ମହାନଗର

The park infrastructure: ଉଜୁଡ଼ିଗଲାଣି ପାର୍କ ଭିତ୍ତିଭୂମି: ଭାଙ୍ଗିଗଲାଣି ବ୍ୟାୟାମ ଉପକରଣ, ନିଶାଡ଼ିଙ୍କ ଦଖଲରେ ଅନେକ

ସୁସ୍ଥ ଶରୀର, ମନ ତଥା ଶାନ୍ତି ପାଇଁ ପାର୍କ ଏବେ ରାଜଧାନୀବାସୀଙ୍କ ସର୍ବୋତ୍କୃଷ୍ଠ ସ୍ଥାନ ପାଲଟିଛି। ପ୍ରାତଃଭ୍ରମଣ, ସାନ୍ଧ୍ୟଭ୍ରମଣ ପାଇଁ ସର୍ବଦା ପାର୍କରେ ଲୋକଙ୍କ ଭିଡ଼ ରହୁଛି। ଖେଳକୁଦ ପାଇଁ ଜାଗା ଅଭାବ ସାଙ୍ଗକୁ ଗାଡ଼ିମୋଟର ଭିଡ଼ ଭିତରେ ରାଜଧାନୀ....

ଭୁବନେଶ୍ବର: ସୁସ୍ଥ ଶରୀର, ମନ ତଥା ଶାନ୍ତି ପାଇଁ ପାର୍କ ଏବେ ରାଜଧାନୀବାସୀଙ୍କ ସର୍ବୋତ୍କୃଷ୍ଠ ସ୍ଥାନ ପାଲଟିଛି। ପ୍ରାତଃଭ୍ରମଣ,  ସାନ୍ଧ୍ୟଭ୍ରମଣ ପାଇଁ  ସର୍ବଦା ପାର୍କରେ ଲୋକଙ୍କ ଭିଡ଼ ରହୁଛି। ଖେଳକୁଦ ପାଇଁ ଜାଗା ଅଭାବ ସାଙ୍ଗକୁ ଗାଡ଼ିମୋଟର ଭିଡ଼ ଭିତରେ ରାଜଧାନୀ ରାସ୍ତା ପ୍ରାତଃ ଅବା ସାନ୍ଧ୍ୟକାଳୀନ ଭ୍ରମଣ ପାଇଁ ସୁରକ୍ଷିତ ନ ଥିବାରୁ ପାର୍କକୁ ରାଜଧାନୀବାସୀ ନିରାପଦ ସ୍ଥାନ ଭାବେ ବାଛି ନେଇଛନ୍ତି। ଚାଲିବା ସାଙ୍ଗକୁ ବ୍ୟାୟାମର ସୁଯୋଗ ବି ପାଉଛନ୍ତି। କିନ୍ତୁ ଯେଉଁ ପାର୍କ ସବୁ ମୁକ୍ତା ଯୋଜନାରେ ବିକଶିତ ହୋଇଥିଲା, ତାହା ଉଜୁଡ଼ିଗଲାଣି। ସୌନ୍ଦର୍ଯ୍ୟୀକରଣ, ବ୍ୟାୟାମ ଉପରକରଣ ଭାଙ୍ଗିରୁଜି ଗଲାଣି। ପୁଣି  ପ୍ରବେଶ ପଥ, ପାଚେରି ବି ଭାଙ୍ଗିଗଲାଣି। ଯାହା ଅଞ୍ଚଳବାସୀଙ୍କ ଭ୍ରମଣ, ବ୍ୟାୟାମ ଓ ଅବସର ବିନୋଦନରେ ଅନ୍ତରାୟ ସୃଷ୍ଟି କରିଛି। ସ୍ଥିତି ଏପରି ଯେ କିଛି ପାର୍କ ଏବେ ନିଶାଡ଼ିଙ୍କ ଦଖଲକୁ ଚାଲିଗଲାଣି।

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୫୦ରୁ ଅଧିକ ପାର୍କ ରହିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା) ଯୋଜନାରେ ପାର୍କ ସବୁର ରକ୍ଷଣାବେକ୍ଷଣ କରାଯାଉଥିଲା। ଏବେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ରକ୍ଷଣାବେକ୍ଷଣ କରାଯାଉଛି। ୨.୫ ଏକର ଅବା ଏହାଠାରୁ ଅଧିକ ଆକାରର ପାର୍କ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ବିଡିଏ କରୁଛି। ଏଥିପାଇଁ ବିଡିଏର ସ୍ବତନ୍ତ୍ର ଭାବେ ଉଦ୍ୟାନ ବିଭାଗ ରହିଛି। ସେପଟେ ୨.୫ ଏକରରୁ କମ୍‌ ଆକାରର ପାର୍କ ପରିଚାଳନା ଦାୟିତ୍ବ ଭୁବନେଶ୍ବର ମହାନଗର ନିଗମ ବୁଝୁଛି। ବିଡିଏ ୬୯ଟି ପାର୍କର ପରିଚାଳନା କରୁଛି। ବାକି ପାର୍କ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ରହିଛି। ଯେହେତୁ ଅଧିକ ପାର୍କ ରହିଛି, ଭଲ ପରିଚାଳନା ପାଇଁ ଭୁବନେଶ୍ବର ମହାନଗର ନିଗମ  ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ଦେଇଛି।

