Breaking News

ସିକିମ ବନ୍ୟାରେ ସହିଦ, ଜନ୍ମ ମାଟିରେ ଶେଷକୃତ୍ୟ ସମ୍ପନ୍ନ

ସରୋଜ ଦାସଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାସହିତ ସହିଦ ଯବାନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି।

ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀରକୁ ନିଜ ଜନ୍ମ ଭୂମିକୁ ଆଣିବା ବାଟରେ ବିଭିନ୍ନ ଗ୍ରାମର ଛକରେ ରାସ୍ତାର ଉଭୟ ପାର୍ଶ୍ୱରେ ମହିଳା ଓ ପୁରୁଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଜନ ବହୁଳ ଜିରାଳ ଗ୍ରାମରେ ପହଞ୍ଚିବା ପରେ ସେଠାରୁ ଏକ ବିଶାଳ ପଟୁଆରରେ ସରୋଜ ଦାସ ଅମର ରହେ ଧ୍ୱନିରେ ବିଭିନ୍ନ ଯୁବଗୋଷ୍ଠୀ ଗ୍ରାମ ମଧ୍ୟ ଦେଇ କେନ୍ଦୁଢିପ ଜନ୍ମ ମାଟିକୁ ନେଇଥିଲେ। ସେଠାରେ ସରୋଜଙ୍କ ଘରେ ଵିଧି ଅନୁଯାଇ କାର୍ଯ୍ୟ ସମ୍ପନ୍ନ ପରେ ଗ୍ରାମ୍ୟ ସ୍ମଶାନକୁ ନିଆଯାଇଥିଲା। ସେଠାରେ ସ୍ଥାନୀୟ ବିଧାୟକ ତଥା ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି, ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ୧୨୦ ବାଟାଲିୟନର କାମାଣ୍ଡାଣ୍ଟ ମାନସ ମିଶ୍ର ପ୍ରମୁଖ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀରରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ। ପରେ ଜିଲ୍ଲା ଆରକ୍ଷୀ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଥିବା ବେଳେ ସେନା ପକ୍ଷରୁ ତୋପ ସଲାମି ଦିଆଯାଇଥିଲା।

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରୋଜଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ନିଜ ଗାଁ ଅଭିମୁଖେ ଯାଇଥିଲା ପାର୍ଥିବ ଶରୀର । ବାଟସାରା ସହିଦଙ୍କୁ ଶେଷ ସଲାମ କରିବା ପାଇଁ ଅପେକ୍ଷା କରିଥିଲେ ଲୋକେ । ଶେଷରେ ନିଜ ଗାଁ କେନ୍ଦୁଢିପରେ ପହଞ୍ଚିବା ପରେ ସହିଦ ସରୋଜ ଦାସ ଅମର ରହେ ନାରା କମ୍ପିପଡ଼ିଥିଲା ଆଖପାଖ ଅଞ୍ଚଳ । ଶେଷଯାତ୍ରାରେ ହଜାରହଜାର ଲୋକଙ୍କ ସମାଗମ ହୋଇଥିଲା । ଶେଷରେ ସଞ୍ଜ ଗଡ଼ୁଗଡ଼ୁ ଶେଷ ହୋଇଥିଲା ଅନ୍ତିମ ସଂସ୍କାର । ପଞ୍ଚଭୂତରେ ବିଲୀନ ହୋଇଥିଲେ ଭାରତ ମାତାର ଏହି ବୀର ଯବାନ । ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ କେନ୍ଦୁଢିପରେ ସରୋଜଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ଶୋକେ ମ୍ରିୟମାଣ ସମଗ୍ର ଦେଶ । ଭୁଲିବନି କେବେ ତୁମରି ଯଶ । ବଳିଦାନ ତୁମ ଯିବନି ବ୍ୟର୍ଥ । ତୁମେ ଏ ଦେଶର ଯୋଗ୍ୟ ସୁପୁତ୍ର ।

ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୁଲିସ୍‌ ଆଇଜି, ବିଏସଫ ଆଇଜି ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଛନ୍ତି।

ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିବା ବେଳେ ହାବିଲଦାର ଭାବେ ସିକିମରେ ଟ୍ରେନିଂ ନେଉଥିଲେ। ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସରୋଜ କ୍ୟାମ୍ପକୁ ଫେରୁଥିବା ବେଳେ ବନ୍ୟାରେ ଭାସିଯାଇଥିଲେ ।

Comments are closed.