲୁଛି ବେଙ୍ଗଳା।

ଆଜି ଗହୀରରେ ବୁଲୁଛି ହାର୍ଭେଷ୍ଟର। ବିଶାଳକାୟ ଯନ୍ତ୍ରଟି ଗହୀରସାରା ବୁଲିବୁଲି ଧାନ ବିଲସବୁ ପଦା କରିଦେଉଛି। ସେଇଠି ଧାନ କାଟୁଛି, ଅମଳ କରି ବସ୍ତାରେ ଭରିଦେଉଛି। ତା’ ପଛେପଛେ ଅପେକ୍ଷା କରିରହିଥିବା ଟ୍ରାକ୍ଟର ଧାନ ପ୍ୟାକେଟ୍‌ ଲଦି ଚାଷୀ ଘରେ ଦେଇଯାଉଛି। କୁଟା, ନଡ଼ାକୁ କେହି ପଚାରୁନାହାନ୍ତି। କିଏ ବିଲରେ ଫୋପାଡ଼ି ଦେଇ ଆସୁଛି ତ କେହି କେହି ବିଲରେ ପୋଡ଼ି ଦେଉଛନ୍ତି। କେବଳ ସେତିକି ନୁହେଁ, ଆଗ ଭଳି ଆଉ ଧାନ ଉସୁଁଆ ପଖଳା ନାହିଁ। ଘରେ ଢିଙ୍କି ନାହିଁ। ଉସୁଁଆ ଧାନ ପେଡ଼ିବାକୁ ଧାନକଳକୁ ଯିବାର ନାହିଁ। ସିଧା ମଣ୍ଡିରେ ଧାନ ବିକି ଦିଆଯାଉଛି। ସେହିଭଳି ଆଉ କାଠ ଲଙ୍ଗଳ ନାହିଁ। ବିଲରେ ବୁଲୁଛି ପାୱାର ଟିଲର୍‌ ଓ ଟ୍ରାକ୍ଟର। ତେଣୁ ଲଙ୍ଗଳ ଲୁହା ପଜେଇବାକୁ ଆଉ ଗାଁ କମାରକୁ ଖୋଜା ପଡ଼ୁନାହିଁ କି କାଠ ଲଙ୍ଗଳ ତିଆରି କରିବାକୁ ବଢ଼େଇ ବାପୁଡ଼ା ନାହାନ୍ତି। ସେତେବେଳେ ଧାନ ଅମଳ ସମୟରେ  ଗହୀରରେ ଲାଗୁଥିଲା ମେଳା। ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ବିଲକୁ ଭାତ ଡାଲ୍‌ମା ବୁହା ହେଉଥିଲେ। ଧାନକଟା ଛୁଟି ଥିବାରୁ ପିଲାମାନଙ୍କୁ ବି ଗହୀରରେ ଦେଖିବାକୁ ମିଳୁଥିଲା।

ଛୋଟ ପିଲାମାନେ ଝଡ଼ି ପଡ଼ିଥିବା ଧାନକେଣ୍ଡା ଗୋଟାଉଥିଲେ। ଅନ୍ୟ ଏକ ଉଲ୍ଲେଖନୀୟ କଥା ହେଉଛି ସେତେବେଳେ ବାହାଘର ଦେଖିବାକୁ ଆସୁଥିବା ଲୋକେ ପୁଅ ବା ଝିଅ ଘର ଖଳାବାଡ଼ିକୁ ଯାଇ କଳେଇ ଓ କୁଟା ଗଦାକୁ ପରଖୁଥିଲେ। ସେହିଭଳି କେହିକେହି  ଧାନ କୋଠି ବା ସାଇତା ହୋଇଥିବା ଧାନ ବସ୍ତା ଦେଖୁଥିଲେ। ଗୁହାଳ ଦେଖି କୌଣସି ପରିବାରର ଆର୍ଥିକ ଅବସ୍ଥା ଠଉରାଇ ହେଉଥିଲା। ଆଜି ସେସବୁ ହଜି ଯାଇଛି। ମାତ୍ର କେଇଟି ବର୍ଷ ଭିତରେ ବଳଦ, ଶଗଡ଼, ଲଙ୍ଗଳ, ଦା’ ଭଳି ପୁରୁଣା କୃଷି ଉପକରଣ ଆଜି ଇତିହାସ ପାଲଟିବାକୁ ବସିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button