ଭାଙ୍ଗିଗଲାଣି ବ୍ୟାୟାମ ଉପକରଣ
ରକ୍ଷଣାବେକ୍ଷଣ ପାଇଁ ବିଏମ୍‌ସି ଦେଉଛି ୧୦ରୁ ୨୫ହଜାର ଟଙ୍କା
ନିଶାଡ଼ିଙ୍କ ଦଖଲରେ ଅନେକ

ପାର୍କର ଆକାର ଦେଖି ମାସିକ ପରିଚାଳନା ଖର୍ଚ୍ଚ ବି ଭୁବନେଶ୍ବର ମହାନଗର ନିଗମ ସଂପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦେଉଛି। ଛୋଟ ପାର୍କ ପାଇଁ ୧୫ହଜାର ଟଙ୍କା, ମଧ୍ୟମ ଆକାରର ପାର୍କ ପାଇଁ ୨୦ହଜାର ଟଙ୍କା ଓ ବଡ଼ ପାର୍କ ପାଇଁ ମାସିକ ୨୫ହଜାର ଟଙ୍କା ହିସାବରେ ଦେଉଛି। କିନ୍ତୁ ସ୍ବୟଂ ସହାୟକ ଗୋଷ୍ଠୀମାନେ ଠିକ୍‌ରେ କାମ କରୁନଥିବାରୁ ଭୁବନେଶ୍ବର ମହାନଗର ନିଗମ ପରିଚାଳନା କରୁଥିବା ଅନେକ ପାର୍କର ଭିତ୍ତିଭୂମି ଉଜୁଡ଼ିଗଲାଣି। ସୌନ୍ଦର୍ଯ୍ୟୀକରଣ ଜିନିଷ ସାଙ୍ଗକୁ ବ୍ୟାୟାମ ଓ ଖେଳ ଉପକରଣ ସବୁ ଭାଙ୍ଗି ଦଦରା ଅବସ୍ଥାରେ ଝୁଲୁଛି। ଜିଜିପି କଲୋନି ପାର୍କ ଏହାର ଜ୍ବଳନ୍ତ ଉଦାହରଣ। ବହୁଦିନରୁ ଏହି ପାର୍କ ଭଗ୍ନ ଅବସ୍ଥାରେ। ଏହାର ପ୍ରବେଶ ପଥ ଫାଟକ ଉପୁଡ଼ି ବିପଦଜ୍ଜନକ ଭାବେ ଝୁଲିଛି। ଭିତର ବ୍ୟାୟାମ ଓ ଖେଳ ଉପକରଣ ଭାଙ୍ଗି କଳଙ୍ଗି ଲାଗିଗଲାଣି। ପଡ଼ିଆର ଘାସ ଗାଲିଚା ନଷ୍ଟ ହୋଇଯାଇଥିବା ବେଳେ ବଡ଼ ବଡ଼ ଗାତ ସବୁ ସୃଷ୍ଟି ହୋଇଛି। ଅଞ୍ଚଳବାସୀ ବହୁବାର ଅଭିଯୋଗ କଲେଣି। ସ୍ଥାନୀୟ କର୍ପୋରେଟର୍‌ ଏହାର ବିକାଶ ହେବ ବୋଲି କହୁଛନ୍ତି। ବିକାଶ ତ ଦୂରର କଥା ଅଦ୍ୟାବଧି ଭଗ୍ନ ଉପକରଣକୁ ସଜଡ଼ାଯାଉନି।

 

ୟୁନିଟ୍‌-୨ ଶିଶୁ ବାଟିକାର ବି ସମାନ ସ୍ଥିତି। ଏଠାରେ ବ୍ୟାୟାମ ଓ ଖେଳ ଉପକରଣ ସବୁ ଭାଙ୍ଗି ବିପଦଜ୍ଜନକ ଅବସ୍ଥାରେ ରହିଛି। କୁନି କୁନି ପିଲାମାନେ ଏଥିରେ କ୍ଷତାକ୍ତ ହେବାର ଆଶଙ୍କା ରହିଛି। ସେପଟେ ଦିନ ଦିପ୍ରହରରେ ଏଠି ଖୋଲାଖୋଲି ନିଶା ସେବନ ଚାଲୁଛି। ମହିଳା, ଯୁବତୀମାନେ ପାର୍କ ଯିବାକୁ ଅସୁରକ୍ଷିତ ମଣୁଛନ୍ତି। ସହିଦନଗର ପାର୍କ ଓ ଅନ୍ୟ ପାର୍କର ବି ସମାନ ସ୍ଥିତି। ମେୟର ସୁଲୋଚନା ଦାସ କହିଛନ୍ତି, ଆମେ ସବୁ ପାର୍କ ଜଗାରଖା ଓ ପରିଚାଳନା ଦାୟିତ୍ବ ଭିନ୍ନ ଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦେଇଛୁ। ଏଥିପାଇଁ ସବୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିୟମିତ ମାସିକ ଟଙ୍କା ବି ଦିଆଯାଉଛି। ତଥାପି ଯେଉଁଠି ଅସୁବିଧା ରହିଛି, ତାର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button