ବିଶେଷ

The history: ଭଗ୍ନାବଶେଷ ବଖାଣୁଛି ନଳବଂଶ ଇତିହାସ

ନଳବଂଶ ରାଜାଙ୍କ ଗଡ଼ ପୁଷ୍କରିଗଡ଼। କାଳକ୍ରମେ ପୋଡ଼ାଗଡ଼ ଭାବେ ପରିଚିତ। ପଞ୍ଚମ ଶତାବ୍ଦୀର ଐତିହ୍ୟ ବହନ କରୁଥିବା ପୋଡାଗଡ଼ ଏବେ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଅଭାବରୁ....

ନବରଙ୍ଗପୁରନଳବଂଶ ରାଜାଙ୍କ ଗଡ଼ ପୁଷ୍କରିଗଡ଼। କାଳକ୍ରମେ ପୋଡ଼ାଗଡ଼ ଭାବେ ପରିଚିତ। ପଞ୍ଚମ ଶତାବ୍ଦୀର ଐତିହ୍ୟ ବହନ କରୁଥିବା ପୋଡାଗଡ଼ ଏବେ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଅଭାବରୁ ଅବହେଳିତ ହୋଇ ପଡ଼ିଛି। ବହୁ ପ୍ରାଚୀନ ଶିଳାଖଣ୍ଡ, ଶିଳାଲେଖ ଓ ଶିଳାମୂର୍ତ୍ତି ଚୋରି ହୋଇଯାଇଛି।
ନବରଙ୍ଗପୁର ଜିଲ୍ଲା ସଦର ମହକୁମାରୁ ୫୨ କିମି ଦୂରରେ ରହିଛି ପୋଡ଼ାଗଡ଼। ନଳବଂଶ ରାଜାଙ୍କ ରାଜତ୍ୱ ସମୟରେ ଏଠାରେ ପୂଜା ପାଉଥିଲେ ଶିବ, ବିଷ୍ଣୁ ଓ ଇଷ୍ଟଦେବୀ ଗାଦିମା। ପୂଜା ପାଉଥିବା ବହୁ ଶିବ ଲିଙ୍ଗ ବର୍ତ୍ତମାନ ଆଉ ଦେଖିବାକୁ ମିଳୁନାହିଁ। କିଛି ଶିଳାଲିପି, ପଥର ଖୋଦେଇ ଚିତ୍ରକଳା, ଶୁଆ, ଶାରୀ ପଞ୍ଜୁରୀ ଗାଁ ନିକଟସ୍ଥ ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟର ଅବସ୍ଥା ବି ଜରାଜୀର୍ଣ୍ଣ। ବହୁ ପଥର ଖୋଦିତ ମୂର୍ତ୍ତି ଭାଙ୍ଗି ଯାଇଥିବାରୁ ସିମେଣ୍ଟ ଦେଇ ଯୋଡ଼ାଯାଇଛି। ରାଜାଙ୍କ ଇଷ୍ଟଦେବୀ ଗାଦିମା ୫୦୦ ଫୁଟ ଉଚ୍ଚ ପାହାଡ଼ରେ ପୂଜା ପାଉଛନ୍ତି।

କିନ୍ତୁ ପାହାଡ଼ ଉପରକୁ ଯିବା ପାଇଁ ପାହାଚ ବ୍ୟବସ୍ଥା ନାହିଁ। ଐତିହ୍ୟସ୍ଥଳକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ପର୍ଯ୍ୟଟକଙ୍କ ଲାଗି ସର୍ବନିମ୍ନ ଆବଶ୍ୟକତା ପାନୀୟଜଳ, ବିଦ୍ୟୁତ୍‌, ବିଶ୍ରାମସ୍ଥଳ ସୁବିଧା ନାହିଁ।     ମାଘ ମାସରେ ପୋଡ଼ାଗଡ଼ ମଣ୍ଡେଇ ପାଳନ ହେଉଛି। ଏଥିରେ ୯୩ଟି ମୌଜାର ଦେବଦେବୀଙ୍କ ପ୍ରତୀକ ଲାଠି ଓ ବିମାନ ଅଂଶଗ୍ରହଣ କରିଥାନ୍ତି। କୃଷ୍ଣପକ୍ଷ ମହାଳୟା ପୂର୍ବରୁ ନଳବଂଶର ରାଜା ପାଳନ କରି ଆସୁଥିବା ପିତୃଶ୍ରାଦ୍ଧ ଅନୁଯାୟୀ ଇଷ୍ଟଦେବୀ ଗାଦିମାଙ୍କର ପୂଜା ହୋଇଥାଏ। ଏହି ପରିପ୍ରେକ୍ଷୀରେ ତିନି ମୁଠାର ରଇତ, ପୂଜକ ଓ ସିରାମାନେ ରୁଣ୍ଡ ହୋଇ ଚାଉରିଆ ଓ ବୀରନାରାୟଣଙ୍କ ପୂଜା କରିବା ପରେ ପାହାଡ଼ ଉପରକୁ ଯାଇ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଇଷ୍ଟଦେବୀଙ୍କ ବାମ ପାଖରେ ଅଷ୍ଟଭୂଜା ଖମ୍ବେଶ୍ବରୀ ଓ ଡାହାଣରେ ବାରଭୂଜା ଦୁର୍ଦ୍ଦାନି ଦେବୀ ବିରାଜିତ। ଭଗ୍ନ ମନ୍ଦିରରେ ଇଷ୍ଟଦେବୀ ପୂଜା ପାଉଥିଲେ ମଧ୍ୟ ଏହାର ମରାମତି କରାଯାଉନି।

ମନ୍ଦିର ପାର୍ଶ୍ବ ଏବଂ ଭିତରେ ଥିବା ମୂର୍ତ୍ତିଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଏକ ବିରାଟ ପଥର ଦେହରେ ବହୁ ପୁରାତନ ଶିଳାଲେଖ ଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯାଉନି। ନିକଟରେ ଜଙ୍ଗଲ ଓ ପରିବେଶ ବିଭାଗ ପୋଡ଼ାଗଡ଼ ଐତିହ୍ୟସ୍ଥଳରେ ଇକୋ ଟୁରିଜିମ୍‌ର ବିକାଶ ଲାଗି ୨୫ ଲକ୍ଷର ଅନୁଦାନ ପ୍ରଦାନ କରିଛି। କିନ୍ତୁ ରାଜ୍ୟ ସଂସ୍କୃତି, ପ୍ରତ୍ନତତ୍ତ୍ବ ଓ ପର୍ଯ୍ୟଟନ ବିଭାଗ ଏହି ଐତିହ୍ୟସ୍ଥଳର ବିକାଶ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button